ପ୍ରଶାସନଙ୍କ ବାରଣ ସତ୍ୱେ ଦେବୀ ନଦୀର ତୁମ୍ବେଶ୍ୱର ଘାଟରେ କାଉଡିଆଙ୍କ ଭିଡ଼
ନାଉଗାଁ , (ପ୍ରଦୋଷ ମହାନ୍ତି): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ଗଜରାଜପୁର ପଞ୍ଚାୟତର ପ୍ରମୁଖ ଶୈବ୍ୟ ପୀଠ ତୁମ୍ବେଶ୍ୱର ମହାଦେବ ମନ୍ଦିର | ଏହି ପୀଠ ପାର୍ଶ୍ବରେ ପ୍ରବାହିତ ଦେବୀ ନଦୀ। ଜିଲ୍ଲା ଓ ଜିଲ୍ଲା ବାହାରୁ ପ୍ରତି ବର୍ଷ ହଜାର ହଜାର କାଉଡିଆ ମାନସିକ ରଖି ଏହି ଦେବୀ ନଦୀର ତୁମ୍ଭେଶ୍ବର ଘାଟ ନିକଟରୁ ପାଣି ଉଠାଇ ବିଭିନ୍ନ ଶୈବ୍ୟ ପୀଠରେ ଶିବଙ୍କ ଉପରେ ଜଳାଭିଷେକ କରିଥାନ୍ତି | ଚଳିତ ବର୍ଷ ସାରା ରାଜ୍ୟରେ ବନ୍ୟା ଭଳିସ୍ଥିତିକୁ ଆଖି ଆଗରେ ରଖି ଜିଲ୍ଲାପାଳଙ୍କ ନିର୍ଦ୍ଧେଶକ୍ରମେ ଦେବୀନଦୀର ବିଭିନ୍ନ ଘାଟରେ କାଉଡିଆମାନେ ନଦୀ ଭିତରକୁ ନ ଯିବା ପାଇଁ ଉକ୍ତ ସ୍ଥାନ ମାନଙ୍କରେ ପୋଷ୍ଟର ଲଗାଇବା ସହିତ ଡାକବାଜି ଯନ୍ତ୍ର ସାହାଯ୍ୟରେ ଲୋକମାନଙ୍କୁ ସଚେତନ କରାଯାଇଛି | ଏହା ସତ୍ୱେ ରବିବାର ଦିନ ତୁମ୍ଭେଶ୍ୱର ଶୈବ୍ୟ ପୀଠର ନିକଟସ୍ଥ ତୁମ୍ବେଶ୍ୱର ଘାଟ ନିକଟରେ ଦେଖିବାକୁ ମିଳିଥିଲା କଉଡ଼ିଆମାନଙ୍କ ଭିଡ | କାନ୍ଧରେ ବାହୁଙ୍ଗୀ ରଖି ତୁଣ୍ଡରେ ବୋଲବମ ହର ହର ବମ ନାରା ଦେଇ ଚାଲିଥାନ୍ତି ନିଜ ନିଜ ମାନସିକ ଶୈବ ପୀଠକୁ | ବାଟ ଯାକ କାଉଡିଆ ମାନଙ୍କ ସେବା ଉଦ୍ଦେଶ୍ୟରେ ଛକ ମାନଙ୍କରେ ଖାଦ୍ୟ ଷ୍ଟଲ ମାନ କରାଯାଇ ଥିବାର ଦେଖିବାକୁ ମିଳିଛି | ସେଠାରେ ବାହୁଙ୍ଗୀ ରଖିବା ପାଇଁ ଷ୍ଟାଣ୍ଡ କରାଯାଇଥାଏ , କାଉଡିଆ ମାନଙ୍କ ଖାଇବା ପାଇଁ ପୁରୀ ଡାଲମା , ଚା ବିସ୍କୁଟ ଆଦିର ବ୍ୟବସ୍ଥା କରାଯାଇଛି ବୋଲି ମୁଣ୍ଡାଳ ବଜାରର ବୋଲ ବମ ସେବା ସଂଘର ପ୍ରଦୀପ କୁମାର ରାୟ ,ସଂଜୟ ପାତ୍ର, ପୀତବାସ ବେହେରା , ମିଳନ ରାୟ , ସୌମ୍ୟନ୍ଦ୍ର ମଲ୍ଲିକ , ପ୍ରକାଶ ରାୟ, ବବୁଲ ରାୟ , ପ୍ରକାଶ ସ୍ୱାମୀ ପ୍ରମୁଖ ପ୍ରତି ବର୍ଷ ଏପରି ବ୍ୟବସ୍ଥା କରାଯାଏ ବୋଲି ମତ ରଖିଛନ୍ତି |


