ଏଆଇକେକେଏମଏସ ପକ୍ଷରୁ ପ୍ରତିବାଦ ଦିବସ ପାଳନ
ନାଉଗାଁ,(ଓ୍ବାଇଏନଏସ): ଭାରତ ଆମେରିକା ମଧ୍ୟରେ ହୋଇଥିବା ବାଣିଜ୍ୟ ଚୁକ୍ତିକୁ ବାତିଲ ଦାବିରେ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ସର୍ବଭାରତୀୟ ପ୍ରତିବାଦ ଦିବସ ପାଳନ କରାଯାଇଛି। ଏହି ଅବସରରେ ନାଉଗାଁ ବ୍ଳକରେ ଅଲ ଇଣ୍ଡିଆ କିଷାନ କ୍ଷେତ ମଜଦୁର ସଙ୍ଗଠନ (ଏଆଇକେକେଏମଏସ) ପକ୍ଷରୁ ତହସିଲଦାର ଅକ୍ଷୟ ବଡୁଙ୍କ ଜରିଆରେ ୮ଦଫା ଦାବି ସମ୍ବଳିତ ଏକ ସ୍ମାରକପତ୍ର ଜଗତସିଂହପୁର ଜିଲାପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି। ଦାବି ଗୁଡିକ ମଧ୍ୟରେ ରହିଛି ଭାରତ ଆମେରିକା ବାଣିଜ୍ୟ ଚୁକ୍ତି ବାତିଲ, ପ୍ରତି ବ୍ଳକରେ ଗୋଶାଳା ନିର୍ମାଣ କରି ଷଣ୍ଢମାନଙ୍କୁ ରଖିବା ସହ ଆବଶ୍ୟକୀୟ ଖାଦ୍ୟ ,ପାନୀୟ ବ୍ୟବସ୍ଥା କରିବା , ଲଗାଣ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀ ଓ ଭାଗ ଚାଷୀଙ୍କୁ ମାଗଣାରେ ବିହନ ଯୋଗାଣ, ତିରୁଣା-ଦେଓପଡା ରାସ୍ତାକୁ ଗମନାଗମନ ସୁବିଧା କରିବା, ପ୍ରତି ବ୍ଳକରେ ସରକାରୀ ଶୀତଳ ଭଣ୍ଡାର ଖୋଲିବା, ୬୦ ବର୍ଷରୁ ଉର୍ଦ୍ଧ୍ୱ ଚାଷୀଙ୍କୁ ମାସିକ ୧୦ ହଜାର ପେନସନ ଆଦି ପ୍ରଦାନ, ଭିବି ଜୀ ରାମଜୀ ଯୋଜନା ବାତିଲ କରି ମନରେଗା ଯୋଜନାକୁ କାର୍ଯ୍ୟକାରୀ କରିବା, ରିହାତି ଦରରେ ଚାଷୀକୁ ବିହନ ,ସାର, କୃଷି ଯନ୍ତ୍ରପାତି, କୀଟନାଶକ ଔଷଧ ଆଦି ଯୋଗାଇ ଦେବା ଆଦି ଦାବି ରହିଛି। ଏହି ଦାବିପତ୍ରକୁ କମ୍ରେଡ ସୁବାସ ସ୍ୱାଇଁ, ବଂଶୀଧର ବେହେରା,ମହେଶ୍ୱର ଦାସ,ବସନ୍ତୀ ମଲିକ ଆଦି ପ୍ରଦାନ କରିଥିଲେ।


