ଆଭୂଷଣ ପ୍ରିୟ ଆମ କଳାଦିଅଁ


ଅଧ୍ୟାପକ ହେମନ୍ତ କୁମାର ଗନ୍ତାୟତ

ପ୍ରାଣ ସଜନୀ ଲୋ !
ଦେଖ, ଚତୁର୍ଦ୍ଧା ମୂରତି ବେଶ
ସେବକ ସାଥିରେ ରଥେ ବସିଛନ୍ତି
ଝଲସଇ ଅଙ୍ଗ ଦେଶ
ପ୍ରାଣ ସଜନୀ ଲୋ !
ଦେଖ, ଚତୁର୍ଦ୍ଧା ମୂରତି ବେଶ ।
ହରିଶୟନ ଏକାଦଶୀ ଆଜି
ହୋଇଛନ୍ତି ସୁନାବେଶ
ମହଣ ମହଣ ସୁବର୍ଣ୍ଣ ନାଇଣ
ଭକ୍ତକୁ କରନ୍ତି ବଶ
ପ୍ରାଣ ସଜନୀ ଲୋ !
ଦେଖ, ଚତୁର୍ଦ୍ଧା ମୂରତି ବେଶ ।

ରେବତୀ ରମଣ ପ୍ରଭୁ ଶଙ୍କର୍ଷଣ
ବସିଛନ୍ତି ତାଳଧ୍ଵଜେ
ସୁବର୍ଣ୍ଣ ପୟର ହଳ ଯେ ମୂଷଳ
ଧରିଛନ୍ତି ବେନି ଭୁଜେ
ପ୍ରାଣ ସଜନୀ ଲୋ !
ଦେଖ, ଚତୁର୍ଦ୍ଧା ମୂରତି ବେଶ ।

କର୍ଣ୍ଣରେ କୁଣ୍ଡଳ ଶିରରେ କିରୀଟ
ତିଳକ ଚନ୍ଦ୍ରିକା ମୁଖେ
ଗଳାରେ ଘାଗଡ଼ା କଦମ୍ବର ମାଳି
କେତେ ମାଳି ଆଖେ ପାଖେ
ପ୍ରାଣ ସଜନୀ ଲୋ !
ଦେଖ, ଚତୁର୍ଦ୍ଧା ମୂରତି ବେଶ ।

ଆଭୂଷଣ ପ୍ରିୟ ଆମ କଳାଦିଅଁ
ନନ୍ଦିଘୋଷେ ହସୁଅଛି
ଶ୍ରୀପୟର ଭୁଜ କମରରେ ପଟି
ଝୋବାକଣ୍ଠି ଲମ୍ବାଇଛି
ପ୍ରାଣ ସଜନୀ ଲୋ !
ଦେଖ, ଚତୁର୍ଦ୍ଧା ମୂରତି ବେଶ ।

ଚକ୍ର ରୁପା ଶଙ୍ଖ ହାତରେ ଧରିଛି
ଓଢିଆଣୀ ଆଭୂଷିତ
ସୁବର୍ଣ୍ଣ ମୁକୁଟ ମଥାରେ ବାନ୍ଧିଛି
ପିନ୍ଧିଛି ତାବିଜ ସେ’ତ
ପ୍ରାଣ ସଜନୀ ଲୋ !
ଦେଖ, ଚତୁର୍ଦ୍ଧା ମୂରତି ବେଶ ।

ହରିଦ୍ରା ବଦନୀ ଦେବକୀ ନନ୍ଦିନୀ
ସୁଭଦ୍ରା ଶକ୍ତି ସ୍ୱରୂପା
ଦେବଦଳନରେ ଆସୀନା ହୋଇଛି
ଦିଶଇ ସେ’ ଅପରୂପା
ପ୍ରାଣ ସଜନୀ ଲୋ !
ଦେଖ, ଚତୁର୍ଦ୍ଧା ମୂରତି ବେଶ ।

କଦମ୍ବ ସେବତୀ ତଗଡ଼ି ଦୁଇଟି
ଚନ୍ଦ୍ରସୂର୍ଯ୍ୟ ଓଢ଼ିଆଣୀ
ମୁଣ୍ଡରେ କିରୀଟ ଗଳାରେ ଘାଗଡ଼ା
ହୋଇଛି ମାଆ ମଣ୍ଡଣି
ପ୍ରାଣ ସଜନୀ ଲୋ !
ଦେଖ, ଚତୁର୍ଦ୍ଧା ମୂରତି ବେଶ ।

ବରିଷ୍ଠ ଦର୍ଶନ ଅଧ୍ୟାପକ
ଆସିକା, ଗଞ୍ଜାମ।
୯୮୬୧୩୩୪୮୬୮

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ