ଆରପାରିରେ ଶତାୟୁ ସ୍ୱାଧୀନତା ସଂଗ୍ରାମୀ ବିମ୍ବାଧର ମୁଦୁଲି
କଟକ, (ଓ୍ବାଇଏନଏସ): ବିଶିଷ୍ଟ ଶତାୟୁ ସ୍ୱାଧୀନତା ସଂଗ୍ରାମୀ ତଥା ରାଜ୍ୟ ସ୍ୱାଧୀନତା ସଂଗ୍ରାମୀ ସମିତିର ସଭାପତି ବିମ୍ବାଧର ମୁଦୁଲିଙ୍କର ପରଲୋକ ହୋଇଯାଇଛି । କଟକ ଏସ.ସି.ବି. ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୧୦୨ ବର୍ଷ ବୟସ ହୋଇଥିଲା । ତାଙ୍କର ବିୟୋଗ ଖବର ଶୁଣି ବିଜେପିର ବରିଷ୍ଠ ନେତା ତଥା ଚୌଦ୍ୱାର କଟକର ପୂର୍ବତନ ବିଧାୟକ ଡ଼ଃ ପ୍ରଭାତ ରଞ୍ଜନ ବିଶ୍ୱାଳ, କଟକ ମେୟର ସୁବାସ ସିଂ ଓ ବହୂ ମାନ୍ୟଗଣ୍ୟ ବ୍ୟକ୍ତି କଟକ ଏସସିବି ମେଡ଼ିକାଲରେ ପହଞ୍ଚି ସ୍ୱାଧୀନତା ସଂଗ୍ରାମୀ ବିମ୍ବାଧର ମୁଦୁଲିଙ୍କ ମର ଶରୀରରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ। ସୂଚନାଯୋଗ୍ୟ ଯେ, ସ୍ୱର୍ଗତ ମୁଦୁଲି କେନ୍ଦ୍ରାପଡ଼ା ଜିଲ୍ଲାର ଜଣେ ମୂଳ ବାସିନ୍ଦା ଥିଲେ । ଦେଶର ସ୍ୱାଧୀନତା ସଂଗ୍ରାମରେ ତାଙ୍କର ଅତୁଳନୀୟ ଅବଦାନ ରହିଥିଲା । ନିକଟରେ ସେ ରାଜ୍ୟ ସ୍ୱାଧୀନତା ସଂଗ୍ରାମୀ ସମିତିର ସଭାପତି ଭାବେ ନିର୍ବାଚିତ ହୋଇ କାର୍ଯ୍ୟ କରୁଥିଲେ । ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳ ସମେତ ସମଗ୍ର ରାଜ୍ୟରେ ଶୋକର ଛାୟା ଖେଳିଯାଇଛି । ବିଭିନ୍ନ ମହଲରୁ ତାଙ୍କ ଅମର ଆତ୍ମାର ସଦଗତି କାମନା କରାଯିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଯାଇଛି ।


