ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର
ଧାମନଗର (ଓ୍ବାଇଏନଏସ): ଧାମନଗର ବ୍ଲକ ଧୁଷୁରୀ ଥାନା ଅନ୍ତର୍ଗତ ଗଡ଼ିଆଳି ପଂଚାୟତ ର ଝାରିଡ଼ିଆ ଗ୍ରାମର ରଶ୍ମି ରଞ୍ଜନ ବେହେରା ପିତା–ପ୍ରଶାନ୍ତ କୁମାର ବେହେରା ଗତ ୧୬ ଜୁଲାଇ ରାତିରୁ ନିଖୋଜ ଥିବା ବେଳେ ସୋମବାର ସକାଳେ ତାଙ୍କର ମୃତଦେହ ବୟାଙ୍ଗଡିହି ପଞ୍ଚାୟତ ସ୍ଥିତ ନୂଆଗାଁ ରାସ୍ତା କଡ଼ରେ ଥିବା ଏକ ପରିତ୍ୟକ୍ତ ନାଳରୁ ଉଦ୍ଧାର ହୋଇଛି।ପରିବାର ଲୋକଙ୍କ ସୂଚନା ଅନୁଯାୟୀ ରଶ୍ମି ରଞ୍ଜନ ମାନସିକ ଅସୁସ୍ଥତାରେ ପୀଡ଼ିତ ଥିଲେ। ଗତ ୧୬ ତାରିଖ ରାତିରେ ସେ ଘରୁ କୁଆଡେ ଚାଲି ଯାଇଥିଲେ। ସେହିଦିନଠାରୁ ପରିବାର ଲୋକ ଓ ସମ୍ପର୍କୀୟମାନେ ବିଭିନ୍ନ ସ୍ଥାନରେ ତାଙ୍କୁ ଖୋଜା ଖୋଜି କରୁଥିଲେ। ମାତ୍ର କୌଣସି ସନ୍ଧାନ ମିଳିନଥିଲା।ସୋମବାର ସକାଳେ ବୟାଙ୍ଗଡିହି–ନୂଆଗାଁ ରାସ୍ତା କଡ଼ରେ ଥିବା ଏକ ପରିତ୍ୟକ୍ତ ନାଳରେ ମୃତଦେହ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ଧୁଷୁରୀ ଥାନାକୁ ଖବର ଦେଇଥିଲେ। ଖବର ପାଇ ଧୁଷୁରୀ ଥାନାର ଭାରପ୍ରାପ୍ତ ଅଧିକାରିଣୀ ସୁଜାତା ସାହୁ ଏବଂ ତାଙ୍କର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ପରେ ଭଣ୍ଡାରୀପୋଖରୀ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନାଳରୁ ମୃତଦେହକୁ ଉଦ୍ଧାର କରିଥିଲେ। ପରିବାର ସଦସ୍ୟମାନେ ମୃତଦେହକୁ ରଶ୍ମି ରଞ୍ଜନ ବେହେରାଙ୍କ ବୋଲି ଚିହ୍ନଟ କରିଥିଲେ।ପୋଲିସ ମୃତଦେହକୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ମୃତ୍ୟୁର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଧୁଷୁରୀ ପୋଲିସ ୟୁ ଡି କେସ ନମ୍ବର ୧୭/୨୬ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ସମସ୍ତ ଦିଗକୁ ନେଇ ଅଧିକ ତଦନ୍ତ ଜାରି ରଖିଛି।


