ଶିଶୁ ସେବିକା ଚାକିରି ମିଳିଲାନି, ସ୍କୁଲରେ ତାଲା: ୧୪୩ ପିଲାଙ୍କ ପାଠପଢ଼ା ଠପ୍, ପ୍ରଶାସନ ନିରବ

କୋରାପୁଟ,  (ହେମନ୍ତ ପାଣିଗ୍ରାହୀ) : ଭଉଣୀଙ୍କୁ ଶିଶୁ ସେବିକା ଭାବେ ନିଯୁକ୍ତି ମିଳିଲାନି ବୋଲି ସ୍କୁଲରେ ତାଲା! ଆଉ ତାଲା ପଡ଼ିଛି ମାତ୍ର ଗୋଟିଏ ଦିନ ନୁହେଁ, ପ୍ରାୟ ୧୫ ଦିନ ହେଲା। ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ଗାରିଡ଼ି ପଞ୍ଚାୟତ ଅଧୀନ ଡୁମାଡଙ୍ଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ। କଥାଟି ଆହୁରି ରୋଚକ। ପ୍ରାୟ ୬୮ ବର୍ଷ ତଳେ ବିଦ୍ୟାଳୟ ନିର୍ମାଣ ପାଇଁ ଗ୍ରାମରେ ଅନାବାଦୀ ଜମିର ଅଭାବ ଥିବାରୁ ସରପତି ମିଣିଆକାଙ୍କ ମାଆ ସୋଲାଇ ମିଣିଆକାଙ୍କ ନାମରେ ଥିବା ୫୦ ସେଣ୍ଟ ଜମିରୁ ଜମି ଦାନ କରାଯାଇଥିଲା। ସରକାର ମଧ୍ୟ ସେହି ଜମିରେ ଦୁଇଟି ଶ୍ରେଣୀଗୃହ ସହ ବିଦ୍ୟାଳୟର ଅନ୍ୟାନ୍ୟ କୋଠରୀ ନିର୍ମାଣ କରିଥିଲେ। ଆଜି ସେହି ସ୍କୁଲରେ ଶିଶୁ ବାଟିକାଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୪୩ ଜଣ ପିଲା ପାଠ ପଢ଼ୁଛନ୍ତି। ଶିକ୍ଷକ ମାତ୍ର ୪ ଜଣ। ଏତେ ପିଲାଙ୍କ ଭବିଷ୍ୟତ ଗଢ଼ିବାର ଦାୟିତ୍ୱ ଯେଉଁଠି ଶିକ୍ଷକଙ୍କ କାନ୍ଧରେ, ସେଠି ଏବେ ଦୁଇଟି ଶ୍ରେଣୀଗୃହରେ ତାଲା ପଡ଼ିଥିବାରୁ ପାଠପଢ଼ା ନେଇ ସଙ୍କଟ ସୃଷ୍ଟି ହୋଇଛି। ଅଭିଯୋଗ ଅନୁଯାୟୀ, ବିଦ୍ୟାଳୟ ପରିଚାଳନା କମିଟି ଓ ପ୍ରଧାନ ଶିକ୍ଷକଙ୍କୁ ଶିଶୁ ସେବିକା ନିଯୁକ୍ତି ପାଇଁ କ୍ଷମତା ଦିଆଯାଇଛି। ଜମି ଦାତା ସରପତି ମିଣିଆକାଙ୍କ ମୃତ୍ୟୁ ପରେ ତାଙ୍କ ଏକମାତ୍ର ପୁଅ ସନ୍ତୋଷ ମିଣିଆକା ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ରହିଛନ୍ତି। ନିଜ ଭଉଣୀ ରଶ୍ମିତା ମିଣିଆକାଙ୍କୁ ଶିଶୁ ସେବିକା ଭାବେ ନିଯୁକ୍ତି ଦେବାକୁ ସେ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। କିନ୍ତୁ ନିଯୁକ୍ତିର ଚକ୍ର ଅନ୍ୟ ଦିଗକୁ ଘୂରିଲା। ବିଦ୍ୟାଳୟ ପରିଚାଳନା କମିଟି ଓ ପ୍ରଧାନ ଶିକ୍ଷକ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ଗ୍ରାମର ଚଞ୍ଚଳା ମାଣ୍ଡିଙ୍ଗିଙ୍କୁ ଶିଶୁ ସେବିକା ଭାବେ ନିଯୁକ୍ତି ଦେଇଥିଲେ। ଏହା ପରେ ଆରମ୍ଭ ହେଲା ତାଲା ପର୍ବ! ସନ୍ତୋଷ ମିଣିଆକା ନିଜ ଜମିରେ ବିଦ୍ୟାଳୟ ନିର୍ମାଣ ହୋଇଥିବା ଦାବି କରି ଦୁଇଟି ଶ୍ରେଣୀଗୃହରେ ତାଲା ପକାଇ ଦେଇଥିବା ଜଣାପଡ଼ିଛି। ଘଟଣା ସମ୍ପର୍କରେ ପ୍ରଧାନ ଶିକ୍ଷକ, ବିଇଓ, ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇଥିବା ସତ୍ତ୍ୱେ ତିନି ମାସ ଧରି ପ୍ରଶାସନିକ ସମାଧାନ ନ ମିଳିବା ପରେ ଗତ ୧୫ ଦିନ ହେଲା ଶ୍ରେଣୀଗୃହ ତାଲାବନ୍ଦ ରହିଛି। ପ୍ରଶ୍ନ ଉଠୁଛି ସ୍କୁଲ କାହାର? ଜମି କାହାର? ଏବଂ ସବୁଠାରୁ ବଡ଼ ପ୍ରଶ୍ନ, ପିଲାମାନଙ୍କ ଭବିଷ୍ୟତ କାହାର ଦାୟିତ୍ୱ? ଭଉଣୀଙ୍କ ଚାକିରି ନ ହେବାର ରାଗରେ ଯଦି ସ୍କୁଲର ଶ୍ରେଣୀଗୃହରେ ତାଲା ପଡ଼େ, ତେବେ ୧୪୩ ଜଣ ପିଲା କେଉଁଠି ପଢ଼ିବେ ଏହି ପ୍ରଶ୍ନ ଏବେ ଅଭିଭାବକ ଓ ବିଦ୍ୟାଳୟ ପରିଚାଳନା କମିଟିକୁ ଚିନ୍ତାରେ ପକାଇଛି। ଆଉ ପ୍ରଶାସନର ନିରବତା ଏହି ପ୍ରଶ୍ନକୁ ଆହୁରି ଗମ୍ଭୀର କରିଛି। ଏପଟେ ତାଲା ଖୋଲିବାକୁ ଜମି ଧାରୀ ରୋକଠୋକ୍ ମନା କରୁଥିବାରୁ ବିଦ୍ୟାଳୟ ପରିଚାଳନା କମିଟି ଅନ୍ୟ ଏକ ଅନାବାଦୀ ଜମିରେ ନୂତନ ବିଦ୍ୟାଳୟ କୋଠା ନିର୍ମାଣ ପାଇଁ ସରକାରଙ୍କୁ ଦାବି କରିଛି। ଅନ୍ୟପକ୍ଷରେ ବ୍ଲକ ଅତିରିକ୍ତ ଶିକ୍ଷା ଅଧିକାରୀ ପ୍ରଧାନ ଶିକ୍ଷକଙ୍କୁ ଥାନାରେ ଏତଲା ଦେବାକୁ କହିଥିଲେ ମଧ୍ୟ ପ୍ରଧାନ ଶିକ୍ଷକ ଏଥିରେ ରାଜି ହୋଇନଥିବା ଜଣାପଡ଼ିଛି। ଡୁମାଡଙ୍ଗର ବିଦ୍ୟାଳୟକୁ ବି.ଗୁରୁସି, ଡିମ୍ବାଗୁଡ଼ା, ଦୁର୍ଗୀ, ରୁଟୁପାଇ, କେ.ଗୁରୁସି ଓ ବାରିଆଭଟ୍ଟା ଆଦି ଗ୍ରାମର ପିଲାମାନେ ଆସି ପାଠ ପଢ଼ୁଛନ୍ତି। ତେଣୁ ସ୍କୁଲରେ ତାଲା ପଡ଼ିବା ଘଟଣା କେବଳ ଗୋଟିଏ ପରିବାର କିମ୍ବା ଗୋଟିଏ ଗାଁର ସମସ୍ୟା ହୋଇ ରହିନାହିଁ; ଏହା ଶତାଧିକ ପିଲାଙ୍କ ଶିକ୍ଷାକୁ ପ୍ରଭାବିତ କରୁଥିବା ଏକ ଗମ୍ଭୀର ପ୍ରଶ୍ନ। ବିଦ୍ୟାଳୟ ପରିଚାଳନା କମିଟିର ଚେୟାରମ୍ୟାନ ସଞ୍ଜୀବ କଞ୍ଜାକା, ଭାଇସ୍‌ ଚେୟାରମ୍ୟାନ ନିର୍ମଳା କାଣ୍ଡ, ସଦସ୍ୟ ସୁକ୍ରୀୟା କଞ୍ଜାକା, ମକରଧଜ ଖୋରା, ଦୁର୍ଲଭ ପେରିଶିକା, ନିରୋଦ ହିମିରିକା ଓ ଦୂର୍ଯ୍ୟ ଜାକାକା ପ୍ରମୁଖ ଘଟଣାରେ ନିରାଶ ପ୍ରକାଶ କରି ତୁରନ୍ତ ନୂତନ ବିଦ୍ୟାଳୟ କୋଠା ନିର୍ମାଣ ପାଇଁ ସରକାରଙ୍କ ହସ୍ତକ୍ଷେପ ଦାବି କରିଛନ୍ତି। ଶିକ୍ଷାର ମନ୍ଦିରରେ ତାଲା, ଆଉ ପ୍ରଶାସନର ଦ୍ୱାରରେ ନିରବତା—ଏହି ଘଟଣା ଏବେ ଡୁମାଡଙ୍ଗର ଅଭିଭାବକଙ୍କ ମନରେ ଗୋଟିଏ ପ୍ରଶ୍ନ ଛାଡ଼ିଛି: ଚାକିରିକୁ ନେଇ ବିବାଦର ଶାସ୍ତି କ’ଣ ପିଲାମାନେ ଭୋଗିବେ ?

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ