ଆସୁଛି ବର୍ଷା, ଆହୁରି ବଢିବ ଶୀତ
ଭୁବନେଶ୍ୱର: ସାରା ଓଡ଼ିଶା ଏବେ ଜାଡ଼ରେ ଥରୁଛି । ଅଧିକାଂଶ ସ୍ଥାନରେ ପାରଦ ସ୍ୱାଭାବିକ ଠାରୁ ୪ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ଖସିଯାଇଛି । ପଶ୍ଚିମ ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଅସମ୍ଭାଳ ଶୀତ ହେଉଛି । ଏହାରି ଭିତରେ ମାଡ଼ି ଆସୁଛି ବର୍ଷା । ନୂଆ ବର୍ଷରେ ଓଡ଼ିଶା ବର୍ଷାରେ ଭିଜିବ । ଆସନ୍ତା ୧ ଓ ୨ ତାରିଖରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୧ ତାରିଖରେ ବରଗଡ଼, ନୂଆପଡ଼ା, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରେ ବର୍ଷା ହେବାର ସମ୍ଭାବନା ରହିଛି । ସମ୍ଭଲପୁର, କେନ୍ଦୁଝର ଓ ଦେବଗଡ଼ରେ ବି ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ୨ ତାରିଖରେ ଦକ୍ଷିଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ବର୍ଷାର ହେବା ନେଇ ପୂର୍ବାନୁମାନ କରାଯାଇଛି । ତେବେ ବର୍ଷା କମିବା ପରେ ରାଜ୍ୟରେ ପୁଣି ଶୀତର ପ୍ରକୋପ ବଢିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।


