ମଦ ଦୋକାନ ପାଇଁ ଫାୟାର ସେଫ୍ଟି ପ୍ରମାଣପତ୍ର ଏନଓସି ବାଧ୍ୟତାମୂଳକ : ଅବକାରୀ କମିସନରଙ୍କ ଆଦେଶକୁ ରଦ୍ଦ କରିଛନ୍ତି ହାଇକୋର୍ଟ

କଟକ,(ଓ୍ବାଇଏନଏସ): ମଦ ଦୋକାନ ପାଇଁ ଫାୟାର ସେଫ୍ଟି ପ୍ରମାଣପତ୍ର ବା ଅଗ୍ନି ନିରାପତ୍ତା ଏନଓସି ବାଧ୍ୟତାମୂଳକ ସଂପର୍କିତ ଅବକାରୀ କମିସନରଙ୍କ ଆଦେଶକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ଓଡ଼ିଶା ଅଗ୍ନି ନିରାପତ୍ତା ସଂଶୋଧିତ ନିୟମାବଳୀ, ୨୦୧୯ର ନିୟମ ଅନୁସା‌ରେ କୋଠା ବା ନିର୍ମାଣର ପ୍ରକାରକୁ ଚିହ୍ନିତ କରା ନ ଯାଇ ଅବକାରୀ କମିସନରଙ୍କ ଆଦେଶ ସଂପର୍କିତ ଚିଠିରେ ସମସ୍ତ ଠିପି ଖୋଲା ବିଦେଶୀ ମଦ ଦୋକାନ ପାଇଁ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ବାଧ୍ୟତାମୂଳକ କରାଯିବା ଆଇନ ଅନୁସାରେ ଗ୍ରହଣୀୟ ନୁହେଁ। ଆଇନରେ ଥିବା ବ୍ୟବସ୍ଥା ବାହାରକୁ ଯାଇ କର୍ତ୍ତୃପକ୍ଷ ଜଣଙ୍କୁ କୌଣସି କାର୍ଯ୍ୟ କରିବାକୁ ବାଧ୍ୟ କରି ପାରିବେ ନାହିଁ ବୋଲି ହାଇକୋର୍ଟଙ୍କ ରାୟରେ ଉଲ୍ଲେଖ କରାଯାଇଛି। ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ଓ ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଏସ.ସନାମଖ ରାଓଙ୍କ ତରଫରୁ ଦାୟର ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ଯଦିଓ ଅବକାରୀ କମିସନରଙ୍କ ନିର୍ଦ୍ଦେଶକୁ ରଦ୍ଦ କରାଯାଇଛି, ତଥାପି ଜଣେ ଦାୟିତ୍ୱବାନ୍ ନାଗରିକ ଭାବେ ଅଗ୍ନିକାଣ୍ଡ ଭଳି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ଦୋକାନଗୁଡ଼ିକରେ ଅଗ୍ନିନିର୍ବାପକ ଉପକରଣ’ ବ୍ୟବସ୍ଥା ରଖିବା, ତାହାର ନିୟମିତ ଯାଞ୍ଚ କରିବା ଅତ୍ୟନ୍ତ ଆବଶ୍ୟକ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି। ମାମଲାର ଶୁଣାଣି ବେଳେ ୨୦୧୯ର ସଂଶୋଧିତ ନିୟମ ଅନୁସାରେ, ୧୨ ମିଟରରୁ ଅଧିକ ଉଚ୍ଚତା କିମ୍ବା ୫୦୦ ବର୍ଗମିଟର ବା ତାଠାରୁ ଅଧିକର ପରିସର ଥିବା କୋଠା/ବ୍ୟବସାୟିକ ପ୍ରତିଷ୍ଠାନ ପାଇଁ ଏପରି ଅଗ୍ନିନିରାପତ୍ତା ପ୍ରମାଣପତ୍ର ବାଧ୍ୟତାମୂଳକ ବୋଲି ସ୍ପଷ୍ଟ ହୋଇଥିଲା। ଆବେଦନକାରୀଙ୍କ ଠିପି ଖୋଲା ମଦ ଦୋକାନ ୫ଶହ ବର୍ଗମିଟରରୁ କମ ସ୍ଥାନର କୋଠାରେ ଚାଲିଛି। ତେଣୁ ଏପରି କୋଠା ନିୟମାବଳୀ ଭିତରେ ଆସୁନାହିଁ। କିନ୍ତୁ ଆଇନରେ ଥିବା ବ୍ୟବସ୍ଥା ବାହାରକୁ ଯାଇ ଅଗ୍ନିନିରାପତ୍ତା ପ୍ରମାଣପତ୍ର ଦାଖଲ କରିବାକୁ ଅବକାରୀ ବିଭାଗ କହୁଛି। ସେହିଭଳି ଅବକାରୀ ଆଇନ କିମ୍ବା ନିୟମାବଳୀରେ ସମସ୍ତ ମଦ ଦୋକାନ ପାଇଁ ଏଭଳି ପ୍ରମାଣପତ୍ର ବାଧ୍ୟତାମୂଳକ କରିବାର କୌଣସି ପ୍ରାବଧାନ ନାହିଁ। ତେଣୁ ଅବକାରୀ କମିଶନରଙ୍କ ଏହି ନିର୍ଦ୍ଦେଶନାମା ଆଇନ ଅନୁସାରେ ଗ୍ରହଣଯୋଗ୍ୟ ନୁହେଁ ବୋଲି ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଥିଲା। ଏଠାରେ ସୂଚନା ଯୋଗ୍ୟ ଯେ ରାଜ୍ୟ ଅବକାରୀ କମିଶନରଙ୍କ ପକ୍ଷରୁ ସମସ୍ତ ଅବକାରୀ ଡେପୁଟି କମିସନର ଓ ଅଧୀକ୍ଷକଙ୍କୁ ଚିଠି ଲେଖାଯାଇ ସେମାନଙ୍କ ଅଧୀନରେ ଥିବା ସମସ୍ତ ଠିପି ଖୋଲା ବିଦେଶୀ ମଦ ଦୋକାନ ଗୁଡ଼ିକୁ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ବା ଏନଓସି ଦାଖଲ କରିବାକୁ ନିର୍ଦ୍ଦେଶ ଦେବାକୁ କୁହାଯାଇଥିଲା। ଏଭଳି ପ୍ରମାଣପତ୍ର ଦାଖଲ ନ କଲେ ମଦ ଦୋକାନ ଲାଇସେନ୍ସ ବାତିଲ କରାଯିବାର ସମ୍ଭାବନାକୁ ଦୃଷ୍ଟିରେ ରଖି ଆବେଦନକାରୀ ଅବକାରୀ କମିସନରଙ୍କ ଏପରି ଚିଠି ବି‌ରୋଧରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ