ଜୁଆଖେଳ ଆଡ୍ଡାରେ ପୋଲିସ ଚଢଉ: ୪ ଗିରଫ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ପଞ୍ଚାୟତ କାର୍ଯ୍ୟାଳୟ ନିକଟ ରାସ୍ତାକଡ ରେ ଗୁରୁବାର ଅପରାହ୍ନ ପ୍ରାୟ ସାଢେ ୪ ଟାରେ ଚାଲିଥିବା ଜୁଆ ଖେଳ ଉପରେ ପାଟପୁର ଥାନା ପୋଡ଼ାମାରି ଗ୍ରାମ ଫାଣ୍ଡି ଅଧିକାରୀ ଏସ.ଆଇ ପ୍ରଭାତ କୁମାର ବାଲିକାନାଙ୍କ ନେତୃତ୍ୱରେ ପୋଲିସ ଟିମ୍ ଅତର୍କିତ ଚଢ଼ଉ କରି ୪ ଜଣ ଜୁୁଆଡ଼ିଙ୍କୁ ଗିରଫ କରିଥିବା ବେଳେ ବହୁ ସଂଖ୍ୟକ ଜୁଆଡ଼ି ଦୌଡ଼ି ପଳାଇଥିଲେ।ଗିରଫ ଜୁଆଡି ମାନଙ୍କ ଠାରୁ ପୋଲିସ ୧୪ ଶହ ଟଙ୍କା, ତାସମୁଠା, ଏକ ବାଇକ, ୪ ଟି ମୋବାଇଲ ଫୋନ୍ ଏବଂ ଜରିପାଲ ଜବତ କରିଛନ୍ତି।ଏନେଇ ଫାଣ୍ଡି ଅଧିକାରୀଙ୍କ ଏତଲା କ୍ରମେ ଆଇଆଇସି ଦୀପ୍ତି ରଞ୍ଜନ ବେହେରା ମକଦ୍ଦମା ରୁଜୁ କରିଛନ୍ତି। ଅଭିଯୁକ୍ତ ମାନଙ୍କୁ ଭାରତୀୟ ନାଗରିକ ସୁରକ୍ଷା ସଂହିତା(ବିଏନଏସଏସ)ର ଧାରା-୩୫(୩) ଅନୁଯାୟୀ ନୋଟିସ ଦିଆଯିବା ପରେ ଛାଡି ଦିଆଯାଇଥିବା ଜଣାପଡ଼ିଛି। ସେହିପରି ଗତ ବୁଧବାର ଅପରାହ୍ନରେ କଂସାମାରି ଗାଁ ରାସ୍ତାକଡରେ ଚାଲିଥିବା ଜୁଆ ଖେଳ ଉପରେ ପାଟପୁର ଥାନା ପୋଡ଼ାମାରି ଗ୍ରାମ ଫାଣ୍ଡି ଅଧିକାରୀଙ୍କ ନେତୃତ୍ୱରେ ପୋଲିସ ଟିମ୍ ଅତର୍କିତ ଚଢ଼ଉ କରି ୭ ଜଣ ଜୁୁଆଡ଼ିଙ୍କୁ ଗିରଫ କରିଥିଲେ।ଗିରଫ ଜୁଆଡି ମାନଙ୍କ ଠାରୁ ପୋଲିସ ୧୦,୫୦୦ ଟଙ୍କା, ତାସମୁଠା ଏବଂ ଜରିପାଲ ଜବତ କରିବା ସହ ଫାଣ୍ଡି ଅଧିକାରୀଙ୍କ ଏତଲା କ୍ରମେ ଆଇଆଇସି ମକଦ୍ଦମା ରୁଜୁ କରିଥିଲେ।


