ଦୁଇ ହାଇସ୍କୁଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଉନ୍ନୀତ
ପୋଲସରା (ଅନୀଲ କୁମାର ମହାରଣା) : ଓଡିଶା ସରକାର ରାଜ୍ୟରେ ଅଧିକ ସଂଖ୍ୟାରେ ଉଚ୍ଚ ମାଧ୍ୟମିକ (+୨) ଖୋଲିବାକୁ ନିଷ୍ପତ୍ତି ନେଇଥିବା ବେଳେ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ବ୍ଲକର କେନ୍ଦୁବାଡ଼ି ଗ୍ରାମ ସ୍ଥିତ ଶ୍ରୀ ରାଧାକୃଷ୍ଣ ସରକାରୀ ଉଚ୍ଚ ବିଦ୍ୟାଳୟ ଏବଂ ମାଳତେନ୍ତୁଳିଆ ଗ୍ରାମ ସ୍ଥିତ ପିଏମ ଶ୍ରୀ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ଦୁଇଟିକୁ ପ୍ରଥମ ପର୍ଯ୍ୟାୟରେ ଚୟନ କରିଛନ୍ତି। ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ଵାରା ଏହା ଘୋଷିତ ହେବା ପରେ ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀ ପକ୍ଷରୁ ପତ୍ର ଦ୍ୱାରା ପୋଲସରା ବିଇଓ ଓ ଉପରୋକ୍ତ ଦୁଇ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ନିକଟକୁ ଆନୁଷ୍ଠାନିକ ଭାବେ ଜଣାଇଥିଲେ। ଏହା ଜାଣିବା ପରେ ଉଭୟ ଶିକ୍ଷାନୁଷ୍ଠାନରେ ଖୁସିରେ ଲହରୀ ଖେଳିଯାଇଛି। ଉଭୟ ଅଞ୍ଚଳବାସୀ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଗଞ୍ଜାମ ଜିଲ୍ଲାପାଳ, ଜିଲ୍ଲା ଶିକ୍ଷାଧିକାରୀ ଓ ପୋଲସରା ବ୍ଲକ ଶିକ୍ଷାଧିକାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଦୁଇଟି ପଞ୍ଚାୟତର ୧୦ମ ଶ୍ରେଣୀର ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀମାନେ ଏଣିକି ପୋଲସରା, ବାର୍ତ୍ତିନି ଓ ବୁଗୁଡ଼ାର ଶିକ୍ଷା ଅନୁଷ୍ଠାନକୁ ନଯାଇ ନିଜ ଅଞ୍ଚଳର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ + ୨ ଶ୍ରେଣୀରେ ପାଠ ପଢ଼ିବାର ସୂଯୋଗ ପାଇପାରିବେ।


