ସ୍କନ୍ଦ ପୁରାଣରେ ଆଡ଼ପ ମଣ୍ଡପ ଓ ସନ୍ଧ୍ୟା ଦର୍ଶନ

ଅଧ୍ୟାପକ ହେମନ୍ତ କୁମାର ଗନ୍ତାୟତ
ମହାପ୍ରଭୁ ନୀଳାଦ୍ରିନାଥ ପତିତ ଜନଙ୍କୁ ଉଦ୍ଧାର କରିବା ପାଇଁ ପ୍ରତି ବର୍ଷ ଆଷାଢ଼ ମାସ ଶୁକ୍ଳ ପକ୍ଷ ଦ୍ଵିତୀୟା ତିଥିରେ ଭାଇ, ଭଉଣୀ ଓ ଶ୍ରୀସୁଦର୍ଶନଙ୍କ ସହ ନବଦିନାତ୍ମିକ ଯାତ୍ରା କରିଥାନ୍ତି । ଏହି ଯାତ୍ରାକୁ ରଥଯାତ୍ରା, ଘୋଷଯାତ୍ରା, ମହାବେଦୀ ମହୋତ୍ସବ, ପତିତପାବନ ଯାତ୍ରା, ଉତ୍ତରାଭିମୁଖୀ ଯାତ୍ରା, ନବଦିନାତ୍ମିକା ଯାତ୍ରା, ଦଶାବତାର ଯାତ୍ରା, ଗୁଣ୍ଡିଚା ମହୋତ୍ସବ ଓ ଆଡ଼ପ ଯାତ୍ରା ବୋଲି କୁହାଯାଏ। ବିଭିନ୍ନ ମତ ଅନୁଯାୟୀ ଏହି ଯାତ୍ରାକୁ ପଞ୍ଚ ଉତ୍ସବ ଭାବେ ବିଭକ୍ତ କରାଯାଇଛି। ଯଥା: ଏକ ଅନ୍ତର୍ବେଦୀ ଉତ୍ସବ, ଦୁଇ ମହାବେଦୀ ଉତ୍ସବ, ତିନି ଆଡ଼ପ ଉତ୍ସବ, ଚାରି ଦକ୍ଷିଣାମୁଖୀ ଉତ୍ସବ ଓ ପାଞ୍ଚ ନୀଳାଦ୍ରି ବିଜେ ଉତ୍ସବ । ଯାହାକୁ ଗୁଣ୍ଡିଚା ପଞ୍ଚକ କୁହଯାଏ । ଏଥି ମଧ୍ୟରୁ ଆଡ଼ପ ଉତ୍ସବ, ମହାବେଦୀ ଉତ୍ସବ ବା ଜନ୍ମବେଦୀ ଉତ୍ସବ ଦର୍ଶନର ଫଳ ଅତ୍ୟନ୍ତ ପୁଣ୍ୟ ଦାୟକ ବୋଲି ସ୍କନ୍ଦ ପୁରାଣ କୁହାଯାଇଛି:
ଆଡ଼ାପମଣ୍ଡପେ ଦେବଂ ଦୃଷ୍ଟ୍ୱା ପାପବିବର୍ଜିତଃ।
ବୈକୁଣ୍ଠଂ ଗଚ୍ଛତି କ୍ଷିପ୍ରଂ ନାତ୍ର କାର୍ଯ୍ୟା ବିଚାରଣା॥
ଅର୍ଥାତ୍ ଏହି ପବିତ୍ର ମଣ୍ଡପରେ ମହାପ୍ରଭୁଙ୍କ ଥରଟିଏ ମାତ୍ର ଦର୍ଶନ ପାଇବା ମାତ୍ରେ ଭକ୍ତର ଜନ୍ମ-ଜନ୍ମାନ୍ତରର ପାପ – ତାପ ଦୂର ହୋଇଥାଏ ଏବଂ ସେ ଅତି ଶୀଘ୍ର ଅବିଚାରରେ ବୈକୁଣ୍ଠ ଧାମକୁ ପ୍ରାପ୍ତି କରିଥାଏ ।
ରଥଯାତ୍ରା ସମୟରେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଠାକୁରମାନେ ନବ ଦିନ ପାଇଁ ଯାତ୍ରା କରିଥାନ୍ତି। ସାଧାରଣତଃ ଘୋଷଯାତ୍ରା ଓ ବାହୁଡା଼ ଯାତ୍ରାକୁ ବାଦ୍ ଦେଲେ ପ୍ରାୟତଃ ଛଅ ଦିନରୁ ସାତ ଦିନ ପର୍ଯ୍ୟନ୍ତ ଏଠାରେ ରହିଥାନ୍ତି। ଏହି ମନ୍ଦିରକୁ ମହାରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ପାଟରାଣୀ ତଥା ଶ୍ରୀଜଗନ୍ନାଥଙ୍କ ମା’ ଗୁଣ୍ଡିଚା ଦେବୀଙ୍କ ନାମ ଅନୁସାରେ ନାମିତ କରା ଯାଇଛି। ଦାରୁବ୍ରହ୍ମଙ୍କ ବିଗ୍ରହ ନିର୍ମାଣ ପୂର୍ବରୁ ଏହା ଏକ ମଣ୍ଡପ ଥିଲା ବୋଲି କଥିତ ରହିଛି। କିନ୍ତୁ ପୁରାଣମାନଙ୍କରେ ଏହି ମଣ୍ଡପକୁ ଆଡ଼ପ ମଣ୍ଡପ ବୋଲି ବର୍ଣ୍ଣନା କରାନଯାଇ ଯଜ୍ଞବେଦୀ ଓ ମହାବେଦୀ ବୋଲି ଉଲ୍ଲେଖ ରହିଛି ଏଵଂ ଶ୍ରୀଚୈତନ୍ୟ ଚରିତାମୃତରେ ଏ ସ୍ଥାନକୁ ନିତ୍ୟ ବୃନ୍ଦାବନ ବୋଲି ମଧ୍ଯ କୁହାଯାଇଛି। ଶ୍ରୀମନ୍ଦିରରେ ଯେପରି ଚତୁର୍ଦ୍ଧାମୂର୍ତ୍ତିଙ୍କ ମଙ୍ଗଳାଳତୀ ଠାରୁ ପହଡ ପର୍ଯ୍ୟନ୍ତ ଦୈନନ୍ଦିନ ନୀତି ବଢ଼ିଥାଏ ସେହିପରି ଶ୍ରୀଗୁଣ୍ଡିଚା ମନ୍ଦିରରେ ମଧ୍ଯ ନୀତି ଅନୁଷ୍ଠିତ ହୁଏ। ଠାକୁରମାନେ ରଥାରୂଢ଼ ଥିବା ବେଳେ ସଙ୍ଖୁଡ଼ି ମୁଣିଆ ହୋଇ ନଥାଏ। କିନ୍ତୁ ଏଠାକୁ ଆସିବା ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପୁନର୍ବାର ଅନ୍ନ ଓ ବ୍ୟଞ୍ଜନାଦି ନୈବେଦ୍ୟ ମୋହଣୀ କରିବାର ବିଧାନ ରହିଛି। ତେଣୁ ମହାସୁଆର ଓ ସୁଆରମାନେ ଭୋଗ ପାଇଁ ଅମୋଣିଆ ପ୍ରସ୍ତୁତ କରିଥାନ୍ତି। ଏହାପରେ ନୀତି ଅନୁଯାୟୀ ଶ୍ରୀଜୀଉମାନଙ୍କୁ ନୈବେଦ୍ୟ ଅର୍ପଣ କରାଯାଏ। ଗର୍ଭଗୃହ ବା ବିମାନଗୃହ ସଂଲଗ୍ନ ଜଗମୋହନରେ ବିମଳାଙ୍କର ସ୍ଥିତିକୁ କଳ୍ପନା କରାଯାଇ, ସେଠାରେ ନୈବେଦ୍ୟକୁ ସମର୍ପଣ କରାଯାଏ। ମାତ୍ର ଗୁଣ୍ଡିଚା ମନ୍ଦିର ଯଜ୍ଞବେଦୀ ହୋଇଥିବାରୁ ଏଠାରେ ବିମଳାଙ୍କୁ ସମର୍ପଣ ସେତେଟା ପରିଗୃହିତ ହୁଏ ନାହିଁ। ଏଥି ଯୋଗୁଁ ଏଠାରୁ ଶ୍ରୀମନ୍ଦିରସ୍ଥିତ ବିମଳା ମନ୍ଦିରକୁ ଥାଳିଏ ଅନ୍ନଭୋଗ ପଠାଯାଏ। ଏହାପରେ ଭକ୍ତମାନେ ଏହି ପ୍ରସାଦକୁ ସେବନ କରିଥାନ୍ତି। ଯାହାକୁ ‘ଆଡ଼ପ ଅବଢ଼ା’ ବା ମହାପ୍ରସାଦ ବୋଲି କୁହାଯାଏ। ଉକ୍ତ ମହାପ୍ରସାଦର ବହୁତ ଧାର୍ମିକ ମହତ୍ଵ ରହିଛି । ସ୍କନ୍ଦ ପୁରାଣରେ ଉଲ୍ଲେଖ ରହିଛି ଯେ, ଏହି ପବିତ୍ର ସ୍ଥାନରେ ମହାପ୍ରସାଦ ଗ୍ରହଣ କରିବା ଦ୍ୱାରା ପୁଣ୍ୟ ଏବଂ ପିତୃପୁରୁଷଙ୍କୁ ଅର୍ପଣ କରିବା ଦ୍ୱାରା ପିତୃଗଣ ତୃପ୍ତ ହୋଇଥାନ୍ତି ।
ଶ୍ରୀବିଗ୍ରହମାନେ ଯେତେ ବେଳେ ଆଡ଼ପ ମଣ୍ଡପରେ ଅବସ୍ଥାନ କରିଥାନ୍ତି। ସେ’ ସମୟରେ ଦର୍ଶନାର୍ଥୀ ତଥା ଭକ୍ତମାନେ ଏଠାରେ ସମବେତ ହେବା ପୂର୍ବକ ବ୍ରତ ପାଳନ, ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀରେ ସ୍ନାନ ଓ ତ୍ରିକାଳ ଦର୍ଶନ କରିବାର ପ୍ରଶସ୍ତି ରହିଛି। ସେଭଳି ମଧ୍ୟ ସନ୍ଧ୍ୟା ବା ରାତ୍ରିକାଳୀନ ଦର୍ଶନରେ ମହାପୁଣ୍ୟ ହୋଇଥାଏ ବୋଲି ସ୍କନ୍ଦ ପୁରାଣ ତଥା ବାମଦେବ ସଂହିତାରେ ବର୍ଣ୍ଣିତ ହୋଇଛି:
ଦିବତଦ୍ ଦର୍ଶନଂ ପୁଣ୍ୟଂ ରାତ୍ରୌ ଦଶଗୁଣଂ ଭବେତ୍
ସପ୍ତାହଂ ଯୋ ନରୋନାରୀ ନ ସା ପ୍ରାକୃତ ମାନୁଷୀ । (ସ୍କନ୍ଧ/୩୪ ଅଧ୍ୟାୟ) ଅତ୍ର ସ୍ଥଳେ ନକ୍ତକାଳେ ଯେ ପଶ୍ୟନ୍ତି ସୁପ୍ପୂଜିତାନ୍
ବୈକୁଣ୍ଠ ଭ୍ୱନେ ନିତ୍ୟ୍ଂ ତେ ବସନ୍ତି ନ ସଂଶୟଃ । (ବାମଦେବ ସଂହିତା, ୧୭ ଅଧ୍ୟାୟ) ଏବଂ ଆହୁରି ମଧ୍ୟ କୁହାଯାଇଛି ଯେ, ନୀଳାଚଳରେ ଶ୍ରୀବିଗ୍ରହମାନଙ୍କୁ ଦଶ ବର୍ଷ ପର୍ଯ୍ୟନ୍ତ ପୂଜା ବା ଦର୍ଶନ କଲେ ଯେଉଁ ଫଳ ମିଳିଥାଏ, ସେହି ଫଳ ମହାବେଦୀ ବା ଆଡ଼ପ ମଣ୍ଡପରେ ଗୋଟିଏ ଦିନ ଦର୍ଶନ କଲେ ପ୍ରାପ୍ତ ହୁଏ। ବିଶେଷତଃ ରାତ୍ରିକାଳୀନ ଏକ ଦିନର ଦର୍ଶନରେ ଉକ୍ତ ଫଳ ଦଶଗୁଣ ପରିବର୍ଦ୍ଧିତ ହୋଇଥାଏ। ଏଣୁ କୁହାଯାଇଛି: ” ନୀଳାଦ୍ରୌ ଶତବର୍ଷାଣି ଆଡ଼ପ ମଣ୍ଡପେ ଦିନେ “। ଏହି ଉକ୍ତିକୁ ସ୍ମରଣ କରି ସନ୍ଧ୍ୟା ଦର୍ଶନ ଦିନ ଭକ୍ତମାନେ ଶ୍ରୀଗୁଣ୍ଡିଚା ମନ୍ଦିରରେ ଶ୍ରୀବିଗ୍ରହମାନଙ୍କୁ ଦର୍ଶନ, ଦୀପ ପ୍ରଜ୍ଜ୍ୱଳନ ଓ ବ୍ରାହ୍ମଣମାନଙ୍କୁ ମହାପ୍ରସାଦ ସେବନରେ ଆପ୍ୟାୟିତ କରିଥିବା ଜଣାଯାଏ। ଏ ପ୍ରଥା ବହୁ ପୁରାତନ ସମୟରୁ ପ୍ରଚଳିତ ହୋଇ ଆସୁଅଛି। ବିଶ୍ୱାସ ରହିଛି ଯେ ଉକ୍ତ ନବମୀ ତିଥିରେ ଭକ୍ତରାଜ ଶ୍ରୀହନୁମାନ ଏଵଂ ଶ୍ରୀରାମଙ୍କ ପରମ ମିତ୍ର ଶ୍ରୀବିଭୀଷଣ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ସନ୍ଧ୍ୟା ସମୟରେ ଆସିଥାନ୍ତି। ଏହି ଦିନ ଠାକୁରମାନଙ୍କ ବଡ଼ ସିଂହାର ନୀତି ବଢିବାପରେ ଶ୍ରୀମୁଖରେ ଖଣ୍ଡୁଆ ପକାଯାଇ ପୁଷ୍ପାଳକମାନେ ବାହାରକୁ ଆସିଥାନ୍ତି। ତତ୍ ପରେ କୋଠ ସୁଆଁସିଆ ସିଂହାସନ ଠାରେ ଚାରମାଳ ବନ୍ଧା କାର୍ଯ୍ୟ କରିବା ସଙ୍ଗେ ସଙ୍ଗେ ଦଇତାପତିମାନେ ଗୁପ୍ତ ନୀତି ପାଇଁ ପ୍ରସ୍ତୁତ ହୋଇଥାନ୍ତି।
ଭକ୍ତମାନେ ବିଶ୍ୱାସ କରନ୍ତି ଯେ ମହାପ୍ରଭୁଙ୍କୁ ନବମୀ ଦିନ ସାନ୍ଧ୍ୟ ଦର୍ଶନ କଲେ ହୃଦୟର ସମସ୍ତ ଅହଂକାର ଓ ଦୁଃଖ ଦୂର ହେବା ସହ ଭଗବାନ୍ ଏବଂ ନିଜ ମଧ୍ୟରେ ଏକ ଆଧ୍ୟାତ୍ମିକ ସମ୍ପର୍କ ସ୍ଥାପିତ ହୋଇଥାଏ, ଯାହା ମନୁଷ୍ୟକୁ ମୋକ୍ଷ ଆଡକୁ ଆଗେଇ ନେବାରେ ସହାୟକ ହୁଏ। ଏହି ଦର୍ଶନ ଓଡ଼ିଆ ଜାତିର ସଂସ୍କୃତି ଓ ଆଧ୍ୟାତ୍ମିକ ଚେତନାର ଏକ ମହାନ ପ୍ରତୀକ। ସମସ୍ତ ଭେଦଭାବକୁ ଭୁଲି ସମସ୍ତେ ଏକାଠି ହୋଇ ମହାପ୍ରଭୁଙ୍କ ସନ୍ଧ୍ୟା ଆଳତୀ ଦର୍ଶନ କରିଥାନ୍ତି। ପୌରାଣିକ ତଥ୍ୟକୁ ଆଧାର କରି ଏହି ପରମ୍ପରା ଆଜି ବି ସମାଜରେ ଭାଇଚାରା, ପ୍ରେମ ଏବଂ ଭକ୍ତିର ବାର୍ତ୍ତା ବହନ କରି ଆଗେଇ ଚାଲିଛି।
ବରିଷ୍ଠ ଦର୍ଶନ ଅଧ୍ୟାପକ
ଆସିକା, ଗଞ୍ଜାମ।
୯୮୬୧୩୩୪୮୬୮


