ଲଗାଣ ବର୍ଷା ଯୋଗୁଁ ତଳି ନଷ୍ଟ: ଏପଟେ ପନିପରିବା ଦର ଆକାଶ ଛୁଆଁ
ଧାମନଗର (ଓ୍ବାଇଏନଏସ): ଧାମନଗର ବ୍ଲକ ଏବଂ ଏନ ଏ ସି ଅଞ୍ଚଳରେ ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇଥିବା ବେଳେ ଶହଶହ ହେକ୍ଟର ଜମିରେ ଧାନ ତଳି ଓ ବୁଣା ଧାନ ନଷ୍ଟ ହେବାର ଆଶଙ୍କା ରହିଛି। ଫଳରେ ଚାଷୀ କୂଳ ଚିନ୍ତାରେ ବସିଥିବା ବେଳେ ଏପଟରେ ଲାଗି ରହିଥିବା ବର୍ଷା ଯୋଗୁଁ ଘରୁ ବାହାରି ସମ୍ଭବ ନୁହେଁ ସାଧାରଣ ଜନତା ହନ୍ତସନ୍ତ ହେଉଛନ୍ତି। ସେହିପରି ଗାଁ ଭିତରକୁ ପାଣି ପଶିବାରୁ ଘରବାଡ଼ିରେ ମଧ୍ୟ ପରିବା ବୁଡ଼ି ପଚି ନଷ୍ଟ ହୋଇଛି। ବୈତରଣୀ ଓ ଏହାର ଆଖପାଖ ନଦୀ ବନ୍ୟା ଆଶଙ୍କା ଥିବା ବେଳେ ଲଗାଣ ବର୍ଷା ପାଣିରେ ବୁଡ଼ି ନଈକୂଳରେ ପରିବା ଚାଷ ନଷ୍ଟ ହୋଇ ଯାଇଥିବାରୁ ଏବେ ବଜାରରେ ପନିପରିବା ଦର ଆକାଶ ଛୁଆଁ ହୋଇଛି। ଏବେ ବନ୍ୟା ଆଶଙ୍କା ରହିଛି ଲଗାଣ ବର୍ଷା ଯୋଗୁ ସାଧାରଣ ଲୋକ କାମଧନ୍ଦା ପାଉ ନଥିବା ବେଳେ ଏତେ ଦର ଦେଇ ପରିବା କିଣିବାକୁ ସକ୍ଷମ ହେଉନାହାନ୍ତି। ବିଶେଷ କରି ଚାଷ ଜମିରେ ତଳି ନଷ୍ଟ ହୋଇ ଯାଇଥିବା ବେଳେ ଆଉ ବିହନ ମିଳୁନି। ଅନ୍ୟପଟେ ସରକାରୀ ବିହନ ମିଳୁ ନଥିବା ବେଳେ ଲୋକେ ବାହାରୁ ଚଢ଼ା ଦରରେ ବିହନ କିଣିବାକୁ ବାଧ୍ୟ ହେଉଛନ୍ତି। ସେହିପରି ବୁଣା ଧାନ ବି ନଷ୍ଟ ହୋଇ ଯାଇଥିବା ଆଶଙ୍କା କରାଯାଉଛି। ଏପରି ସମୟରେ ଚାଷୀଙ୍କ ଚିନ୍ତା ବଢ଼ି ଯାଇଛି। ଅନୁରୂପ ଭାବେ ନଈକୂଳରେ ପରିବା ଚାଷ ଉଜୁଡ଼ି ଯାଇଛି। ଏଥିପ୍ରତି ସରକାର ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଚାଷ କୂଳ ଅନୁରୋଧ କରିଛନ୍ତି।


