ଭୁସୁଡ଼ିଲା ବାଲିବରେଇ ଆର.ଡି ରାସ୍ତାର ବାଞ୍ଛା ପୋଲ, ଯାତାୟାତ ବାଧାପ୍ରାପ୍ତ

ହାଟଡିହି  (ଓ୍ବାଇଏନଏସ): ଲଗାଣ ବର୍ଷାରେ ହାଟଡିହି ବ୍ଲକ ବାଲିବରେଇ ଗାଁ ନିକଟରେ ଥିବା ବାଞ୍ଛା ପୋଲଟି ଭୁସୁଡ଼ି ଯାଇଛି । ଫଳରେ ଚାରୋଟି ଜିଲ୍ଲାକୁ ସଂଯୋଗ କରୁଥିବା ବିଦ୍ୟାଧରପୁର – ମହୁଲପଙ୍ଖା ରାସ୍ତା ବିଛିନ୍ନ ହୋଇ ପଡିଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାଇ ୧୯୭୦ ମସିହାର ଏହି ପୁରୁଣା ପୋଲଟି ନିର୍ମାଣ ହୋଇଥିବା ବେଳେ ୧୯୯୯ ମହାବାତ୍ୟା ଠାରୁ ଏହା ବିପଦ ସଂକୁଳ ଅବସ୍ଥାରେ ଥିଲା। ଏହି ପୋଲ ଉପର ଦେଇ ଯାତ୍ରୀବାହୀ ବସ, ଟ୍ରକ ଓ ଭାରୀଯାନ ଚଳାଚଳ କରୁଥିଲା। ଏହି ରାସ୍ତାଟି  ବାଲେଶ୍ୱର, ଭଦ୍ରକ ଓ ମୟୁରଭଞ୍ଜ ଜିଲ୍ଲାକୁ ସଂଯୋଗ କରୁଥିବା ବେଳେ ଏହି ରାସ୍ତା ଉପରେ ହାଟଡିହି ବ୍ଲକର ପଢିଆରିପଲ୍ଲୀ, ବାଲିବରେଇ, ସୋସୋ, ଧନୁର୍ଜୟପୁର, ବାଙ୍ଗୋର ଆଦି ୫ଟି ପଞ୍ଚାୟତର ଲୋକମାନେ ଯାତାୟାତ କରିଥାନ୍ତି। ପୋଲଟି ଦୀର୍ଘଦିନ ହେଲା ଦୁର୍ବଳ ହୋଇଯାଇ ଥିବାରୁ କେତେବେଳେ ଯେ ଭୁଶୁଡି ପଡିବ ସେନେଇ ଆଶଙ୍କାରେ ଥିଲେ ଲୋକେ। ଏନେଇ ସ୍ଥାନୀୟ ଲୋକମାନେ ଅନେକ ଦାବି କରିଥିବା ବେଳେ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ ଏନେଇ ଜିଲ୍ଲାପରିଷଦ ବୈଠକରେ ଓ ପଞ୍ଚାୟତ ସମିତି ବୈଠକରେ ଦାବି ଉପସ୍ଥାପିତ କରି ଗ୍ରାମ୍ୟ ଉନ୍ନୟନ ବିଭାଗର ଦୃଷ୍ଟି ଆକର୍ଷଣ କରିଥିଲେ। କିନ୍ତୁ ବିଭାଗୀୟ କର୍ତ୍ତୃପକ୍ଷ ଏହାକୁ ଗୁରୁତ୍ୱ ନଦେଇ ରାସ୍ତା ନିର୍ମାଣ ନାଁ ରେ କୋଟି କୋଟି ଖର୍ଚ୍ଚ କରି ଗତ ବର୍ଷ ପିଚୁରାସ୍ତା ନିର୍ମାଣ କରିଥିବା ବେଳେ ପୋଲ କରିନଥିଲା। ଫଳରେ ଗତକାଲି ରାତିରେ ଲଗାଣ ବର୍ଷା ହେବା ଫଳରେ ବିଳମ୍ବିତ ରାତିରେ ପୋଲଟି ଭୁଶୁଡି ପଡିଛି। ଯାହାଦ୍ୱାରା ଆଜି ସ୍କୁଲ କଲେଜ ଛାତ୍ରଛାତ୍ରୀ ମାନେ ଯାତାୟାତ ରେ ନାହିଁ ନଥିବା ଅସୁବିଧା ଭୋଗିଛନ୍ତି। ଏପରିକି ଲୋକମାନେ ୩ କିଲୋମିଟର ବାଟ ବୁଲି ବୁଲି ବିଦ୍ୟାଧରପୁର ବଜାରକୁ ଆସିଛନ୍ତି। ଖବର ପାଇ ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ ରଜତ କୁମାର ସେଠୀ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହିତ ତୁରନ୍ତ ପୋଲ ନିର୍ମାଣ ପାଇଁ ପଦକ୍ଷେପ ନିଆ ଯାଉଛି ବୋଲି କହିଛନ୍ତି। ଯଦି ପ୍ରଶାସନ ତୁରନ୍ତ ପୋଲ ନିର୍ମାଣ ନକଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ରକ୍ଷାକର ଜେନା, ତନ୍ମୟ କୁମାର ପହି, ଗୋପାଳ କୃଷ୍ଣ ମହାନ୍ତି, ପ୍ରତାପ ରାଉତ, ଜଳଧର ଦିଅ, ବିଶେଶ୍ୱର ପହି, ରଙ୍ଗାଧର ସାହୁ, ପ୍ରମୁଖ ଚେତାବନୀ ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ