ଦେବୀରେ ଜଳସ୍ତର ବଢୁଥିବାରୁ ଅସ୍ତରଙ୍ଗରେ ସତର୍କତା

କାକଟପୁର /ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ): ମହାନଦୀର ଜଳସ୍ତର କ୍ରମାଗତ ବୃଦ୍ଧି ପାଇବା ଫଳରେ ତାର ଶାଖା ଦେବୀ ନଦୀ ମଧ୍ୟ ରୌଦ୍ର ରୂପ ଧାରଣ କରିଛି। ଗୁରୁବାର ସକାଳଠୁ ଦେବୀ ନଦୀର ଜଳସ୍ତର ପ୍ରଖର ଗତିରେ ବଢୁଥିବା ବେଳେ ନଦୀର ବିଭିନ୍ନ ସ୍ଥାନରେ ବଡ ବଡ ଭଉଁରୀ ସୃଷ୍ଟି ହୋଇଥିବାର ଦେଖିବାକୁ ମିଳୁଛି। ଏହି ଦୃଶ୍ୟ ପୁରୀ ଜିଲ୍ଲା ଅସ୍ତରଙ୍ଗ ଓ କାକଟପୁର ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି। କାକଟପୁର ବାଉରିଆକଣ ନିକଟରେ ଜଳସ୍ତର ମାପକ ଖୁଣ୍ଟି ମଧ୍ୟରୁ ଗୋଟିଏ ସମ୍ପୂର୍ଣ୍ଣ ବୁଡି ଯାଇଥିବା ବେଳେ ଅନ୍ୟଟି ଅଧା ବୁଡି ଯାଇଛି। ଜଳସମ୍ପଦ ବିଭାଗର ସୂଚନା ଅନୁସାରେ ଗୁରୁବାର ସନ୍ଧ୍ୟା ୬ଟା ସୁଦ୍ଧା ବାଉରିଆକଣରେ ଦେବୀ ନଦୀର ଜଳସ୍ତର ୪. ୩୦ମିଟର ରହିଥିବା ବେଳେ ବିପଦ ସଂକେତ ହେଉଛି ୪. ୯୩ ମିଟର। ଅର୍ଥାତ ବିପଦ ସୀମାରୁ ମାତ୍ର ୬୩ ସେମି ତଳେ ପାଣି ପ୍ରବାହିତ ହେଉଛି। ରାଜ୍ୟ ସରକାର ବନ୍ୟା ମୁକାବିଲା ପାଇଁ ପୁରୀ ଜିଲ୍ଲା ପାଇଁ ବରିଷ୍ଠ ଜଳ ସମ୍ପଦ ଅଧିକାରୀ ବୈକୁଣ୍ଠ ନାଥ ଦଳେଇଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ ଦେଇଛନ୍ତି। ସେ ପୂର୍ବରୁ ମଧ୍ୟ ଅନେକ ବନ୍ୟା ସମୟରେ ଅସ୍ତରଙ୍ଗ ବ୍ଲକର ବନ୍ୟା ସ୍ଥିତି ଅନୁଧ୍ୟାନ କରିଥିବା ନଜିର ରହିଛି। ତାଙ୍କ ନେତୃତ୍ୱରେ ଏବେ ସମଗ୍ର ଅଞ୍ଚଳର ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ପ୍ରଖର ସ୍ରୋତ ଯୋଗୁଁ ନଦୀ କୂଳର ମାଟି କ୍ଷୟ ହେବା ଆରମ୍ଭ ହୋଇଛି। ବର୍ଷା ଜାରି ରହିଥିବାରୁ ବ୍ଲକ ଅଞ୍ଚଳର ହେକ୍ଟର ହେକ୍ଟର ଚାଷ ଜମିରେ ୨ରୁ ୩ଫୁଟ ଉଚ୍ଚ ପାଣି ଜମିଛି। ନଦୀ କୂଳବର୍ତୀ ଓ ତଳିଆ ଅଞ୍ଚଳର ଚାଷ ଜମିରେ ବନ୍ୟା ଜଳ ପ୍ରବେଶ କରିସାରିଛି। ଅସ୍ତରଙ୍ଗ ବ୍ଲକର ରିଶୋଲ ଓ ତାଳଦା ଅଞ୍ଚଳରେ ପଛୁଆ ପାଣି ପ୍ରବେଶ କରିଥିବା ବେଳେ ପୁଇଁଚାନ୍ଦିଆ, ଝାଡଲିଙ୍ଗ, ବିଲୁଆ ମଣ୍ଡୁଳି, ନଗର, ଆଳସାହି, କେଉଟଜଙ୍ଘା, ସହନ ଓ ତଣ୍ଡାହାର ଭଳି ୯ଟି ଗ୍ରାମ ଉପରେ ପ୍ରଶାସନ ସ୍ୱତନ୍ତ୍ର ନଜର ରଖିଛି। ଏନେଇ ସମସ୍ତ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ସୂଚନା ଦିଆଯାଇଛି। ଅସ୍ତରଙ୍ଗ ତହସିଲଦାର ପ୍ରିୟଙ୍କା ପ୍ରିୟଦର୍ଶନୀ ପତି କହିଛନ୍ତି ଆମେ ସମ୍ପୂର୍ଣ୍ଣ ଅଞ୍ଚଳ ସହ ତଳିଆ ଅଞ୍ଚଳର ସ୍ଥିତି ଅନୁଧ୍ୟାନ କରିଛୁ। ଯଦି ଜଳସ୍ତର ଆହୁରି ବୃଦ୍ଧି ପାଏ ତେବେ ତଳିଆ ଅଞ୍ଚଳର ଲୋକଙ୍କୁ ତୁରନ୍ତ ସ୍ଥାନାନ୍ତର କରାଯିବ। ସର୍ବୋଚ୍ଚ ଯନ୍ତ୍ରୀ ମଧ୍ୟ ସୂଚନା ଦେଇଛନ୍ତି ଯେ ଅସ୍ତରଙ୍ଗ ଅଞ୍ଚଳ ବନ୍ୟା ପ୍ରଭାବିତ ହୋଇପାରେ। ତେଣୁ ସମ୍ପୂର୍ଣ୍ଣ ପ୍ରଶାସନ ସଜାଗ ରହିଛି। ସବୁଠୁ ବଡ ସମସ୍ୟା ହେଲା ଚାଲିଛି ପୂର୍ଣ୍ଣିମା ତିଥି। ଜୁଆରିଆ ଥିବାରୁ ସମୁଦ୍ର ମୁହାଣକୁ ବନ୍ୟା ଜଳ ନିଷ୍କାସନ ହେବାରେ ବହୁତ କଷ୍ଟ ହେଉଛି। ଫଳରେ ନଦୀର ପାଣି ତଳିଆ ଅଞ୍ଚଳରେ ଅଟକି ରହୁଛି ଏବଂ ସ୍ରୋତ ଆହୁରି ପ୍ରଖର ହେଉଛି। ଦେବୀ ନଦୀର ଅନେକ ସ୍ଥାନରେ ଏବେ ବଡ ବଡ ଭଉଁରୀ ସୃଷ୍ଟି ହୋଇଥିବାର ଦୃଶ୍ୟ ଦେଖିବାକୁ ମିଳୁଛି। ଏହା ନଦୀର ପ୍ରବଳ ସ୍ରୋତ ଓ ଜଳସ୍ତର ବୃଦ୍ଧିର ସଙ୍କେତ। ପ୍ରଶାସନ ପକ୍ଷରୁ ନଦୀ ତଟବର୍ତୀ ଲୋକଙ୍କୁ ସତର୍କ ରହିବା ଏବଂ ଅନାବଶ୍ୟକ ଭାବେ ନଦୀ ନିକଟକୁ ନଯିବା ପାଇଁ ସୂଚନା ଦିଆଯାଇଛି।ତଳିଆ ଅଞ୍ଚଳରେ ଶୁଖିଲା ଖାଦ୍ୟ, ପାଣି ଓ ଔଷଧ ବ୍ଲକ ପ୍ରଶାସନ ପାଖରେ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନଡିଆରଏଫ ଓ ଓଡ୍ରାଫ ଟିମକୁ ମଧ୍ୟ ସତର୍କ ରଖାଯାଇଛି, ଆବଶ୍ୟକ ପଡିଲେ ଖୁବ ଶୀଘ୍ର ଆସିବେ । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ପ୍ରତିବର୍ଷ ଏଭଳି ସ୍ଥିତି ହେଉଛି କିନ୍ତୁ ସ୍ଥାୟୀ ସମାଧାନ ହେଉନାହିଁ। ବେଡି ମଜବୁତୀକରଣ ଓ ଜଳ ନିଷ୍କାସନ ନାଳର ମରାମତି ତୁରନ୍ତ କରାଯିବା ଦରକାର। ଏବେ ସମସ୍ତଙ୍କ ନଜର ଆଗାମୀ ୪୮ଘଣ୍ଟା ଉପରେ। ଯଦି ମହାନଦୀରେ ଆଉ ପାଣି ବଢେ ତେବେ ଦେବୀ ମଧ୍ୟ ବିପଦ ସୀମା ୪. ୯୩ ମିଟର ଟପିଯିବ। ସେପର୍ଯ୍ୟନ୍ତ ବରିଷ୍ଠ ଅଧିକାରୀଙ୍କ ନେତୃତ୍ୱରେ ପ୍ରଶାସନ ସଜାଗ ରହିଥିଲେ ମଧ୍ୟ ନଦୀ କୂଳବାସୀଙ୍କ ମଧ୍ୟରେ ଭୟର ଛାୟା ଲାଗିରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ