ସ୍ୱାସ୍ଥ୍ୟସେବା ସମ୍ବନ୍ଧୀୟ ପ୍ରାୟୋଗିକ କର୍ମଶାଳା
କଟକ, (ଓ୍ବାଇଏନଏସ) : ସ୍ୱାସ୍ଥ୍ୟସେବା ସମ୍ବନ୍ଧୀୟ ସଂକ୍ରମଣ (Health Care Associated Infection) ନିରୀକ୍ଷଣ ଏବଂ ହସ୍ପିଟାଲ ସଂକ୍ରମଣ ପ୍ରତିରୋଧ ଉପରେ ସିଏମଇ ସହ ଏକ ପ୍ରାୟୋଗିକ କର୍ମଶାଳା ଆଜି ଏସ୍.ସି.ବି. ମେଡିକାଲ କଲେଜ ଓ ହସ୍ପିଟାଲରେ ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଡିଏମ୍ଇଟି (DMET) ପ୍ରଫେସର ଡ଼ଃ ଦୁର୍ଗା ମାଧବ ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନରେ ସଂକ୍ରମଣ ନିୟନ୍ତ୍ରଣ, ରୋଗୀ ସୁରକ୍ଷା ଏବଂ ଉତ୍ତମ ଚିକିତ୍ସାସେବା ପାଇଁ ନିୟମିତ ନିରୀକ୍ଷଣ ଓ ସଠିକ୍ ସଂକ୍ରମଣ ପ୍ରତିରୋଧ ବ୍ୟବସ୍ଥାର ଗୁରୁତ୍ୱ ସମ୍ପର୍କରେ ମତବ୍ୟକ୍ତ କରିଥିଲେ । କର୍ମଶାଳାରେ ଏସ୍.ସି.ବି. ମେଡିକାଲ କଲେଜର ମାଇକ୍ରୋବାୟୋଲୋଜି ବିଭାଗର ମୁଖ୍ୟ, ପ୍ରଫେସର ଡ଼ଃ ଧରିତ୍ରୀ ମହାପାତ୍ର, ଏମ୍ସ ଭୁବନେଶ୍ୱରର ମାଇକ୍ରୋବାୟୋଲୋଜି ବିଭାଗର ମୁଖ୍ୟ, ପ୍ରଫେସର ଡ଼ଃ ଅଶୋକ ମହାପାତ୍ର, ଏମ୍ସ ଭୁବନେଶ୍ୱରର ମାଇକ୍ରୋବାୟୋଲୋଜି ବିଭାଗର ମୁଖ୍ୟ, ପ୍ରଫେସର ଡ଼ଃ ବିଜୟିନୀ ବେହେରା ଅତିଥି ଭାବେ ଯୋଗଦେଇ ସ୍ୱାସ୍ଥ୍ୟସେବା ସମ୍ବନ୍ଧୀୟ ସଂକ୍ରମଣ ନିରୀକ୍ଷଣ ଏବଂ ହସ୍ପିଟାଲ ସଂକ୍ରମଣ ପ୍ରତିରୋଧ ଉପରେ ବିସ୍ତୃତ ଆଲୋଚନା କରିଥିଲେ । ବିଷୟ ବିଶେଷଜ୍ଞ ଭାବେ ପ୍ରଫେସର ଡ଼ଃ ପ୍ରତିଭା ପଣ୍ଡା, ପ୍ରଫେସର ଡ଼ଃ ଜ୍ୟୋତିଷ ଚୌଧୁରୀ ଯୋଗଦେଇ ଏସ୍.ସି.ବି. ମେଡିକାଲ କଲେଜର ପ୍ରାୟ ୧୭୦ ଜଣ ଷ୍ଟାଫ୍ ନର୍ସଙ୍କୁ ହସ୍ପିଟାଲରେ ଅର୍ଜିତ ସଂକ୍ରମଣ (Hospital-Acquired Infection) ନିରୀକ୍ଷଣ, ସଂକ୍ରମଣ ପ୍ରତିରୋଧ ଓ ନିୟନ୍ତ୍ରଣ, ସଂକ୍ରମଣ ନିରୀକ୍ଷଣ ବ୍ୟବସ୍ଥା ସମ୍ପର୍କିତ ବିଭିନ୍ନ ବିଷୟରେ ବିସ୍ତୃତ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ପ୍ରଫେସର ଡ଼ଃ ବିଶ୍ୱଜିତ ମିଶ୍ର ସମସ୍ତ କାର୍ଯ୍ୟ ପରିଚାଳନା କରିବା ସହ କର୍ମଶାଳାର ଉଦ୍ଦେଶ୍ୟ ଓ ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ। କର୍ମଶାଳାରେ ଅଧ୍ୟାପକ, ଡାକ୍ତର ଓ ବହୁ ସଂଖ୍ୟକ ଷ୍ଟାଫ୍ ନର୍ସ ଉପସ୍ଥିତ ରହି ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ।


