ପାଣି ଘେରରେ ପଞ୍ଚୁଗୋଛିଆ ଗାଁର ଗୋବର ଗାଡ଼ିଆ ସାହି

ହାଟଡିହି(ଓ୍ବାଇଏନଏସ): ବର୍ଷା ହେଲେ ପାଣି ଘେରରେ ରହୁଛି ପଞ୍ଚୁଗୋଛିଆ ଗାଁର ଗୋବର ଗାଡ଼ିଆ ସାହି। ବର୍ଷାଜଳ ନିଷ୍କାସନ ପାଇଁ ସଠିକ୍ ବ୍ୟବସ୍ଥା ନଥିବାରୁ ରାସ୍ତା ଉପରେ ପାଣି ଜମି ରହୁଛି। ଫଳରେ ସାହିବାସୀଙ୍କ ଦୈନନ୍ଦିନ ଯାତାୟାତ ଏବେ ଦୁର୍ବିଷହ ହୋଇପଡ଼ିଛି। ଏହି ରାସ୍ତା ଦେଇ ପ୍ରାୟ ୧୫୦ ଜଣ ଲୋକ ନିୟମିତ ଯାତାୟାତ କରୁଥିବା ବେଳେ ବର୍ଷା ସମୟରେ ରାସ୍ତାରେ ପାଣି ଜମି ରହିବା ଯୋଗୁଁ ସମସ୍ତଙ୍କୁ ନାନା ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ବିଶେଷକରି ସ୍କୁଲ ଛାତ୍ରଛାତ୍ରୀ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ଯାଉଥିବା କୁନି କୁନି ପିଲାମାନେ ଏହି ରାସ୍ତାରେ ଯାତାୟାତ କରିବା ବେଳେ ଅସୁବିଧା ଭୋଗୁଛନ୍ତି। ସାହିବାସୀଙ୍କ ଅଭିଯୋଗ ଅନୁଯାୟୀ, ରାସ୍ତାରେ ଜଳ ନିଷ୍କାସନ ବ୍ୟବସ୍ଥା ନଥିବାରୁ ସାମାନ୍ୟ ବର୍ଷାରେ ମଧ୍ୟ ପାଣି ଜମିଯାଉଛି। ନୂତନ ରାସ୍ତା ନିର୍ମାଣ ବେଳେ ଜଳ ନିଷ୍କାସନ ପାଇଁ ଉପଯୁକ୍ତ ବ୍ୟବସ୍ଥା ନକରିବାରୁ ଏପରି ଅବସ୍ଥା ସୃଷ୍ଟି ହୋଇଛି। ଦୀର୍ଘ ସମୟ ଧରି ଏହି ସମସ୍ୟା ଲାଗି ରହିଥିଲେ ମଧ୍ୟ ସ୍ଥାୟୀ ସମାଧାନ ହୋଇନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଗାଁ ରାସ୍ତାରେ ଡ୍ରେନେଜ ବ୍ୟବସ୍ଥା  ସହିତ ଉପଯୁକ୍ତ ଜଳ ନିଷ୍କାସନ ବ୍ୟବସ୍ଥା କରାଗଲେ ସାହିବାସୀଙ୍କ ଦୁର୍ଦ୍ଦଶା ଦୂର ହୋଇପାରିବ ବୋଲି ଗ୍ରାମର ସରସ୍ଵତୀ ଜେନା, ବୁଲା ଜେନା, ପ୍ରମିଳା ଜେନା, ଜୟନ୍ତୀ ଜେନା, ଉମାକାନ୍ତ ଜେନା, ତରଣି ଜେନା, ମଦନ ଜେନା, ସୁଦାମ ଜେନା, ବାବୁ ଜେନା, ସୁଶାନ୍ତ ଜେନା, ଅନିତା ଜେନା, ଶଶିକାନ୍ତ ଜେନା, ସୁଲୋଚନା ଜେନା, ଜାନକୀ ଜେନା, ରଙ୍ଗବତୀ ଜେନା, ଭାନୁମତୀ ଜେନା, ଆନନ୍ଦ ଜେନା ଓ ପ୍ରତୀମା ଜେନା ପ୍ରମୁଖ କହିଛନ୍ତି। ବ୍ଲକ କର୍ତ୍ତୃପକ୍ଷ ତୁରନ୍ତ ଉପଯୁକ୍ତ ବ୍ୟବସ୍ଥା ମାଧ୍ୟମରେ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ସେମାନେ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ