ଅକ୍ସିଜେନ୍‌ ନ ମିଳିବାରୁ ରୋଗୀ ମୃତ୍ୟୁ ଅଭିଯୋଗ, ସ୍ୱାସ୍ଥ୍ୟ ସଚିବଙ୍କୁ ଏନ୍‌ଏଚ୍‌ଆର୍‌ସିଙ୍କ ନୋଟିସ୍‌

କଟକ, (ଓ୍ବାଇଏନଏସ): ଏସ୍‌ସିବି ମେଡିକାଲ୍‌ରେ ଅକ୍ସିଜେନ୍ ନ ମିଳିବାରୁ ଜଣେ ରୋଗୀଙ୍କ ମୃତ୍ୟୁ ହେବା ଘଟଣାରେ ଜାତୀୟ ମାନବାଧିକାର କମିଶନ (ଏନ୍ଏଚ୍ଆରସି) ରାଜ୍ୟ ସ୍ୱାସ୍ଥ୍ୟ ସଚିବଙ୍କୁ ନୋଟିସ୍ କରି ରିପୋର୍ଟ ତଲବ କରିଛନ୍ତି । ଏହି ଘଟଣାରେ କି’ ପଦକ୍ଷେପ ଗ୍ରହଣ କରାଯାଇଛି ସେ ସଂକ୍ରାନ୍ତରେ ଚାରି ସପ୍ତାହ ମଧ୍ୟରେ ଜବାବ ରଖିବାକୁ ସ୍ୱାସ୍ଥ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।ଆଇନଜୀବୀ ତଥା ମାନବାଧିକାର କର୍ମୀ ଅନୁପ କୁମାର ପାତ୍ର ଦାଖଲ କରିଥିବା ପିଟିସନ୍‌ରେ ଦର୍ଶାଇଛନ୍ତି ଯେ, ଭୁବନେଶ୍ୱର ପୋଖରୀପୁଟ ଅଞ୍ଚଳର ରତ୍ନମଞ୍ଜରୀ ମିଶ୍ରଙ୍କ ସ୍ୱାମୀ ରାମକୃଷ୍ଣ ମିଶ୍ର ଏସସିବି ର ନେଫ୍ରୋଲୋଜି ବିଭାଗରେ ଆଡମିସନ୍ ହୋଇଥିଲେ । ଗତ ମାର୍ଚ୍ଚ ୨୫ ତାରିଖ ରାତିରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ବିଗିଡ଼ି ଯାଇଥିଲା । ସେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ । ପରିବାର ଲୋକେ ଏ ସଂକ୍ରାନ୍ତରେ ସେଠାରେ ଉପସ୍ଥିତ ଥିବା ମେଡିକାଲ କର୍ମଚାରୀଙ୍କୁ ଜଣାଇଥିଲେ । ଏକ ଅକ୍ସିଜେନ୍ ସିଲିଣ୍ଡର ନେଇ କର୍ମଚାରୀମାନେ ଆସିଥିଲେ ମଧ୍ୟ ତାହା ଖାଲି ଥିବା ଜଣାପଡ଼ିଥିଲା । ଆଉ ଏକ ସିଲିଣ୍ଡର ଆସିଲାବେଳକୁ ରାମକୃଷ୍ଣଙ୍କ ଦେହାନ୍ତ ହୋଇଯାଇଥିଲା । ଏହି ଘଟଣାକୁ ନେଇ ମେଡିକାଲରେ ଉତ୍ତେଜନା ପ୍ରକାଶ ପାଇଥିଲା । ଆବେଦନକାରୀ ଶ୍ରୀ ପାତ୍ର ଏହି ଘଟଣାର ନିରପେକ୍ଷ ତଦନ୍ତ ଓ ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ପାଇଁ ପ୍ରାର୍ଥନା କରିଛନ୍ତି । କମିସନ୍ ଏହି ଅଭିଯୋଗକୁ ଗ୍ରହଣ କରି ରାଜ୍ୟ ସ୍ୱାସ୍ଥ୍ୟ ସଚିବଙ୍କୁ ରିପୋର୍ଟ ତଲବ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ