ଲୋୟର ସୁକତେଲ ଡ୍ୟାମରେ ଜଳବନ୍ଦୀ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ କରିଡର ନିର୍ମାଣ ଦାବି
ବଲାଙ୍ଗିର (ଓ୍ବାଇଏନଏସ): ମାଗୁରବେଡା ଲୋୟର ସୁକତେଲ ଡ୍ୟାମ ଯୋଗୁଁ ମଣିଷ ଏବଂ ମନ୍ଦିର ଗୁଡିକରେ ମହାପ୍ରଭୁ ବିସ୍ଥାପିତ ହୋଇଥିଲେ । ଲୋକଙ୍କ ଘରଦ୍ୱାର ଭଙ୍ଗା ହୋଇ ବିଭିନ୍ନ ଚାଷ ଜମି ମଧ୍ୟ କ୍ଷତିଗ୍ରସ୍ତ ହେଲା । ଚାଷୀଙ୍କ ହକ୍ ପାଇଁ ବିଭିନ୍ନ ସମୟରେ ବିରାଟ ଆନ୍ଦୋଳନ ହୋଇ ଦିଲ୍ଲୀ ରୁ ପଲ୍ଲୀ ପର୍ଯ୍ୟନ୍ତ ଲୋୟର ସୁକତେଲ ଡ୍ୟାମ ନିର୍ମାଣ ହୋଇଥିଲା । ନିଜ ଗ୍ରାମର ଭିଟାମାଟି ଛାଡି ବିସ୍ଥାପିତ ହୋଇଥିଲେ ଦେବା ଦେବୀ ମଧ୍ୟ । ଲୋୟର ସୁକତେଲ ଡ୍ୟାମ ନିର୍ମାଣ ଫଳରେ ପ୍ରାୟ ୩୦ଟି ଗାଁ ର ଜମି ଜଙ୍ଗଲ ଜଳମଗ୍ନ ହେବା ସହ ଲକ୍ଷ ଲକ୍ଷ ଗଛ କାଟି ଦିଆଯାଇଥିବାରୁ ବନ୍ୟଜନ୍ତୁଙ୍କ ପ୍ରାକୃତିକ ବାସସ୍ଥାନ ନଷ୍ଟ ହୋଇଯାଇଛି। ଫଳସ୍ୱରୂପ ବରାହ, କୁଟୁରା, ଝିଙ୍କ, ଠେକୁଆ, ଜାତୀୟ ପକ୍ଷୀ ମୟୁର ସମେତ ବିଭିନ୍ନ ବନ୍ୟପ୍ରାଣୀ ଓ ପକ୍ଷୀ ଖାଦ୍ୟ ଏବଂ ଆଶ୍ରୟ ସନ୍ଧାନରେ ରାଜପଥ ଓ ଜନବସତି ମଧ୍ୟକୁ ଚାଲି ଆସୁଥିବା ଦେଖିବାକୁ ମିଳୁଛି। ଏହି ପରିସ୍ଥିତିକୁ ଗୁରୁତ୍ୱର ସହ ବିଚାର କରି ଦେବାଳୟ ଐତିହ୍ୟ ସୁରକ୍ଷା କମିଟି, ବଲାଙ୍ଗିର ପକ୍ଷରୁ ଆଜି ବନ ବିଭାଗର ଡିଏଫ୍ଓ କାର୍ଯ୍ୟାଳୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ସହକାରୀ ବନ ସଂରକ୍ଷକ (ଏସିଏଫ୍) ମାନସ ରଞ୍ଜନ ବେହେରା ଦାବିପତ୍ର ଗ୍ରହଣ କରିଥିଲେ। ଦାବିପତ୍ରରେ ମୁଖ୍ୟତଃ ଚାରିଟି ପ୍ରସ୍ତାବ ରଖାଯାଇଛି— ୧. ଜଳବନ୍ଦୀ ବନ୍ୟଜନ୍ତୁଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର ଓ ପୁନର୍ବାସ କରାଯାଉ। ୨. ଲୋୟର ସୁକତେଲ ଡ୍ୟାମ ଚାରିପାର୍ଶ୍ୱରେ ବନ୍ୟଜନ୍ତୁ ସୁରକ୍ଷା ସମ୍ବନ୍ଧୀୟ ସଚେତନତା ବୋର୍ଡ ଲଗାଯାଉ। ୩. ଜାତୀୟ ପକ୍ଷୀ ମୟୁର ସମେତ ବିଭିନ୍ନ ପ୍ରଜାତିର ପକ୍ଷୀ ଓ ବନ୍ୟଜନ୍ତୁଙ୍କ ନିରାପଦ ଚଳାଚଳ ପାଇଁ ୱାଇଲ୍ଡଲାଇଫ୍ କରିଡର (Wildlife Corridor) ନିର୍ମାଣ କରାଯାଉ। ୪. ବେଆଇନ ଶିକାର ରୋକିବା ପାଇଁ ସ୍ୱତନ୍ତ୍ର ଟାସ୍କଫୋର୍ସ ଗଠନ ସହ ନିୟମିତ ସଚେତନତା ସଭା ଆୟୋଜନ କରାଯାଉ। ଦାବିପତ୍ରରେ ଏହା ମଧ୍ୟ ଉଲ୍ଲେଖ କରାଯାଇଛି ଯେ ଜାତୀୟ ପକ୍ଷୀ ମୟୁରର ସୁରକ୍ଷା ପାଇଁ ବନ୍ୟଜନ୍ତୁ ସୁରକ୍ଷା ଆଇନକୁ କଠୋର ଭାବେ କାର୍ଯ୍ୟକାରୀ କରାଯିବା ସହ ବେଆଇନ ଶିକାରୀଙ୍କ ବିରୋଧରେ କଡ଼ା ପଦକ୍ଷେପ ଗ୍ରହଣ କରାଯାଉ। ଏହି କାର୍ଯ୍ୟକ୍ରମରେ କମିଟିର ସଭାପତି ଜୟକୃଷ୍ଣ ମିଶ୍ରଙ୍କ ନେତୃତ୍ୱରେ ସମ୍ପାଦକ ପ୍ରଶାନ୍ତ ମହାକୁର, ସହ-ସମ୍ପାଦକ ଶମ୍ଭୁ ପ୍ରସାଦ ଶତପଥୀ, କୋଷାଧ୍ୟକ୍ଷ ଭବାନୀ ଶଙ୍କର ଭୋଇ, ଅର୍ଜୁନ ସାହୁ, ରିଣ୍ଟୁ ସାହୁ ଏବଂ ସତ୍ୟନାରାୟଣ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।


