ମହାପ୍ରଭୁଙ୍କ ଘୋଷ ଯାତ୍ରା :ପ୍ରବଳ ବର୍ଷା ସତ୍ତ୍ୱେ ଶତାଧିକ ଭକ୍ତଙ୍କ ସମାଗମ
ବନ୍ତ,(ଚାନ୍ଦିନୀ ମହାନ୍ତି ): ଭଦ୍ରକ ଜିଲା ବନ୍ତ ବ୍ଲକ ନିଳୋକ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ଘୋଷ ଯାତ୍ରା ମହା ସମାରୋହରେ ପାଳିତ ହୋଇଯାଇଛି l ଲଘୁଚାପ ବର୍ଷା ସତ୍ତ୍ୱେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଆଖପାଖ ଗ୍ରାମର ଶତାଧିକ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା l ସକାଳେ ମହାପ୍ରଭୁଙ୍କ ଆଳତୀ, ବାଳଭୋଗ ସହ ସାମୁହିକ ଦୀପଦାନ ଅନୁଷ୍ଠିତ ହୋଇଥିଲା l ପରେ ପାରମ୍ପରିକ ରୀତିରେ ରଥ ସଂସ୍କାର ଓ ଝରା ପୂଜା ସହ ଦେବ ଆବାହନ କରାଯାଇଥିଲା l ପରେ ଭକ୍ତ ଓ ସେବାୟତ ମାନଙ୍କ ଗହଣରେ ହରିବୋଲ ଓ ହୁଳହୁଳି ଧ୍ଵନିରେ ତିନି ଦିଅଁଙ୍କ ପହଣ୍ଡି ବିଜେ ହୋଇଥିଲା l ସେବାୟତ ମାନେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ତିନି ରଥ ଉପରକୁ ବିଜେ କରାଇଥିଲେ l ଚିନ୍ମୟ ପ୍ରଧାନ ରଥ ଉପରେ ପାରମ୍ପରିକ ଛେରା ପହରା ସେବା ସମ୍ପାଦନ କରିଥିଲେ l ଏହି ସମୟରେ ଶ୍ରଦ୍ଧାଳୁ ମାନଙ୍କ ଜୟ ଜଗନ୍ନାଥ ଧ୍ଵନିରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହୋଇ ଉଠିଥିଲା l ସନ୍ଧ୍ୟା ୫ଟାରେ ରଥ ଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା l ଭକ୍ତ ମାନେ ଆନନ୍ଦ ଉଲ୍ଲାସରେ ରଥକୁ ଟାଣି ଟାଣି ମାଉସୀ ମା ମନ୍ଦିର ନିକଟକୁ ନେଇ ଯାଇଥିଲେ l ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବନ୍ତ ପୋଲିସ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିଲା l ସେବାୟତ ହରେକୃଷ୍ଣ ଦାଶ, ନାରାୟଣ ଦାଶ, ବିଷ୍ଣୁ ମୋହନ ଦାଶ, ଭଗବାନ ଦାଶଙ୍କ ପ୍ରତ୍ୟେକ୍ଷ ତତ୍ତାବଧାନରେ ସମସ୍ତ କାର୍ଯ୍ୟ ସମ୍ପାଦିତ ହୋଇଥିବା ବେଳେ ଗ୍ରାମବାସୀ ମାନେ ସହଯୋଗ କରିଥିଲେ l


