ଜଗୁଆଳ କାମ କରୁଥିବା ମହିଳାଙ୍କୁ ଶ୍ରମରୁ ବଞ୍ଚିତ: ଏସ୍.ପି.ଙ୍କ ଦ୍ଵାରସ୍ଥ ହେଲେ ଆର୍ଯ୍ୟପଲ୍ଲୀର ମହିଳା
ଛତ୍ରପୁର (ଓ୍ବାଇଏନଏସ): ୫୦ ବର୍ଷ ପୁର୍ବରୁ ଗଞ୍ଜାମ ଜିଲ୍ଲା ଛତ୍ରପୁର ପୌରପରିଷଦ ଉପକଣ୍ଠ ସାନ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ଥିବା ଭାଲିଆ ତୋଟାରେ ଜଗୁଆଳି କାମ କରି ଆସୁଥିବା କିଛି ମହିଳାଙ୍କୁ ଧମକାଇ ସେଠାରୁ ବାହାର କରିଦେବା ଅଭିଯୋଗ ସାମ୍ନାକୁ ଆସିଛି। ସେହି ଗ୍ରାମ ନିକଟରେ ଥିବା ଭାରତୀୟ ବିରଳ ମୃତ୍ତିକା ଲିମିଟେଡ (ଆଇ. ଆର୍. ଇ. ଏଲ୍.)ର ବିରଳ ମୃତ୍ତିକା ପାଇଁ ସାମୁଦ୍ରିକ ବାଲି ଖନନ ନିମନ୍ତେ ଅନେକ ଗଛ କଟା ହୋଇଛି। ଖନନ ପରେ ସେହି ଅଞ୍ଚଳରେ ଆଇ.ଆର୍.ଇ.ଏଲ୍. କମ୍ପାନୀ ପୁନର୍ବାର ଚାରାରୋପଣ କରି କିଛି ଲୋକଙ୍କୁ ଜଗୁଆଳି ଭାବେ ନିଯୁକ୍ତ କରିଛି। କିନ୍ତୁ ଏହି ମହିଳାମାନେ ଅଭିଯୋଗ କରିଛନ୍ତି ଯେ ଯେଉଁ କାମ ସେମାନେ ଦୀର୍ଘ ୫୦ ବର୍ଷ ଧରି କରିଆସୁଥିଲେ, ଏବେ ସେମାନେ ନିଯୁକ୍ତି ହରାଇଛନ୍ତି। ତା ସହିତ ପ୍ରତ୍ୟେକ ମହିଳାଙ୍କୁ ଜମି ଅଧିଗ୍ରହଣ କ୍ଷତିପୂରଣ ବାବଦକୁ ୬ ଲକ୍ଷ ୮୮ ହଜାର ଟଙ୍କା କମ୍ପାନୀ ପକ୍ଷରୁ ପ୍ରଦାନ କରାଯାଇଥିଲା। ସେହି ଗ୍ରାମର କିଛି ଯୁବକ ଧମକ ଚମକ ଦେଇ ଜୋରଜବରଦସ୍ତି ମହିଳାଙ୍କୁ ଏହି କାମରୁ ବାହାର କରିଦେଇଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି। ଏହି ପ୍ରସଙ୍ଗରେ ମହିଳାମାନେ ଗତ ଜାନୁୟାରୀ ୨୦୨୫ ରେ ମେରାଇନ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ମେରାଇନ ଥାନାରେ କେସ୍ ନଂ ୧/୨୦୨୫ ରେ ଏକ ମାମଲା ରୁଜୁ କରିଥିଲେ। ଦେଢ଼ ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ହେଁ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ସେମାନେ ବାଧ୍ୟ ହୋଇ ସୋମବାର ଦିନ ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ହରିଶ ବି.ସି. ଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ମହିଳାମାନେ ଦାବି କରିଛନ୍ତି ଯେ ତାଙ୍କୁ ପୁଣି ଥରେ ସେହି କାର୍ଯ୍ୟରେ ନିୟୋଜିତ କରାଯାଉ।


