ହିନ୍ଦୁ ତିଳକ ବିଜ୍ଞାନ ସମ୍ମତ


ଅଧ୍ୟାପକ ହେମନ୍ତ କୁମାର ଗନ୍ତାୟତ

ସମଗ୍ର ବିଶ୍ୱରେ ହିନ୍ଦୁ ଧର୍ମ ଓ ତା’ର ସଂସ୍କୃତି ଅତୀବ ପ୍ରାଚୀନ ଏବଂ ବିଜ୍ଞାନ ସମ୍ମତ ଅଟେ। ଏହି ସଂସ୍କୃତିର ଏକ ଏକ କର୍ମ ବା ବିଧି ଯଥାର୍ଥତାରେ ପରିପୂର୍ଣ୍ଣ। ସେଥି ମଧ୍ୟରୁ ତିଳକ ଧାରଣର ବିଶେଷ ମହତ୍ତ୍ଵ ଓ ବିଧି-ବିଧାନର ଗୁରୁତ୍ବ ଦେଖିବାକୁ ମିଳେ। ବୈଜ୍ଞାନିକ ମତ ଅନୁଯାୟୀ ମନୁଷ୍ୟମାନେ କପାଳରେ ତିଳକ ଧାରଣ କଲେ ମନ ଶାନ୍ତ ରହିବା ସହିତ ଏକାଗ୍ରତା ବୃଦ୍ଧି ପାଇଥାଏ ଏବଂ ମାନସିକ ଚାପ ହ୍ରାସ ଘଟେ। ତତ୍ ସହ ଧ୍ୟାନ ଓ ସାତ୍ତ୍ୱିକ ଗୁଣର ଅଭିବୃଦ୍ଧି ହୁଏ । ଏହି ତିଳକକୁ ଧାରଣ କରିବାର କିଛି ବିଶେଷ ବିଧାନ ମଧ୍ୟ ରହିଛି। ସର୍ଵ ପ୍ରଥମେ ପ୍ରାତଃ କାଳରେ ସ୍ନାନ ଶୌଚାଦି କର୍ମ ସାରି ପୂଜା ସ୍ଥଳ କିମ୍ବା ପବିତ୍ର ସ୍ଥାନରେ ମନ୍ତ୍ର ଉଚ୍ଚାରଣ ସହିତ ଅଙ୍ଗୁଳି ଦ୍ଵାରା ତିଳକକୁ ଧାରଣ କରାଯାଏ। ଯେଉଁ ବ୍ୟକ୍ତିମାନେ ନିଜେ ଦକ୍ଷିଣ ହସ୍ତର ଅନାମିକା ଅଙ୍ଗୁଳିରେ ତିଳକ କରନ୍ତି, ସେ’ମାନେ ଶାନ୍ତି ଓ ସମୃଦ୍ଧି ପ୍ରାପ୍ତି କରିଥାନ୍ତି। ଅନ୍ୟକୁ ବୃଦ୍ଧାଙ୍ଗୁଳିରେ ଲଗାଇଲେ ଆୟୁ, ଆରୋଗ୍ୟ ଏବଂ ମୁକ୍ତି ମିଳିଥାଏ। ସେଭଳି ମଧ୍ୟମା ଦ୍ୱରା ଦୀର୍ଘ ଆୟୁ ଓ ସୌଭାଗ୍ୟ ବୃଦ୍ଧି ଘଟିଥାଏ ଏବଂ ତର୍ଜନୀରେ ମୋକ୍ଷ ପ୍ରାପ୍ତି ହୁଏ। ପିତୃପୁରୁଷ କିମ୍ବା ଶ୍ରାଦ୍ଧ କାର୍ଯ୍ୟରେ ଏହି ମଧ୍ୟମା ଅଙ୍ଗୁଳିର ବ୍ୟବହୃତ ହୋଇଥାଏ।
ସାଧାରଣତଃ ହିନ୍ଦୁ ଧର୍ମର ଭିନ୍ନ ଭିନ୍ନ ସମ୍ପ୍ରଦାୟୀମାନେ ତିଳକକୁ ବିଭିନ୍ନ ଆକୃତିରେ ଧାରଣ କରିଥାନ୍ତି। ଯାହା ମୁଖ୍ୟତଃ ତିନି ଭାଗରେ ବିଭକ୍ତ, ଯଥା: ବୈଷ୍ଣବ ତିଳକ, ଶୈବ ତିଳକ ଓ ଶାକ୍ତ ତିଳକ। ଯେଉଁମାନେ ଶ୍ରୀବିଷ୍ଣୁଙ୍କ ଭକ୍ତ ସେମାନଙ୍କୁ ବୈଷ୍ଣବ କୁହାଯାଏ। ଏହି ଭକ୍ତମାନେ ଗୋପୀଚନ୍ଦନରେ ଊର୍ଦ୍ଧ୍ୱପୁଣ୍ଡ୍ରକ ତିଳକ ଲଗାଇଥାନ୍ତି । ଏହାକୁ ଶରୀରର ବାରଗୋଟି ଅଙ୍ଗରେ ଧାରଣ କରିବା ସହ ବିଷ୍ଣୁଙ୍କର ବାରଗୋଟି ନାମକୁ ସ୍ମରଣ କରିବାର ବିଧି ମଧ୍ୟ ରହିଛି। ଯଥା: କପାଳରେ ଓଁ କେଶବାୟ ନମଃ, ନାଭି ପାଖରେ ଓଁ ନାରାୟଣାୟ, ହୃଦୟରେ ଓଁ ମାଧବାୟ ନମଃ, କଣ୍ଠ ଦେଶରେ ଓଁ ଗୋବିନ୍ଦାୟ ନମଃ, ଡାହାଣ ଉଦର ପାର୍ଶ୍ୱରେ ଓଁ ବିଷ୍ଣବେ ନମଃ, ଡାହାଣ ବାହୁରେ ଓଁ ମଧୁସୂଦନାୟ ନମଃ, ଡାହାଣ କାନ୍ଧରେ ଓଁ ତ୍ରିବିକ୍ରମାୟ ନମଃ, ବାମ ଉଦର ପାର୍ଶ୍ୱରେ ଓଁ ବାମନାୟ ନମଃ, ବାମ ବାହୁରେ ଓଁ ଶ୍ରୀଧରାୟ ନମଃ, ବାମ କାନ୍ଧରେ ଓଁ ହୃଷୀକେଶାୟ ନମଃ, ପିଠିର ଉପର ଭାଗରେ ଓଁ ପଦ୍ମନାଭାୟ ନମଃ ଏବଂ ବେକର ପଛ ପାଖ ଓଁ ଦାମୋଦରାୟ ନମଃ। ପରନ୍ତୁ ଗୌଡିୟ ବୈଷ୍ଣବ ସମ୍ପ୍ରଦାୟ ଠାରୁ ରାମାନୁଜ ସମ୍ପ୍ରଦାୟ ମଧ୍ୟରେ ତିଳକର କିଛିଟା ଭିନ୍ନତା ଦେଖାଯାଏ। ଏହି ରାମାନୁଜ ସମ୍ପ୍ରଦାୟକୁ ଶ୍ରୀସମ୍ପ୍ରଦାୟ ମଧ୍ୟ କୁହାଯାଏ। ଯାହାର ଆଚାର୍ଯ୍ୟ ଅଟନ୍ତି ପରମ ବୈଷ୍ଣବ ଶ୍ରୀରାମାନୁଜ। ଏ ସମ୍ପ୍ରଦାୟ ସହିତ ଜଗନ୍ନାଥ ସଂସ୍କୃତିର ନିବିଡ ସମ୍ପର୍କ ରହିଛି। ଏହାର ପ୍ରମାଣ ସ୍ୱରୂପ ଶ୍ରୀମନ୍ଦିରର ନୀଳଚକ୍ର ତଳେ ଥିବା ଦଧିନଉତି ଏବଂ ତା’ର ପୂର୍ବ ବକ୍ଷ ସ୍ଥଳରେ ଶୋଭାପାଉଥିବା ରାମାନନ୍ଦୀ ଚିତା ବା ତିଳକ।
ଯେଉଁମାନେ ମହାଯୋଗୀ ଶିବଙ୍କୁ ଉପାସନା କରନ୍ତି, ସେହିମାନଙ୍କୁ
ଶୈବ ସମ୍ପ୍ରଦାୟ କୁହାଯାଏ। ଏହିମାନେ ତ୍ରିପୁଣ୍ଡ୍ର ବିଭୂତି ବା ଭସ୍ମ ମଥାରେ ଓ ଅଙ୍ଗ ଗୁଡିକରେ ଧାରଣ କରନ୍ତି। ଯାହା ତିନୋଟି ସମାନ୍ତରାଳ ରେଖା ହୋଇଥାଏ। ଲଗାଇବା ସମୟରେ ଗୁରୁଙ୍କ ଠାରୁ ପାଇଥିବା ମନ୍ତ୍ର ବା ନିମ୍ନ ପ୍ରଦତ୍ତ ମନ୍ତ୍ରକୁ ଉଚ୍ଚାରଣ କରିଥାନ୍ତି:
କଶ୍ୟପସ୍ୟ ତ୍ର୍ୟାୟୁଷଂ ଜମଦଗ୍ନେଃ ତ୍ର୍ୟାୟୁଷମ୍‌।
ଯଦ୍ଦେବାନାଂ ତ୍ର୍ୟାୟୁଷଂ ତନ୍ନୋ ଅସ୍ତୁ ତ୍ର୍ୟାୟୁଷମ୍‌ ॥
ଅର୍ଥାତ୍ କଶ୍ୟପ ମହର୍ଷି, ଜମଦଗ୍ନି ଏବଂ ଦେବତାମାନଙ୍କର ଯେଉଁ ଦୀର୍ଘ ଆୟୁ ଓ କଲ୍ୟାଣକାରୀ ଶକ୍ତି ରହିଛି, ଏହି ଭସ୍ମ ଧାରଣ ଦ୍ୱାରା ତାହା ମୋତେ ପ୍ରାପ୍ତ ହେଉ।
ଯେଉଁମାନେ ଦେବୀଙ୍କୁ ଉପାସକ କରନ୍ତି ସେମାନଙ୍କୁ ଶାକ୍ତ ସଂପ୍ରଦାୟ ବୋଲି କୁହାଯାଏ। ଏମାନେ ସାଧାରଣତଃ କୁଙ୍କୁମ, ସିନ୍ଦୂର କିମ୍ବା ରକ୍ତଚନ୍ଦନରେ ଏକ ସିଧା ରେଖା କିମ୍ବା ବିନ୍ଦୁ ଆକାରକୁ ବ୍ୟବହାର କରନ୍ତି। ଧାରଣ ବେଳରେ ନିମ୍ନ ଲିଖିତ ମନ୍ତ୍ରକୁ ଉଚ୍ଚାରଣ ମଧ୍ଯ କରିଥାନ୍ତି:
ସିନ୍ଦୂରଂ ଶୋଭନଂ ରକ୍ତଂ ସୌଭାଗ୍ୟଂ ସୁଖବର୍ଦ୍ଧନମ୍ |
ଶୁଭଦଂ କାମଦଂ ଚୈବ ଦେବୀ ଧାରୟାମ୍ୟହମ୍।।
ଏହାର ଅର୍ଥ ହେଉଛି: ଏହି ସିନ୍ଦୂର ଅତ୍ୟନ୍ତ ସୁନ୍ଦର ଓ ଲାଲ୍ ବର୍ଣ୍ଣ ଯୁକ୍ତ ଅଟେ । ତାହାସହିତ ସୌଭାଗ୍ୟ ଓ ସୁଖର ମଧ୍ୟ ବୃଦ୍ଧି କାରକ। ଯାହାକୁ ମୁଁ ଦେବୀଙ୍କ ପ୍ରସାଦ ରୂପେ ମସ୍ତକ ବା କପାଳରେ ଧାରଣ କରୁଛି।
ଶ୍ରୀଜଗନ୍ନାଥ ସଂସ୍କୃତିରେ ତିଳକ ବା ଚିତାର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ଯାହା ଗଭୀର ଏବଂ ଆଧ୍ୟାତ୍ମିକ ମହତ୍ତ୍ୱକୁ ଦର୍ଶାଏ। ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ ଶ୍ରୀଅଙ୍ଗରେ ଲାଗି ହେଉଥିବା ତିଳକ ସାଧାରଣ ତିଳକଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଏହାକୁ ଓଡ଼ିଶାର ପାରମ୍ପରିକ ଭାଷାରେ “ଚିତା” ବୋଲି କୁହାଯାଏ। ତାହା ଚନ୍ଦନ, ଭସ୍ମ ବା ସିନ୍ଦୂରରେ ତିଆରି ହୋଇନଥାଏ। ଏହା ସୁନା, ହୀରା, ନୀଳା ଏବଂ ମାଣିକ୍ୟ ଭଳି, ମୂଲ୍ୟବାନ ରତ୍ନ ଆଦିରେ ନିର୍ମିତ। ସେଥି ମଧ୍ୟରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମଥାରେ ହୀରାଖଚିତ ଚିତା, ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ମଥାରେ ନୀଳାଖଚିତ ଚିତା ଏବଂ ଦେବୀ ସୁଭଦ୍ରାଙ୍କ ମଥାରେ ମାଣିକ୍ୟ ବା ପଦ୍ମରାଗ ମଣିର ଚିତା ଧାରଣ କରିଥାନ୍ତି, ଯାହା ଚିତା ଲାଗି ଅମାବାସ୍ୟା ଦିନ ଲାଗି ହୁଏ।
ତିଳକ କେବଳ ଏକ ସଧାରଣ ଚିହ୍ନ ନୁହେଁ, ଏହା ହେଉଛି ବିଜ୍ଞାନ ସମ୍ମତ ଏବଂ ହିନ୍ଦୁ ଧର୍ମର ଅଧ୍ୟାତ୍ମିକ ଓ ସ୍ୱାଭିମାନର ପ୍ରତୀକ । ଏହି ତିଳକ ସମାଜରେ ପରସ୍ପର ପରସ୍ପରଙ୍କ ପ୍ରତି ଆଦର ଓ ସମ୍ମାନ ବଢ଼ାଇବାରେ ସହାୟକ ହୋଇଥାଏ। ଏହା ଆମ ଭିତରେ ଥିବା ଭଗବାନଙ୍କ ଅଂଶକୁ ସମ୍ମାନ ଜଣାଇବାର ଏକ ପ୍ରକୃଷ୍ଟ ମାଧ୍ୟମ। ଏହି ତିଳକ ଆମକୁ ସଦାସର୍ବଦା ଅସତ୍ ମାର୍ଗରୁ ସତ୍‌ମାର୍ଗ ଆଡ଼କୁ ଟାଣି ନେଇଥାଏ। ତାହା ସହ ମନକୁ ସଂଯମ ରଖିବାକୁ ଏବଂ ନିଜ ସଂସ୍କୃତିକୁ ଭଲ ପାଇବାକୁ ପ୍ରେରଣା ଯୋଗାଇ ଥାଏ।

ବରିଷ୍ଠ ଦର୍ଶନ ଅଧ୍ୟାପକ
ଆସିକା, ଗଞ୍ଜାମ।
୯୮୬୧୩୩୪୮୬୮

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ