ଗଞ୍ଜେଇ ବୋଝେଇ କାର ଜବତ : ୨ ଗିରଫ
ଦିଗପହଣ୍ଡି, (ଅଳକ ନାଥ ମିଶ୍ର) ଗଞ୍ଜାମ ଜିଲ୍ଲା ପାଟପୁର ପୋଲିସ ଗୁରୁବାର ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଗଜପତି ଜିଲ୍ଲା ଆର୍. ଉଦୟଗିରି ଥାନା ଡାଳିମ୍ବ ପୁର ଗ୍ରାମର ଦେଫାତ ମଣ୍ଡଳ(୨୭) ଏବଂ ବୁରିପଦର ଗ୍ରାମର ଆଶିଷ କୁମାର ଗମାଙ୍ଗ(୨୫) ଙ୍କୁ ବ୍ରହ୍ମପୁର ଜିଲା ଦୌରା ଜଜ କୋର୍ଟ କୁ ଚାଲାଣ କରିଛନ୍ତି।ଥାନା ମାମଲା ନଂ.୨୧୦/୨୬ ଅନୁଯାୟୀ ଜାମିନ ଆବେଦନ ନାମଞ୍ଜୁର ହେବାରୁ ଅଭିଯୁକ୍ତ ଦ୍ବୟ ଙ୍କୁ ବ୍ରହ୍ମପୁର ଜେଲ ହାଜତକୁ ପଠାଇ ଦିଆଯାଇଛି । ଗୁରୁବାର ଅପରାହ୍ନରେ ପାଟପୁର ଥାନା ଏସ.ଆଇ ତ୍ରିନାଥ ଭୋଇ ଏବଂ ପୋଡ଼ାମାରି ଫାଣ୍ଡି ଅଧିକାରୀ ପ୍ରଭାତ କୁମାର ବାଲିକାନା ସଦଳବଳେ ତପ୍ତପାଣି, ଟି.ଗୋବିନ୍ଦପୁର, ପୋଡ଼ାମାରି ଇଲାକାରେ ସାନ୍ଧ୍ୟ କାଳୀନ ପାଟ୍ରୋଲିଂ କରିବା ସହ ରାସ୍ତାରେ ଯା ଆସ କରୁଥିବା ଗାଡ଼ି ମୋଟର ଖାନ ତଲାସ କରୁଥିବା ବେଳେ ଗଜପତି ଜିଲ୍ଲା ରୁ ବ୍ରହ୍ମପୁର ଅଭିମୁଖେ ଦ୍ରୁତ ଗତି ରେ ଆସୁଥିବା ଏକ ନୂଆ ଧଳା ରଙ୍ଗର ହୁଣ୍ଡାଇ କାର (ନଂ. ଓଡ଼ି୦୨ ଡିକେ -୩୯୭୬) ଟିକୁ ଅଟକାଇ ସାକ୍ଷ୍ୟ ମାନଙ୍କ ଉପସ୍ଥିତିରେ ଖାନ ତଲାସି କରିବାରୁ ସେଥିରେ ଗଞ୍ଜେଇ ଥିବା ଜଣାପଡିଥିଲା। ପରେ ଦିଗପହଣ୍ଡି ଅତିରିକ୍ତ ତହସିଲଦାର ତଥା ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ଆଶିଷ କୁମାର ନାୟକ ଙ୍କ ଉପସ୍ଥିତିରେ ଗଞ୍ଜେଇ ଜବତ କରାଯାଇ ଓଜନ କରିବାରୁ ତାହା ୪୦ କେଜି ୫ ଶହ ଗ୍ରାମ ହୋଇଥିଲା। ଏନେଇ ଥାନା ଏସଆଇ ତ୍ରିନାଥ ଭୋଇ ଏତଲା ଦେବା ପରେ ଆଇଆଇସି ଦୀପ୍ତି ରଞ୍ଜନ ବେହେରା ମାମଲା ନଂ.୨୧୦/୨୬ ଅନୁଯାୟୀ ଅଭିଯୁକ୍ତ ଦ୍ବୟ ଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଥିଲେ।ତଦନ୍ତକାରୀ ଅଧିକାରୀ ଆଇଆଇସି ଙ୍କ ସୂଚନା ପ୍ରକାରେ ରୀତିମତ ଗଜପତି ଜିଲ୍ଲା ର ବିଭିନ୍ନ ଗ୍ରାମାଞ୍ଚଳ ମାନଙ୍କରୁ ଗଞ୍ଜେଇ ବ୍ରହ୍ମପୁର ଅଭିମୁଖେ ଚାଲାଣ ହେଉଛି। ପାଟପୁର ଥାନା ପକ୍ଷରୁ ଏକ ସ୍ବତନ୍ତ୍ର ଟାସ୍କ ଫୋର୍ସ ଗଠନ କରାଯାଇ ଗଞ୍ଜେଇ, ମଦ ଚୋରା ଚାଲାଣ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା କହିଛନ୍ତି।


