ବିଶ୍ୱ ହେନ୍ତାଳ ଦିବସ
କାକଟପୁର /ଅସ୍ତରଙ୍ଗ, (ଶୁଭାଶିଷ ଖଣ୍ଡୁଆଳ) : ବାତ୍ୟା ଆସୁ, ସୁନାମୀ ଆସୁ ଓଡ଼ିଶା ଉପକୂଳର ପ୍ରଥମ ରକ୍ଷକ ହେଉଛି ହେନ୍ତାଳ ବଣ। ଏହି ଲୁଣା ଜଙ୍ଗଲ ହିଁ ବାରମ୍ବାର ଆମକୁ ମୃତ୍ୟୁର କବଳରୁ ଟାଣି ଆଣିଛି । ତେଣୁ ବିଶ୍ୱ ହେନ୍ତାଳ ଦିବସରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ମାଟିରୁ ଆସୁଛି ଏକ ନୂଆ ସଂକଳ୍ପ – ୨୦୩୦ ସୁଦ୍ଧା ଏକ ମିଲିୟନ୍ ହେନ୍ତାଳ । ହେନ୍ତାଳ ହେଉଛି ପ୍ରକୃତିର ଦିଆଯାଇଥିବା ସବୁଠୁ ବଡ ବାତ୍ୟା କବଚ। ଏହା ଝଡ଼ର ବେଗକୁ ୭୦% ପର୍ଯ୍ୟନ୍ତ କମ୍ କରିଦିଏ। ସମୁଦ୍ର କ୍ଷୟରୁ କୂଳ ମାଟିକୁ ରକ୍ଷା କରେ। ଗୋଟିଏ ହେନ୍ତାଳ ଗଛର ଚେର ୫ ମିଟର ପର୍ଯ୍ୟନ୍ତ ମାଟିକୁ ବାନ୍ଧି ରଖେ। ସାଧାରଣ ଜଙ୍ଗଲ ତୁଳନାରେ ଏହା ୪ ଗୁଣ ଅଧିକ କାର୍ବନ ଶୋଷେ। ମାଛ, କଙ୍କଡା ଓ ହଜାର ଜୀବଜନ୍ତୁଙ୍କ ପାଇଁ ଏହା ହିଁ ପ୍ରଜନନ କ୍ଷେତ୍ର। ଅର୍ଥାତ୍ ଲକ୍ଷ ଲକ୍ଷ ମତ୍ସ୍ୟଜୀବୀଙ୍କ ରୋଜଗାରର ଆଧାର। ସରକାରୀ ଯୋଜନା ଯେତେବେଳେ ଫାଇଲ୍ ରେ ବନ୍ଦ, ସେତେବେଳେ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକରେ ଓଡ଼ିଶା ପର୍ଯ୍ୟାବରଣ ସଂରକ୍ଷଣ ଅଭିଯାନ ବାସ୍ତବରେ କ୍ରାନ୍ତି ଆଣୁଛି। ଗତ କିଛି ବର୍ଷ ହେଲା ଅସ୍ତରଙ୍ଗ, ଝାଡଲିଙ୍ଗ, ନୂଆଗଡ଼ ଓ ଛୁରିଆନା ସମେତ ସମଗ୍ର ଉପକୂଳରେ ଏକ ବ୍ୟାପକ ହେନ୍ତାଳ ରୋପଣ ଅଭିଯାନ ଚାଲିଛି। ସବୁଠୁ ବଡ କଥା ହେଉଛି – କେବଳ ଗଛ ପୋତା ଯାଉନି, ଗଛ ପାଳନ କରାଯାଉଛି। ଗଛ ପୋତିବା ଆଉ ଗଛ ପାଳିବା ଏହି ଅଭିନବ ମଡେଲରେ ପ୍ରତି ଗୋଟିଏ ଚାରାର ଦାୟିତ୍ୱ ନେଇଛନ୍ତି ଗୋଟିଏ ପରିବାର। ସ୍ଥାନୀୟ ଯୁବକ ଓ ମହିଳା ଗୋଷ୍ଠୀ ହେଉଛନ୍ତି ଏହି ଅଭିଯାନର ମେରୁଦଣ୍ଡ। ସ୍ୱେଚ୍ଛାସେବୀମାନେ ସ୍କୁଲ୍ ପିଲାଙ୍କୁ ନେଇ ଗାଁ ଗାଁ ବୁଲି ସଚେତନତା ସୃଷ୍ଟି କରୁଛନ୍ତି। ହେନ୍ତାଳ କାଟିଲେ ଜରିମାନା ନୁହେଁ, ବରଂ ଯିଏ ନୂଆ ଗଛ ଲଗାଉଛି ତାକୁ ମିଳୁଛି ପୁରସ୍କାର। ଆଜି ଅସ୍ତରଙ୍ଗର ଲୋକ ହେନ୍ତାଳକୁ ସରକାରୀ ସମ୍ପତ୍ତି ଭାବେ ନୁହେଁ, ନିଜର ଘର ପାଚେରୀ ଭାବେ ଦେଖୁଛନ୍ତି। ସ୍ଥାନୀୟ ବାସିନ୍ଦାଙ୍କ କଥା ଓଡ଼ିଶା ପର୍ଯ୍ୟାବରଣ ସଂରକ୍ଷଣ ଅଭିଯାନ ନଥିଲେ ଆମ ଗାଁ ପାଖର ଖାଲି ମାଟି ଆଜି ବି ଖାଲି ପଡି ଥାନ୍ତା । ସେମାନେ ଆମକୁ ଶିଖାଇଲେ ଯେ ହେନ୍ତାଳ ମାନେ ହିଁ ଆମ ଭବିଷ୍ୟତର ସୁରକ୍ଷା କବଚ। ଏନେଇ ନୂଆଗଡ଼ ପଞ୍ଚାୟତର ସରପଞ୍ଚ ଜିତେନ୍ଦ୍ର ସ୍ୱାଇଁ କହିଛନ୍ତି, ହେନ୍ତାଳ ହିଁ ଆମ ଜୀବନ ରେଖା। ଯେତେବେଳେ ସରକାରୀ ବାବୁମାନେ ଫାଇଲ୍ ଖୋଲି ବସିଛନ୍ତି, ଓଡ଼ିଶା ପର୍ଯ୍ୟାବରଣ ସଂରକ୍ଷଣ ଅଭିଯାନ ସେତେବେଳେ ମାଟିରେ ଝାଡୁ ଧରିଛି। ଆମ ପଞ୍ଚାୟତ ତରଫରୁ ପୂର୍ଣ୍ଣ ସହଯୋଗ ରହିବ। ୨୦୩୦ ସୁଦ୍ଧା ଆମେ ଏକ ମିଲିୟନ୍ ହେନ୍ତାଳ ଲଗାଇ ଦେଖାଇବୁ। ବିଶ୍ୱ ହେନ୍ତାଳ ଦିବସରେ ଅଭିଯାନର ଗୋଟିଏ ଦାବି – ସରକାର ଓଡ଼ିଶା ପର୍ଯ୍ୟାବରଣ ସଂରକ୍ଷଣ ଅଭିଯାନ ଭଳି ତୃଣମୂଳ ସଂଗଠନକୁ ଆର୍ଥିକ ଓ ବୈଷୟିକ ସହଯୋଗ ଦିଅନ୍ତୁ। କାରଣ କାଗଜରେ ଟାର୍ଗେଟ୍ ନୁହେଁ, ମାଟିରେ ଗଛ ହିଁ ଆମକୁ ବଞ୍ଚାଇବ ।ହେନ୍ତାଳ ଥିଲେ ଓଡ଼ିଶା ଉପକୂଳ ଥିବ।


