ଜିଲ୍ଲାରେ ବନ୍ୟା ପରିସ୍ଥିତି ନିୟନ୍ତ୍ରଣାଧୀନ

କେନ୍ଦ୍ରାପଡ଼ା, (ଚିତ୍ତ ରଞ୍ଜନ ଦାଶ): କେନ୍ଦ୍ରାପଡ଼ା ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ଧାର, ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି। ୩ ଅଗଷ୍ଟ ୨୦୨୬ ଅପରାହ୍ନ ୪.୦୦ଟା ସୁଦ୍ଧା ପ୍ରକାଶିତ ବନ୍ୟା ପରିସ୍ଥିତି ରିପୋର୍ଟ ଅନୁଯାୟୀ ଜିଲ୍ଲାର ରାଜକନିକା, ପଟ୍ଟାମୁଣ୍ଡାଇ, ଆଳି, ଗରଦପୁର, ରାଜନଗର, କେନ୍ଦ୍ରାପଡ଼ା, ମାର୍ଶାଘାଇ, ମହାକାଳପଡ଼ା ଓ ଡେରାବିଶ ସମେତ ୯ଟି ବ୍ଲକ ବନ୍ୟା ପ୍ରଭାବିତ ହୋଇଛି। ମୋଟ ୮୧ଟି ଗ୍ରାମ ପଞ୍ଚାୟତ, ୧୪୧ଟି ଗ୍ରାମ ଏବଂ ପଟ୍ଟାମୁଣ୍ଡାଇ ପୌରପାଳିକାର ୧୧ଟି ୱାର୍ଡ ବନ୍ୟା ପ୍ରଭାବିତ ହୋଇଥିବାବେଳେ ୭୯,୦୬୫ ଜଣ ଲୋକ ପ୍ରଭାବିତ ହୋଇଛନ୍ତି। ପ୍ରଶାସନ ପକ୍ଷରୁ ଆଜି ୧,୦୩୮ ଜଣଙ୍କୁ ସୁରକ୍ଷିତ ଭାବେ ରିଲିଫ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି। ବର୍ତ୍ତମାନ ସୁଦ୍ଧା ୭ଟି ରିଲିଫ କେନ୍ଦ୍ରରେ ମୋଟ ୨,୧୪୯ ଜଣ ଆଶ୍ରୟ ଗ୍ରହଣ କରିଛନ୍ତି। ଖୋଲାଯାଇଥିବା ୮ଟି ମାଗଣା ରନ୍ଧାଖାଦ୍ୟ (ଫ୍ରି କିଚେନ୍‌) / ରିଲିଫ କେନ୍ଦ୍ର ମଧ୍ୟରୁ ୪ଟି ଆଜି କାର୍ଯ୍ୟକ୍ଷମ ରହିଥିଲା, ଯେଉଁଥିରେ ୧,୦୩୮ ଜଣ ହିତାଧିକାରୀଙ୍କୁ ରନ୍ଧାଖାଦ୍ୟ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସେବା ଯୋଗାଇ ଦିଆଯାଇଛି। ମୋଟ ୨,୧୪୯ ଜଣ ହିତାଧିକାରୀ ଏହି ସୁବିଧା ପାଇଛନ୍ତି। ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକରେ ନିୟମିତ ଭାବେ ରିଲିଫ ସାମଗ୍ରୀ ବଣ୍ଟନ କରାଯାଉଛି। ଏପର୍ଯ୍ୟନ୍ତ ୨୭୧.୫୯ କ୍ୱିଣ୍ଟାଲ ଚାଉଳ, ୨୬.୮୮ କ୍ୱିଣ୍ଟାଲ ଚୁଡ଼ା ଏବଂ ୧୧ କ୍ୱିଣ୍ଟାଲ ଗୁଡ଼/ଚିନି ବଣ୍ଟନ କରାଯାଇଛି। ଏହାବ୍ୟତୀତ ୧୫୧ କାର୍ଟନ ବିସ୍କୁଟ, ୬.୫ କାର୍ଟନ ମହମବତୀ, ୬ କାର୍ଟନ ଦିଆସିଲି ଏବଂ ୩୫,୦୦୦ ବୋତଲ ପାନୀୟ ଜଳ ପ୍ରଭାବିତ ପରିବାରମାନଙ୍କୁ ବଣ୍ଟନ କରାଯାଇଛି। ଜିଲ୍ଲାରେ କୌଣସି ଲୋକଙ୍କ ମୃତ୍ୟୁ କିମ୍ବା ପଶୁଙ୍କ ମୃତ୍ୟୁ ହୋଇ ନାହିଁ। ତେବେ ବନ୍ୟା ଯୋଗୁଁ ୪୭,୬୩୧ଟି ପଶୁ ପ୍ରଭାବିତ ହୋଇଛନ୍ତି, ଯେଉଁଥିରେ ୩୩,୦୧୪ଟି ବଡ଼ ପଶୁ, ୧୪,୪୧୭ଟି ଛୋଟ ପଶୁ ଏବଂ ୨୦୦ଟି କୁକୁଡ଼ା ରହିଛନ୍ତି। ବନ୍ୟାଜଳ କମିବା ପରେ ଫସଲ କ୍ଷୟକ୍ଷତିର ଆକଳନ କରାଯିବ। ଘରବାଡ଼ି, ଭିତ୍ତିଭୂମି, ବିଦ୍ୟୁତ ସେବା କିମ୍ବା ଗଛ ଉପୁଡ଼ିବା ସମ୍ବନ୍ଧୀୟ କୌଣସି କ୍ଷୟକ୍ଷତିର ଖବର ମିଳିନାହିଁ। ସ୍ୱାସ୍ଥ୍ୟ ଓ ପ୍ରାଣୀ ଚିକିତ୍ସା ସେବାକୁ ସୁଚାରୁ ରଖିବା ପାଇଁ ୧୬ଟି ମେଡିକାଲ ଟିମ୍ ଏବଂ ୯ଟି ଭେଟେରିନାରୀ ଟିମ୍ ବନ୍ୟା ପ୍ରଭାବିତ ଅଞ୍ଚଳରେ ନିୟୋଜିତ ରହିଛନ୍ତି। ଉଦ୍ଧାର ଓ ଯାତାୟାତ ସୁବିଧା ପାଇଁ ୨ଟି ଏସ୍‌?.ଆ?ର୍.ସି. ପାୱାର ବୋଟ୍‌, ୫୧ଟି ଦେଶୀ ଡଙ୍ଗା ଏବଂ ୧୫ଟି ଯାନ୍ତ୍ରିକ ଦେଶୀ ଡଙ୍ଗା ନିୟୋଜିତ କରାଯାଇଛି। ବର୍ତ୍ତମାନ ବନ୍ୟାଜଳରେ ବୁଡ଼ି ରହିଥିବାରୁ ୬୧ଟି ରାସ୍ତାରେ ଯାତାୟାତ ବିଚ୍ଛିନ୍ନ ରହିଛି। ଜଳସ୍ତର ହ୍ରାସ ପାଇବା ପରେ ତୁରନ୍ତ ରାସ୍ତା ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କରାଯିବ। ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସତର୍କ ରହି ବନ୍ୟା ପରିସ୍ଥିତି ଉପରେ ଚବିଶ ଘଣ୍ଟା ନଜର ରଖିଛି। ସମସ୍ତ ବିଭାଗ ପରସ୍ପର ସମନ୍ୱୟ ରକ୍ଷା କରି ରିଲିଫ, ଉଦ୍ଧାର, ସ୍ୱାସ୍ଥ୍ୟସେବା, ପାନୀୟ ଜଳ ଯୋଗାଣ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସେବା ସୁନିଶ୍ଚିତ କରୁଛନ୍ତି। ଜନସାଧାରଣଙ୍କୁ ସତର୍କ ରହିବା, ପ୍ରଶାସନର ପରାମର୍ଶ ପାଳନ କରିବା ଏବଂ ପ୍ରଶାସନକୁ ସହଯୋଗ କରିବା ପାଇଁ ଅନୁରୋଧ କରାଯାଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ