ଦଳିତ ମହିଳା ଖାଉଟି ସାମଗ୍ରୀରୁ ବଞ୍ଚିତ
କେନ୍ଦ୍ରାପଡ଼ା,(ଓ୍ବାଇଏନଏସ) :ଜଣେ ଦଳିତ ବର୍ଗର ମହିଳାଙ୍କୁ ଖାଉଟି ସାମଗ୍ରୀ ପ୍ରଦାନରୁ ବଞ୍ଚିତ କରାଯାଇଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି। କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକ ଅଧିନ ବାରିମୂଳ ଗ୍ରାମପଞ୍ଚାୟତର ଖଣ୍ଡସାହି ଗ୍ରାମର ଗୈାତ୍ତମ ମଳିକଙ୍କ ପତ୍ନୀ ଭଗବତୀ ମଳିକ ଅଭିଯୋଗ କରିଛନ୍ତି ଯେ ତାଙ୍କ ନାମରେ ରାସନକାର୍ଡ ରହିଛି। କିନ୍ତୁ ଖାଉଟି ଡିଲର କିଛିମାସ ହେବ ତାଙ୍କ ଫିଙ୍ଗର ପ୍ରିଣ୍ଟ ନେଉଥିଲେ ମଧ୍ୟ ଖାଉଟି ସାମଗ୍ରୀ ଅର୍ଥାତ ଚାଉଳ ତାଙ୍କୁ ଦେଉନାହାନ୍ତି। ଏସମ୍ପର୍କରେ ସେ ଡେରାବିଶ ବ୍ଲକରେ ହୋଇଥିବା ଜନ ଶୁଣାଣି ଶିବିରରେ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ। ତା’ପରେ ସେହି ବ୍ଲକର ମାର୍କେଟିଂ ଇନସପେକ୍ଟର ତାଙ୍କ ଘରକୁ ଯାଇ ତାଙ୍କୁ ଧମକାଇ ଏକ କାଗଜରେ ତାଙ୍କ ଠାରୁ ଦସ୍ତଖତ ନେଇଆସିଥିଲେ। ଏହାପରେ ଡିଲର ଆଉ ତାଙ୍କୁ ଖାଉଟି ସାମଗ୍ରୀ ଦେଉନାହିଁ। ତାଙ୍କ ସ୍ୱାମୀ ଓ ସେ ନିଜେ ଦିନମଜୁରିଆ ହୋଇଥିବାରୁ ଏହି ରାସନ ଚାଉଳ ଉପରେ ନିର୍ଭର କରି ସେମାନେ ଚଳିଥାନ୍ତି। କିନ୍ତୁ ସେଥିରୁ ସେମାନଙ୍କୁ ବଞ୍ଚିତ କରାଯାଇଥିବାରୁ ବହୁ ଦୁଃଖ କଷ୍ଟରେ ସେମାନେ କାଳାତିପାତ କରୁଥିବା କହିଛନ୍ତି। ତେଣୁ ଯଥା ଶୀଘ୍ର ତାଙ୍କ ବକେୟା ରାସନ ସାମଗ୍ରୀ ତାଙ୍କୁ ପ୍ରଦାନ କରାଯିବାକୁ ସେ ଜିଲ୍ଲାପାଳଙ୍କ ଉଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ନବକ୍ରିଷ୍ଣ ଜେନାଙ୍କୁ ଏକ ଲିଖିତ ଅଭିଯୋଗ ପ୍ରଦାନ କରି ନିବେଦନ କରିଛନ୍ତି। ଏହି ଅଭିଯୋଗର ନକଲ ମୁଖ୍ୟମନ୍ତ୍ରୀ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଶାସନ ସଚିବଙ୍କୁ ପ୍ରଦାନ କରିଥିବା ସୂଚନା ଦେଇଛନ୍ତି।


