ଦେବଦୀପ ଫାଉଣ୍ଡେସନ ପକ୍ଷରୁ ରେନକୋଟ୍ ବିତରଣ
ବାଲେଶ୍ବର(ସରୋଜ ପଣ୍ଡା): ଆଜି ପବିତ୍ର ନୀଳାଦ୍ରୀ ବିଜେ ଏବଂ ‘ରସଗୋଲା ଦିବସ’ ଅବସରରେ ବାଲେଶ୍ବରର କୋଚେରୀ ହୋତା ପରିସରରେ ସହରର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ଦେବଦୀପ ଫାଉଣ୍ଡେସନ’ ପକ୍ଷରୁ ଏକ ସ୍ବତନ୍ତ୍ର ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସାମାଜିକ ସେବା ଓ ଜନକଲ୍ଯାଣର ବାର୍ତ୍ତାକୁ ଜୀବନ୍ତ ରଖି ଅନୁଷ୍ଠାନ ପକ୍ଷରୁ ବର୍ଷାଋତୁର ପ୍ରତିକୂଳ ପାଗ ଓ ପ୍ରବଳ ବର୍ଷାକୁ ଖାତିର ନକରି ଦିନରାତି ପରିଶ୍ରମ କରୁଥିବା ଆମ ସହରର କର୍ମଠ ମେରୁଦଣ୍ଡ-ଖବରକାଗଜ ହକର, ରିକ୍ସା ଚାଳକ, ଟଲି ରିକ୍ସା ଚାଳକ, କୁଲି, ଫେରିବାଲା ଏବଂ ମୋଟିଆ ଭାଇମାନଙ୍କ ସୁରକ୍ଷା ନିମନ୍ତେ ରେନକୋଟ୍ ବିତରଣ କରାଯାଇଛି। ଫାଉଣ୍ଡେସନର ଅଧ୍ୟକ୍ଷା ଶ୍ରୀମତୀ ରଶ୍ମିରେଖା ନାୟକ ଏବଂ ସଭାପତି ଶ୍ରୀ ଧିରେନ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ରେମୁଣାର ପୂର୍ବତନ ବିଧାୟକ ଶ୍ରୀ ସୁଧାଂଶୁ ଶେଖର ପରିଡ଼ା ଯୋଗଦେଇ ସଂଗଠନର ଏପରି ମହତ୍ କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ। ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ପୂର୍ବତନ ଜିଲ୍ଲା ପରିଷଦ ସଭାପତି ଗିରିଶ ଚନ୍ଦ୍ର ଦାଶ, ପୂର୍ବତନ ନଗରପାଳ ଆଲୋକ ସାହୁ, ପୂର୍ବତନ ଉପ ନଗରପାଳ ରଶ୍ମିରେଖା ଦେବ, ବରିଷ୍ଠ ବିଜେଡି ନେତା ବରୋଦା ପ୍ରସନ୍ନ ପଟ୍ଟନାୟକ, ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ସଂଜୀବ ଗିରି, ଜିଲ୍ଲା କଂଗ୍ରେସ ଉପସଭାପତି ସରୋଜ ଲେଙ୍କା, ରାଜ୍ୟ ମହିଳା କଂଗ୍ରେସ ସମ୍ପାଦିକା ଜ୍ୟୋତ୍ସ୍ନା ସେନାପତି, ଖବରକାଗଜ ହକର ସଂଘ ସଭାପତି ଅରୁଣ କୁମାର ସ୍ବାଇଁ, ‘ସମାଜ’ ବାଲେଶ୍ବର ସଂସ୍କରଣ ମୁଖ୍ୟ ସତ୍ୟବ୍ରତ ଜେନା, ପୂର୍ବତନ ବିଜେଡି ରାଜ୍ୟ ଯୁଗ୍ମ ସମ୍ପାଦକ ସତ୍ୟ ରଂଜନ ଦାସ, ଆଇନଜୀବୀ ସୁଧାଂଶୁ ଶେଖର ଦାସ ଏବଂ ପୂର୍ବତନ ରାଜ୍ୟ ଛାତ୍ର ବିଜେଡି ସମ୍ପାଦକ ବିଭୁଦତ୍ତ ପରିଡ଼ା ପ୍ରମୁଖ ଯୋଗଦେଇ ନିଜ ହାତରେ ହିତାଧିକାରୀମାନଙ୍କୁ ରେନକୋଟ୍ ପ୍ରଦାନ କରିଥିଲେ। ସୂଚନାଯୋଗ୍ୟ ଯେ, ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବର୍ଗର ୧୦୦୦ରୁ ଅଧିକ ଲୋକଙ୍କୁ ରେନକୋଟ୍ ବଣ୍ଟନ କରାଯାଇଥିବା ବେଳେ ବର୍ଷା ଋତୁ ଶେଷ ହେବା ପର୍ଯ୍ୟନ୍ତ ଏହି ସେବା କାର୍ଯ୍ୟ ଜାରି ରହିବ ବୋଲି ଫାଉଣ୍ଡେସନ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ, ଆଜିର ପବିତ୍ର ନୀଳାଦ୍ରୀ ବିଜେ ଓ ବିଶ୍ବପ୍ରସିଦ୍ଧ ‘ରସଗୋଲା ଦିବସ’କୁ ମଧ୍ୟ ଅତି ଆନନ୍ଦ ଓ ଉଲ୍ଲାସର ସହିତ ସ୍ବତନ୍ତ୍ର ଭାବେ ପାଳନ କରାଯାଇଛି। ଉପସ୍ଥିତ ଅତିଥି ଓ ସାଧାରଣ ଜନତାଙ୍କୁ ରସଗୋଲା ବଣ୍ଟନ କରାଯାଇ ମୁହଁ ମିଠା କରାଯାଇଥିଲା। ଏଭଳି ଜନକଲ୍ଯାଣକାରୀ ଓ ସାଂସ୍କୃତିକ କାର୍ଯ୍ୟକୁ ଆଗକୁ ବଢ଼ାଇବା ପାଇଁ ସହରବାସୀଙ୍କ ସହଯୋଗ ଓ ଶୁଭକାମନା ଲୋଡିଛନ୍ତି ଫାଉଣ୍ଡେସନର ସଭାପତି ଶ୍ରୀ ଧିରେନ ନାୟକ।


