ପାଣି ଘେରରେ ୧୫ ପରିବାର, ସ୍କୁଲ ଯାଇ ପାରୁ ନାହାନ୍ତି ଛାତ୍ରଛାତ୍ରୀ
ହାଟଡିହି (ଓ୍ବାଇଏନଏସ): ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ହାଟଡିହି ବ୍ଲକ ବଡରମ୍ପାସ ପଞ୍ଚାୟତ ସଡ଼ଙ୍ଗା ଗ୍ରାମର ନୂଆସାହିରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଆଜକୁ ୧୦ଦିନ ହେବ ୧୫ରୁ ଉର୍ଦ୍ଧ ପରିବାର ପାଣି ଘେରରେ ରହିଥିବା ବେଳେ ଛାତ୍ରଛାତ୍ରୀ ମାନେ ସ୍କୁଲ କି ଅଙ୍ଗନବାଡି ଯାଇ ପାରୁ ନାହାନ୍ତି। ଏପରିକି ସାହି ଭିତରକୁ ଆମ୍ବୁଲାନ୍ସ ଟିଏ ମଧ୍ୟ ଯାଇ ପାରୁନି। ସାହିରେ ତିନି ଚାରି ଜଣ ଗର୍ଭବତୀ ମହିଳା ଥିବାବେଳେ ସେମାନଙ୍କୁ ଡାକ୍ତରଖାନା ନେବାରେ ଅସୁବିଧା ଉପୁଜୁଛି ବୋଲି ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି। ସେମାନଙ୍କ ଅଭିଯୋଗ ଯେ ଗତ ୧୫ ଦିନ ହେଲା ବର୍ଷା ଲାଗି ରହୁଥିବାରୁ ଆମ ସାହିରେ ଜଳ ନିଷ୍କାସନ ହୋଇ ପାରୁନି। କିଛି ବ୍ୟକ୍ତି ଜଳ ନିଷ୍କାସନର ବାଟ ବନ୍ଦ କରିଦେଇ ଥିବାରୁ ଏପରି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଘର ମାନଙ୍କରେ ପାଣି ପଶିଥିବା ବେଳେ ରୋଷେଇ ବାସ କରି ହେଉନି। ପାଣିରେ ପସି ଯିବା ଆସିବା କାରିବା ଦ୍ୱାରା ଥଣ୍ଡା, ଜ୍ୱର ଓ କାଶ ରୋଗରେ ଅନେକ ଲୋକ ପୀଡିତ ହୋଇଛନ୍ତି। ବାରମ୍ବାର ଏନେଇ ପ୍ରଶାସନ କୁ ଗୁହାରି କରୁଥିଲେ ବି କେହି ଆମ କଥା ଶୁଣୁ ନାହାନ୍ତି ବୋଲି ନିତ୍ୟାନନ୍ଦ ବେହେରା, ରାଧୁମଣି ବେହେରା, ଚନ୍ଦନ ପରିଡା, ଶାନ୍ତନୁ ବେହେରା, ଆନନ୍ଦ ବେହେରା, ନୃସିଂହ ବେହେରା, ସାଗର ବେହେରା, ମଧୁସୂଦନ ସେଠୀ, ଜୟନ୍ତୀ ବେହେରା, ଗଣନାଥ ପାତ୍ର, ପ୍ରମୁଖ ଅଭିଯୋଗ କରିଛନ୍ତି। ଯଦି ପ୍ରଶାସନ ଏଥିପ୍ରତି ଗୁରୁତ୍ୱ ନଦିଏ ତେବେ ସୋମବାର ଦିନ ତହସିଲ କାର୍ଯ୍ୟାଳୟ ଘେରାଉ କରିବୁ ବୋଲି ସେମାନେ ଚେତାବନୀ ଦେଇଛନ୍ତି।


