ଉତ୍କଳ ଆୟୁର୍ବେଦିକ ସମବାୟ ଫାର୍ମାସୀ ଲିଃର ପରିଚାଳନା ପରିଷଦ ବୈଠକ

ଆସିକା (ୱାଇଏନ୍‍ଏସ୍‍) : ଆୟୁର୍ବେଦ ଔଷଧ ପ୍ରସ୍ତୁତି ଓ ବିକ୍ରୀ କରି ସମଗ୍ର ରାଜ୍ୟ ଓ ରାଜ୍ୟ ବାହାରେ ସୁଖ୍ୟାତି ଅର୍ଜନ କରିଆସିଥିବା ରାଜ୍ୟର ଏକମାତ୍ର ସମବାୟଭିତ୍ତିକ ଆୟୁର୍ବେଦ ଔଷଧ ପ୍ରସ୍ତୁତି ଅନୁଷ୍ଠାନ ଉତ୍କଳ ଆୟୁର୍ବେଦିକ ସମବାୟ ଫାର୍ମାସୀ ଲିଃର ପରିଚାଳନା ପରିଷଦର ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଉତ୍କଳ ଆୟୁର୍ବେଦିକ ସମବାୟ ଫାର୍ମାସୀ ଲିଃର ସଂପାଦକ କମଳ କୁମାର ଆଚାର୍ଯ୍ୟଙ୍କ ସଂଯୋଜନା ଏବଂ ପରିଚାଳନା ପରିଷଦର ଉପସଭାନେତ୍ରୀ ଜ୍ୟୋତ୍ସ୍ନାରାଣୀ ମୋହିନୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ଏହିି ପରିଚାଳନା ପରିଷଦ ବୈଠକରେ ନିର୍ଦ୍ଦେଶକ ସଂଜୀବ କୁମାର ମିଶ୍ର, ଜିତେନ୍ଦ୍ର କୁମାର ବିଷୋୟୀ, ରଜନୀକାନ୍ତ ମହାନ୍ତି, ସୁରେଶ ଚନ୍ଦ୍ର ପାତ୍ର, ତାରିଣୀସେନ ଦାଶ, ଶରତେନ୍ଦୁ ପଣ୍ଡା, ସୁଜାତା ଉପାଧ୍ୟାୟ ପ୍ରମୁଖ ଯୋଗଦେଇ କାର୍ଯ୍ୟସୂଚୀରେ ସ୍ଥାନ ପାଇଥିବା ବିଭିନ୍ନ ବିଷୟ ଉପରେ ବିସ୍ତୃତ ଭାବେ ଆଲୋଚନା କରିଥିବା ଜଣାପଡିଛି । ଆସିକା ଉତ୍କଳ ଆୟୁର୍ବେଦିକ ସମବାୟ ଫାର୍ମାସୀ ଲିଃର ଏହି ପରିଚାଳନା ପରିଷଦ ବୈଠକରେ ଡ୍ରଗ୍‍ ଲାଇସେନ୍ସ ନବୀକରଣ, ଅବସରପ୍ରାପ୍ତ କର୍ମଚାରୀଙ୍କ ବକେୟା ଦେୟ ପ୍ରଦାନ, ବିଭିନ୍ନ ଶାଖାର ସୁପରିଚାଳନା, ଫାର୍ମାସୀ ପରିସରରେ ଔଷଧ ମହଜୁଦ ରଖିବା ପାଇଁ ନିିର୍ମାଣ ହୋଇଥିବା କୋଠା ବ୍ୟବହୃତ ନହୋଇ ପଡି ରହିଥିବା ଯୋଗୁଁ ତାହାକୁ ନୀତିନିୟମ ଅନୁଯାୟୀ ମାସିକ ଭଡାସୂତ୍ରରେ ଦେବା, ପରିଚାଳନା ପରିଷଦର ସଭାପତିଙ୍କ କ୍ରମାଗତ ଅନୁପସ୍ଥିତି ଯୋଗୁଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା, ଫାର୍ମାସୀର ଉପସଭାପତିଙ୍କୁ ଆର୍ଥିକ କ୍ଷମତା ପ୍ରଦାନ କରିବା ସମେତ ବିଭିନ୍ନ ବିଷୟ ଉପରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ଅଞ୍ଚଳରେ ୧୯୩୭ ମସିହାରେ ସ୍ଥାପିତ ହୋଇଥିବା ଉତ୍କଳ ଆୟୁର୍ବେଦିକ ସମବାୟ ଫାର୍ମାସୀ ଲିଃ ଅତୀତରେ ଉନ୍ନତ ମାନର ବିଭିନ୍ନ କିସମର ଔଷଧ ପ୍ରସ୍ତୁତି ଓ ବିକ୍ରୀ କରି ସମଗ୍ର ରାଜ୍ୟ ଓ ରାଜ୍ୟ ବାହାରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିବେ ସକ୍ଷମ ହୋଇପାରିଥିଲା । ଅତୀତରେ ସମଗ୍ର ରାଜ୍ୟ ଓ ରାଜ୍ୟ ବାହାରେ ଏହି ପୁରାତନ ଆୟୁର୍ବେଦ ଅନୁଷ୍ଠାନ ଖ୍ୟାତି ଅର୍ଜନ କରିଥିଲା । ଆସିକା ଉତ୍କଳ ଆୟୁର୍ବେଦିକ ସମବାୟ ଫାର୍ମାସୀରୁ ଅତୀତରେ ପ୍ରସ୍ତୁତ ହେଉଥିବା ଔଷଧର ଚାହିଦା ବି ରହିଥିଲା । ବିଗତ କିଛି ମାସ ହେଲା ଖ୍ୟାତିସଂପନ୍ନ ସମବାୟ ଅନୁଷ୍ଠାନ ବିଗତ କିଛି ମାସ ହେଲା ନାନା ସଂକଟ ମଧ୍ୟ ଦେଇ ଗତି କରୁଥିବା ଜଣାପଡିଛି । ଗତ ୨୦୨୪ ମସିହା ଜୁଲାଇ ମାସରୁ ଆସିକା ଉତ୍କଳ ଆୟୁର୍ବେଦିକ ସମବାୟ ଫାର୍ମାସୀ ଲିଃର ଡ୍ରଗ୍‍ ଲାଇସେନ୍ସ ରଦ୍ଦ ହେବା ପରେ ଔଷଧ ପ୍ରସ୍ତୁତି ଓ ବିକ୍ରୀ ବନ୍ଦ ହୋଇରହିଥିବା ଯୋଗୁଁ ମୃତ୍ୟୁଶଯ୍ୟାରେ ଏହି ସଂସ୍ଥା ପଡିରହିଥିବା ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି । ଅତୀତରେ ଆୟୁର୍ବେଦ ଔଷଧ ପ୍ରସ୍ତୁତ କରି ରାଜ୍ୟର ବ୍ରହ୍ମପୁର, ପୁରୀ, ସମ୍ବଲପୁର, ଢେଙ୍କାନାଳ, ପାରଳାଖେମୁଣ୍ଡି, ଗୁଣପୁର, ଭୁବନେଶ୍ୱର, ରାଉରକେଲା ଓ ରାଜ୍ୟ ବାହାରେ ସୋମ୍‍ପେଣ୍ଠ, କଲିକତା ଇତ୍ୟାଦି ଅଞ୍ଚଳରେ ଶାଖା କାର୍ଯ୍ୟାଳୟମାନ ସ୍ଥାପନ କରି ଆୟୁର୍ବେଦ ଔଷଧର ପ୍ରଚାର ଓ ପ୍ରସାର ସାଙ୍ଗକୁ ଲୋକଙ୍କୁ ଆବଶ୍ୟକତା ଅନୁଯାୟୀ ସୁଲଭ ମୂଲ୍ୟରେ ବିଭିନ୍ନ ପ୍ରକାରର ସ୍ୱାସ୍ଥ୍ୟ ଉପଯୋଗୀ ଆୟୁର୍ବେଦ ଔଷଧ ଯୋଗାଇ ସୁଖ୍ୟାତି ଅର୍ଜନ କରିଆସୁଥିବା ସ୍ଥାନୀୟ ଉତ୍କଳ ଆୟୁର୍ବେଦିକ ସମବାୟ ଫାର୍ମାସୀ ବିଗତ କିଛି ମାସ ହେଲା ନାନା ଅବ୍ୟବସ୍ଥା ମଧ୍ୟ ଦେଇ ଗତି କରୁଥିଲେ ମଧ୍ୟ ଏହି ପୁରାତନ ସମବାୟ ଅନୁଷ୍ଠାନକୁ ପୂର୍ବଭଳି କ୍ରିୟାଶୀଳ କରିବା ଦିଗରେ ସମବାୟ ବିଭାଗର ନିଘୋଡ ନିଦ୍ରା ଭାଙ୍ଗୁନଥିବା ଯୋଗୁଁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରତିକ୍ରିୟା ପ୍ରକାଶ ପାଉଥିଲା ବେଳେ ସରକାର ତଥା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ପଦକ୍ଷେପ ନନେଲେ ଏହି ଅନୁଷ୍ଠାନ ବି କାଳର କରାଳ ଗର୍ଭରେ ଜନମାନସରୁ ଲିଭିଯିବା ସମ୍ଭାବନାକୁ ଏଡାଇ ହେବ ନାହିଁ ବୋଲି ସଚେତନ ନାଗରିକ ମହଲରେ ମତପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଇଛି । ଆସିକା ଉତ୍କଳ ଆୟୁର୍ବେଦିକ ସମବାୟ ଫାର୍ମାସୀରୁ ଔଷଧ ଉତ୍ପାଦନ ଓ ବିକ୍ରୀ ବନ୍ଦ ରହିଥିବା ଯୋଗୁଁ ଏହି ପୁରାତନ ସମବାୟ ଅନୁଷ୍ଠାନର ଭବିଷ୍ୟତକୁ ନେଇ ସାଧାରଣରେ ଏକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପୂର୍ବପରି ସ୍ଥାନୀୟ ଉତ୍କଳ ଆୟୁର୍ବେଦିକ ସମବାୟ ଫାର୍ମାସୀର ଔଷଧ ଉତ୍ପାଦନ ଓ ବିକ୍ରୀବଟା ହେବକି ନାହିଁ ତାହାକୁ ନେଇ ସମବାୟପ୍ରେମୀ ମହଲରେ ଚର୍ଚ୍ଚା ଜୋର୍‍ ଧରିଥିଲା ବେଳେ ଏହାକୁ ପୁନରୁଦ୍ଧାର କରି କାର୍ଯ୍ୟକ୍ଷମ କରାନଗଲେ ଏହି ସଂସ୍ଥା ବି ଆସିକାରେ ଇତିହାସ ପାଲଟିଯିବ ବୋଲି ସଚେତନ ନାଗରିକ ମହଲରେ ମତ ପ୍ରକାଶ ପାଉଛି । ଜିଲ୍ଲା ପ୍ରଶାସନ ତଥା ରାଜ୍ୟ ସରକାରଙ୍କ ସମବାୟ ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ଆସିକା ଉତ୍କଳ ଆୟୁର୍ବେଦିକ ସମବାୟ ଫାର୍ମାସୀର ଅତୀତ ଗୌରବକୁ ଉଜ୍ଜିବିତ କରିବା ସହ ପୂର୍ବ ଭଳି ଯେପରି ଔଷଧ ଉତ୍ପାଦନ ହେବ ଓ କର୍ମଚାରୀମାନେ ନିୟମିତ ଦରମା ପାଇବେ ସେ ଦିଗରେ ପଦକ୍ଷେପ ନେବାକୁ ପରିଚାଳନା ପରିଷଦର ନିର୍ଦ୍ଦେଶକ ସଂଜୀବ କୁମାର ମିଶ୍ର ଓ ଜିତେନ୍ଦ୍ର କୁମାର ବିଷୋୟୀ ଅନୁରୋଧ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ