କେନ୍ଦ୍ରାପଡା ଜିଲ୍ଲାର ବନ୍ୟା ପରିସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ବିଭାଗ ମନ୍ତ୍ରୀ କେ.ଭି. ସିଂହଦେଓ ଆଜି କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ବନ୍ୟା ପରିସ୍ଥିତି, ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଏବଂ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଓ ପଦକ୍ଷେପ ସମ୍ପର୍କରେ ସ୍ଥିତି ସମୀକ୍ଷା କରିଛନ୍ତି। ଆଜି ସକାଳେ ଉପମୁଖ୍ୟମନ୍ତ୍ରୀ ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଦାଣ୍ଡିସାହି ଛକ, କୃଷ୍ଣଦାସପୁର (ସିଂହଗାଁ), ଅଣ୍ଡରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନଦୀକୂଳ ହରିଜନସାହି ଏବଂ ଅମୃତମଣୋହୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଜଗନ୍ନାଥପୁର ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ବନ୍ୟା ପ୍ରଭାବିତ ଅଞ୍ଚଳର ସ୍ଥିତି ଅନୁଧ୍ୟାନ କରିବା ସହ ସ୍ଥାନୀୟ ଲୋକଙ୍କ ସହ ସିଧାସଳଖ ଆଲୋଚନା କରି ସେମାନଙ୍କ ସମସ୍ୟା ଓ ଆବଶ୍ୟକତା ସମ୍ପର୍କରେ ଅବଗତ ହୋଇଛନ୍ତି। ଏହାପରେ ଆଳି ବ୍ଲକ୍ ଅନ୍ତର୍ଗତ ଭୂଇଁପୁର,ମାନପୁର, ମଙ୍ଗରାଜପୁର, ଠାକୁରପାଟଣା ପେତପଡା ପରିଦର୍ଶନ କରି ଉପମୁଖ୍ୟମନ୍ତ୍ରୀ ବନ୍ୟା ପରିସ୍ଥିତିର ସମୀକ୍ଷା କରିଥିଲେ ଏବଂ ବନ୍ୟା ପ୍ରଭାବିତ ଲୋକଙ୍କ ସହ ଆଲୋଚନା କରିଥିଲେ। ପରିଦର୍ଶନ ସମୟରେ ଉପମୁଖ୍ୟମନ୍ତ୍ରୀ ଲୋକଙ୍କ ସ୍ଥାନାନ୍ତରଣ, ରିଲିଫ୍ ବଣ୍ଟନ, ପାନୀୟ ଜଳ ଯୋଗାଣ, ପରିମଳ ବ୍ୟବସ୍ଥା, ସ୍ୱାସ୍ଥ୍ୟସେବା, ଯୋଗାଯୋଗ ବ୍ୟବସ୍ଥା, କୃଷି କ୍ଷୟକ୍ଷତି ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସେବା ସମ୍ପର୍କରେ ସ୍ଥିତି ଅନୁଧ୍ୟାନ କରିଥିଲେ। ବନ୍ୟା ପ୍ରଭାବିତ ଲୋକଙ୍କ ନିକଟରେ ତ୍ୱରିତ ଓ ଆବଶ୍ୟକ ସହାୟତା ପହଞ୍ଚାଇବା ନିମନ୍ତେ ଜିଲ୍ଲା ପ୍ରଶାସନ ଓ ବିଭିନ୍ନ ବିଭାଗ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ମଧ୍ୟ ସେ ସମୀକ୍ଷା କରିଥିଲେ। ଅପରାହ୍ନ ୩ଟା ସମୟରେ କେନ୍ଦ୍ରାପଡ଼ା ସର୍କିଟ୍ ହାଉସ୍ ସମ୍ମିଳନୀ କକ୍ଷରେ ଉପମୁଖ୍ୟମନ୍ତ୍ରୀ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କ ସହ ବନ୍ୟା ପରିସ୍ଥିତି ସମ୍ପର୍କିତ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଥିଲେ। ଏହି ବୈଠକରେ ଜିଲ୍ଲାର ସାମଗ୍ରିକ ବନ୍ୟା ପରିସ୍ଥିତି, ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ, ସ୍ଥାନାନ୍ତରଣ ବ୍ୟବସ୍ଥା, ରିଲିଫ୍ କେନ୍ଦ୍ର ଓ ମାଗଣା ରନ୍ଧାଘରର ପରିଚାଳନା, ଅତ୍ୟାବଶ୍ୟକ ସାମଗ୍ରୀର ଉପଲବ୍ଧତା, ସ୍ୱାସ୍ଥ୍ୟ ଓ ପ୍ରାଣୀ ଚିକିତ୍ସା ସେବା, ରାସ୍ତା ଓ ଯୋଗାଯୋଗ ବ୍ୟବସ୍ଥାର ପୁନରୁଦ୍ଧାର ଏବଂ କ୍ଷୟକ୍ଷତି ଆକଳନର ସ୍ଥିତି ସମ୍ପର୍କରେ ବିସ୍ତୃତ ସମୀକ୍ଷା କରିଥିଲେ। ବନ୍ୟା ପ୍ରଭାବିତ ପରିବାରଗୁଡ଼ିକୁ ସମୟୋଚିତ ଓ ପ୍ରଭାବଶାଳୀ ସହାୟତା ଯୋଗାଇବା ସହ ସ୍ୱାଭାବିକ ପରିସ୍ଥିତିର ଶୀଘ୍ର ପୁନରୁଦ୍ଧାର ନିମନ୍ତେ ବିଭିନ୍ନ ବିଭାଗର ପ୍ରସ୍ତୁତି, ପରସ୍ପର ସମନ୍ୱୟ ଏବଂ ଆବଶ୍ୟକ ପଦକ୍ଷେପ ସମ୍ପର୍କରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା। ବନ୍ୟା ପ୍ରଭାବିତ ଅଞ୍ଚଳରେ ଆବଶ୍ୟକ ରିଲିଫ୍, ଉଦ୍ଧାର, ସ୍ୱାସ୍ଥ୍ୟସେବା ଓ ଅତ୍ୟାବଶ୍ୟକ ସେବା ତ୍ୱରିତ ଭାବେ ପହଞ୍ଚାଇବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ମହାକାଳପଡ଼ା ବିଧାୟକ ଡ. ଦୁର୍ଗା ପ୍ରସନ ନାୟକ, ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ, କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା, ଆଳି ବିଧାୟକ ପ୍ରତାପ କେଶରୀ ଦେବଙ୍କ ସମେତ ଜିଲ୍ଲାପାଳ ରଘୁରାମ ଆର. ଆୟର, ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କାଟାରିଆ,ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ରବୀନ୍ଦ୍ର କୁମାର ମଲ୍ଲିକ, ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ନବକ୍ରିଷ୍ଣ ଜେନା, ଉପଜିଲ୍ଲାପାଳ ଅରୁଣ କୁମାର ନାୟକଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।


