ଡାଳଭାଙ୍ଗି ଛିଡିଲା ବିଦ୍ୟୁତ ତାର ,ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ
କେନ୍ଦ୍ରାପଡ଼ା (ଚିତ୍ତ ରଞ୍ଜନ ଦାଶ) :କେନ୍ଦ୍ରାପଡ଼ା ବ୍ଲକ ଅଧିନ ଭାଗବତପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ପୋଇଲୋ ୟୁପି ସ୍କୁଲ ସମ୍ମୁଖରେ ଥିବା ଏକ ବିପଦଜନକ ବରଗଛର ବିଶାଳ ଡାଳ ବୁଧବାର ହଠାତ୍ ଭାଙ୍ଗି ପଡ଼ିବାରୁ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ଡାଳଟି ଭାଙ୍ଗି ବିଦ୍ୟୁତ ତାର ଉପରେ ପଡ଼ିବାରୁ ବିଦ୍ୟୁତ୍ ତାର ମଧ୍ୟ ଛିଣ୍ଡିଯାଇଥିଲା। ଘଟଣାରେ କେତେକ ଛାତ୍ରଛାତ୍ରୀ ଆହତ ହୋଇଥିବାବେଳେ ଏକ ବଡ଼ ଧରଣର ଦୁର୍ଘଟଣା ଅଳ୍ପକେ ଟଳିଯାଇଛି।ଘଟଣା ସମୟରେ ଅଧିକାଂଶ ଛାତ୍ରଛାତ୍ରୀ ଶ୍ରେଣୀଗୃହ ଭିତରେ ପାଠପଢ଼ାରେ ବ୍ୟସ୍ତ ଥିବାରୁ ବହୁ ସଂଖ୍ୟକ ପିଲା ବିପଦରୁ ରକ୍ଷା ପାଇଯାଇଥିଲେ। ଯଦି ସେହି ସମୟରେ ପିଲାମାନେ ସ୍କୁଲ ପରିସର ବାହାରେ କିମ୍ବା ଗଛ ତଳେ ଥାଆନ୍ତେ ତେବେ ଅଘଟଣ ଅଧିକ ଭୟାବହ ହୋଇପାରିଥାନ୍ତା ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି।ଘଟଣା ବେଳେ ସ୍କୁଲର ପାଚିକାଙ୍କ ସହ ସେହି ରାସ୍ତା ଦେଇ ଯାଉଥିବା ସନ୍ଦୀପ ଲେଙ୍କା ଓ ରାହୁଲ ସେଠୀ ସେଠାରେ ଉପସ୍ଥିତ ଥିଲେ। ଜୋରରେ ଡାଳ ଭାଙ୍ଗିବାର ଶବ୍ଦ ଶୁଣି ସେମାନେ ତୁରନ୍ତ ସ୍କୁଲ ଭିତରକୁ ଯାଇ ପାଚିକାଙ୍କ ସହଯୋଗରେ ଭୟଭୀତ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଥିଲେ। ସେମାନଙ୍କ ତତ୍ପରତା ଯୋଗୁଁ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା।ଏହାପରେ ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା। ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚ ି ଭାଙ୍ଗି ପଡ଼ିଥିବା ବିଶାଳ ଡାଳକୁ କାଟି ରାସ୍ତାରୁ ହଟାଇଥିଲେ। ପରେ ବିଦ୍ୟୁତ୍ ବିଭାଗ ମଧ୍ୟ ଛିଣ୍ଡିଯାଇଥିବା ତାରର ମରାମତି କାର୍ଯ୍ୟ ଆରମ୍ଭ କରିଥିଲା।ସୂଚନାଯୋଗ୍ୟ ଯେ ଏହି ବରଗଛର ଡାଳ ପୂର୍ବରୁ ମଧ୍ୟ ଭାଙ୍ଗି ପଡ଼ିଥିଲା। ସେତେବେଳେ ସ୍କୁଲ ଛୁଟି ଥିବାରୁ କୌଣସି ଅଘଟଣ ଘଟିନଥିଲା। ଏହା ପରେ ସ୍ଥାନୀୟ ବାସିନ୍ଦାମାନେ ବିପଦଜନକ ଗଛକୁ କାଟିବା ପାଇଁ କେନ୍ଦ୍ରାପଡା ତହସିଲଦାର ଓ ଭାଗବତପୁର ସର୍କଲର ରାଜସ୍ୱ ନିରୀକ୍ଷକ (ଆର.ଆଇ.)ଙ୍କ ନିକଟରେ ଲିଖିତ ଆବେଦନ କରିଥିଲେ। ମାତ୍ର ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନଥିବାରୁ ଆଜି ପୁଣି ସେହି ଗଛର ଡାଳ ଭାଙ୍ଗି ଅଘଟଣ ଘଟିଛି। ଘଟଣା ପରେ ସ୍କୁଲରେ ଅଭିଭାବକମାନଙ୍କ ଭିଡ଼ ଲାଗିଯାଇଥିଲା। ଅନେକ ଅଭିଭାବକ ନିଜ ନିଜ ପିଲାଙ୍କୁ ସ୍କୁଲରୁ ଘରକୁ ନେଇଯାଇଥିଲେ। ବରଗଛ କଟା ନଯିବା ପର୍ଯ୍ୟନ୍ତ ପିଲାଙ୍କୁ ସ୍କୁଲକୁ ଛାଡ଼ିବେ ନାହିଁ ବୋଲି ସେମାନେ ସ୍ପଷ୍ଟ କରିଛନ୍ତି।ଘଟଣା ପରେ ଗ୍ରାମବାସୀ ଓ ଛାତ୍ରାଭିଭାବକଙ୍କ ପକ୍ଷରୁ ପୁଣିଥରେ କେନ୍ଦ୍ରାପଡା ତହସିଲଦାର ଏବଂ ସ୍ଥାନୀୟ ଆର.ଆଇ.ଙ୍କ ନିକଟରେ ଏସମ୍ପର୍କରେ ଲିଖିତ ଭାବେ ଜଣାଇ ଦିଆଯାଇଛି। ବିପଦଜନକ ଅବସ୍ଥାରେ ଥିବା ବରଗଛ ଟିକୁ ତୁରନ୍ତ କାଟି ଛାତ୍ରଛାତ୍ରୀଙ୍କ ଜୀବନ ସୁରକ୍ଷା ସୁନିଶ୍ଚିତ କରିବା ସହ ଅବହେଳା ପାଇଁ ଦାୟୀ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବାକୁ ସ୍ଥାନୀୟ ବାସିନ୍ଦା ଓ ଅଭିଭାବକମାନେ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି। ଏହି ଘଟଣା ପ୍ରଶାସନର ସଚେତନତା ଓ ବିପଦଜନକ ଗଛ ଚିହ୍ନଟ କରି ସମୟୋପଯୋଗୀ ପଦକ୍ଷେପ ନେବାର ଆବଶ୍ୟକତାକୁ ପୁଣିଥରେ ସାମ୍ନାକୁ ଆଣିଛି। ସମୟ ଥାଉ ଥାଉ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରାନଗଲେ ଭବିଷ୍ୟତରେ ଏପରି ଘଟଣା ଆହୁରି ବଡ଼ ବିପର୍ଯ୍ୟୟକୁ ଡାକିଆଣିବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ।


