ସରକାରୀ ସୂଚନା କେନ୍ଦ୍ର ଓ ପାଠାଗାରରେ ୭ ବର୍ଷ ହେଲା ଗ୍ରନ୍ଥାଗାରିକ ପଦବୀ ଖାଲି

ଆସିକା  (ୱାଇଏନ୍‍ଏସ୍‍) : ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ପାଠକ ମାନଙ୍କୁ ସଚେତନ କରିବା, ଦେଶବିଦେଶର ଖବର ସମ୍ପର୍କରେ ଅବଗତ କରିବା ଏବଂ ଲୋକଙ୍କ ମଧ୍ୟରେ ପାଠକୀୟ ଭାବଧାରା ସୃଷ୍ଟି କରିବା ପାଇଁ ପୌର ପରିଷଦ ଅଧିନସ୍ଥ ୫ନଂ ୱାର୍ଡର ହାଟପଦା ଛକ ସ୍ଥିତ ପୁରୁଣା ଚାଉଲ୍‌ଟ୍ରି ପରିସରରେ ସ୍ଥାପିତ ହୋଇଥିବା ସରକାରୀ ସୂଚନା କେନ୍ଦ୍ର ଓ ପାଠାଗାରକୁ ଗତ ୨୦୧୯ ମସିହା ଅଗଷ୍ଟ ମାସ ୨୮ତାରିଖ ଦିନ ତତ୍କାଳୀନ ରାଜ୍ୟ ପଞ୍ଚାୟତିରାଜ, ପାନୀୟଜଳ, ଆଇନ ଏବଂ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ମନ୍ତ୍ରୀ ପ୍ରତାପ ଜେନାଙ୍କ ଦ୍ୱାରା ଉଦ୍‌ଘାଟନ କରାଯାଇଥିଲା । ତେବେ ସରକାରଙ୍କ ପକ୍ଷରୁ ଉକ୍ତ ସରକାରୀ ସୂଚନା କେନ୍ଦ୍ର ଓ ପାଠାଗାରରେ ଖାଲି ପଡିଥିବା ଗ୍ରନ୍ଥାଗାରିକ ଓ ଅନ୍ୟାନ୍ୟ ସମସ୍ୟା ପୂରଣ କରିବା ଦିଗରେ ପଦକ୍ଷେପ ନିଆଯାଉନଥିବା ଯୋଗୁଁ ସାଧାରଣରେ ତୀବ୍ର ପ୍ରତିକ୍ରିୟା ଓ ଅସନ୍ତୋଷ ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଉଛି। ପାଠାଗାର ହେଉଛି ଜ୍ଞାନର ଭଣ୍ଡାର। କିନ୍ତୁ ଯେଉଁ ଉଦ୍ଦେଶ୍ୟ ନେଇ ଆସିକା ସରକାରୀ ସୂଚନା କେନ୍ଦ୍ର ଓ ପାଠାଗାର ଖୋଲା ଯାଇଥିଲା ତାହା ଏବେ ନିଜ ଲକ୍ଷ୍ୟ ପଥରୁ ବିଚ୍ୟୁତ ହୋଇଯାଇଥିବା ସଚେତନ ନାଗରିକ ମହଲରେ ମତ ପ୍ରକାଶ ପାଉଛି। ଅତୀତରେ ଆସିକା ସରକାରୀ ସୂଚନା କେନ୍ଦ୍ର ଓ ପାଠାଗାରକୁ ଦୈନିକ ୨ ଶହରୁ ଉଦ୍ଦ୍ୱର୍ ପାଠକ ଆସୁଥିଲା ବେଳେ ସେମାନଙ୍କ ପାଇଁ ଆବଶ୍ୟକୀୟ ଖବର କାଗଜ ଓ ବିଭିନ୍ନ ବହି ଯୋଗାଇ ଦିଆଯାଉଥିଲା। ଆସିକା ସରକାରୀ ସୂଚନା କେନ୍ଦ୍ର ଓ ପାଠାଗାରକୁ ସୁପରିଚାଳନା କରିବା ଲାଗି ସରକାରଙ୍କ ପକ୍ଷରୁ ନିଯୁକ୍ତି ପାଇ ଆସିଥିବା ଗ୍ରନ୍ଥାଗାରିକ ପ୍ରଦୀପ କୁମାର ଜେନା ଗତ ୨୦୧୯ ମସିହା ଜୁନ ମାସରେ ମୃତ୍ୟୁବରଣ କରିଥିଲା ବେଳେ ତାଙ୍କରି ସ୍ଥାନରେ ସେବେ ଠାରୁ ଆଉ କାହାରିକୁ ନିଯୁକ୍ତି କରାଯାଇନଥିବା ଯୋଗୁଁ ଦୀର୍ଘ ଦିନ ହେଲା ଏହି ପୁରାତନ ସରକାରୀ ସୂଚନା କେନ୍ଦ୍ର ଓ ପାଠାଗାର ପରିଚାଳନାରେ ଅବ୍ୟବସ୍ଥା ଦେଖାଦେଇଛି। ଆସିକା ଲୋକସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ସାଂସଦ ସ୍ୱର୍ଗତ ଲଡୁକିଶୋର ସ୍ୱାଇଁଙ୍କ ହାତପାଣ୍ଠିରୁ ପ୍ରାୟ ୫ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ହାଟପଦା ନିକଟରେ ପୁରୁଣା ଚାଉଲଟ୍ରି ପରିସରରେ ସ୍ଥାପିତ ହୋଇଥିବା ସରକାରୀ ସୂଚନା ଓ କେନ୍ଦ୍ର ପାଠାଗାରରେ ଶୌଚାଳୟର ବନ୍ଦବୋସ୍ତ ହୋଇ ପାରିନଥିବା ଜଣାପଡିଛି। ଆସିକା ସରକାରୀ ସୂଚନା କେନ୍ଦ୍ର ଓ ପାଠାଗାରରେ ଲାଗି ରହିଥିବା ସମସ୍ୟାଗୁଡିକ ଦୂର କରିବା ପାଇଁ ବିଭିନ୍ନ ମହଲରେ ଦୃଢ ଦାବୀ ହେଉଛି । ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଆସିକା ସରକାରୀ ସୂଚନା କେନ୍ଦ୍ର ଓ ପାଠାଗାରରେ ନିଯୁକ୍ତି ପାଇଥିବା ପିଅନ୍‍ ତାରିଣୀ ସାହୁଙ୍କ ଦ୍ୱାରା ଦୈନନ୍ଦିନ କାର୍ଯ୍ୟ ପରିଚାଳନା ହେଉଥିବା ଦେଖିବାକୁ ମିଳୁଛି । ସୂଚନା ଓ ଲୋକସମ୍ପର୍କ ବିଭାଗର ଆନ୍ତରିକତା ଅଭାବ ଯୋଗୁଁ ଆସିକା ସରକାରୀ ସୂଚନା କେନ୍ଦ୍ର ଓ ପାଠାଗାର ନିଜର ମର୍ଯ୍ୟଦା ହରାଇବା ସହ ଲୋକଙ୍କ ଉତ୍ସାହ ଦିନକୁ ଦିନ କମିବାରେ ଲାଗିଛି। ଆସିକା ସହରବାସୀଙ୍କ ଏକମାତ୍ର ଜ୍ଞାନମନ୍ଦିର ରୂପେ ପରିଚିତ ଥିବା ସରକାରୀ ସୂଚନା କେନ୍ଦ୍ର ଓ ପାଠାଗାର ଗତ କିଛି ମାସ ହେଲା ନାନା ସମସ୍ୟାରେ ଜର୍ଜିରିତ ହୋଇପଡିଛି । ଆସିକା ପୌର ପରିଷଦ ଅଧିନସ୍ଥ ଅଞ୍ଚଳରେ ଥିବା ଏହି ପୁରାତନ ସୂଚନା କେନ୍ଦ୍ର ଓ ପାଠାଗାରକୁ ସମସ୍ୟା ତାର ପିଛା ଛାଡୁନି । ଆସିକା ବ୍ଳକ ଓ ପୌର ପରିଷଦ ଅଧିନସ୍ଥ ଶହ ଶହ ପାଠକ ଓ ଯୁବପିଢୀଙ୍କ ଜ୍ଞାନବିଜ୍ଞାନର ଦିଗଦର୍ଶନ ଦେଉଥିବା ଏହି ଅନୁଷ୍ଠାନରେ ଏବେ ପାଠକଙ୍କ ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଛି । ଆସିକା ସରକାରୀ ସୂଚନା କେନ୍ଦ୍ର ଓ ପାଠାଗାର ଉଦ୍‍ଘାଟନ ହେବାର କିଛି ଦିନ ପର୍ଯ୍ୟନ୍ତ ଦୈନିକ ଶହ ଶହ ପାଠକଙ୍କ ସୁଅ ଛୁଟୁଥିଲା । ତେବେ ନାନା କାରଣରୁ ବର୍ତ୍ତମାନ ଏହି ସରକାରୀ ସୂଚନା କେନ୍ଦ୍ର ଓ ପାଠାଗାର ଅବହେଳିତ ଅବସ୍ଥାକୁ ଆସିଯାଇଛି । ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗର ପୃଷ୍ଠପୋଷକତାରେ ପ୍ରତିଷ୍ଠିତ ଏହି ସୂଚନା କେନ୍ଦ୍ରକୁ ଅତୀତରେ ସରକାରଙ୍କ ପକ୍ଷରୁ ବହୁ ଉପାଦେୟ ପୁସ୍ତକ ଯୋଗାଇ ଦିଆଯାଉଥିଲା ବେଳେ ଦୈନିକ ବହୁ ଖବରକାଗଜ ଆସିବାର ମଧ୍ୟ ବ୍ୟବସ୍ଥା କରାଯାଇଥିଲା । ଯାହାରି ଫଳରେ ଏହି ସୂଚନା କେନ୍ଦ୍ରରେ ଉପଲବ୍ଧ ନାନା ଉପାଦେୟ ପୁସ୍ତକ ଓ ଖବରକାଗଜ ପଢିବାକୁ ଅତୀତରେ ପାଠକଙ୍କ ଭିଡ ଜମୁଥିଲା ତେବେ ଦୀର୍ଘ ଦିନ ହେଲା ଏହି ପାଠାଗାରରେ ଲାଗି ରହଥିବା ବହୁବିଧ ସମସ୍ୟାକୁ ସମାଧାନ କରିବା ଦିଗରେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନଥିବା ଅଭିଯୋଗ ହେଉଛି । ବିଦ୍ୟାର୍ଥୀ, ଶିକ୍ଷିତ ବେକାର ଓ ଚାକିରୀ ଆଶାୟୀଙ୍କ ବିଭିନ୍ନ ପତ୍ରପତ୍ରିକା ଏଠାରେ ଅତୀତରେ ଉପଲବ୍ଧ ହେଉଥିଲା। ଦୈନିକ ସକାଳେ ଓ ସନ୍ଧ୍ୟାରେ ପାଠକଙ୍କ ସଂଖ୍ୟା ଆଶାତୀତ ଭାବେ ଅତୀତରେ ବୃଦ୍ଧି ପାଉଥିଲା । ଯଥାଶୀଘ୍ର ଆସିକା ସରକାରୀ ସୂଚନା କେନ୍ଦ୍ର ଓ ପାଠାଗାର ୨୪ ଘଣ୍ଟିଆ ଖୋଲିବା ସାଙ୍ଗକୁ ଖାଲିପଡିଥିବା ଗ୍ରନ୍ଥାଗାରିକ ପଦବୀ ପୂରଣ ସାଙ୍ଗକୁ ଶୌଚାଳୟ ନିର୍ମାଣ କରାଗଲେ ସ୍ଥାନୀୟ ଅଞ୍ଚଳର ପାଠକ ମାନେ ଉପକୃତ ହୋଇପାରିବେ ବୋଲି ସାଧାରଣରେ ଆଲୋଚିତ ହେଉଥିବା ଲକ୍ଷ୍ୟ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ