ବାଲେଶ୍ୱର ଜିଲ୍ଲା ରକ୍ତଦାତା ସଂଘର ବାର୍ଷିକ ସମ୍ମିଳନୀ

ବାଲେଶ୍ୱର, (ସରୋଜ ପଣ୍ଡା): ରକ୍ତଦାନ କରି ଅନ୍ୟଜଣକ ଜୀବନ ରକ୍ଷା କରିବାଭଳି ମହତ କାର୍ଯ୍ୟର ପୁଣ୍ୟ କେବଳ ରକ୍ତଦାତାମାନଙ୍କୁ ହିଁ ମିଳିଥାଏ। ‘ଭେନ୍ୟା ପାରାଡାଇଜ୍‌’ ସଭାଗୃହରେ ବାଲେଶ୍ୱର ଜିଲ୍ଲା ରକ୍ତଦାତା ସଂଘର ଜିଲ୍ଲାସ୍ତରୀୟ ବାର୍ଷିକ ସମ୍ମିଳନୀରେ ଅତିଥି ଓ ବକ୍ତାମାନେ ମତବ୍ୟକ୍ତ କରିଥିଲେ। ଏହି ଉତ୍ସବରେ ସଂଘର ସଭାପତି କମଳ ଚକ୍ରବର୍ତ୍ତୀ ଅଧ୍ୟକ୍ଷତା କରିଥିଲେ। ଅତିଥିମାନେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ସମ୍ମିଳନୀକୁ ଉଦ୍‌ଘାଟନ କରି ସମଗ୍ର ରାଜ୍ୟରେ ବାଲେଶ୍ୱର ଜିଲ୍ଲା ରକ୍ତଦାନ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରିଛି ବୋଲି ସେମାନେ ମତ ଦେଇଥିଲେ। ଇଂ. ଡ. ହୃଷିକେଶ ସାହୁ ସଂପାଦକୀୟ ବିବରଣୀ ପାଠ କରିଥିଲେ। ଗତ ୨୦୨୫ ମସିହାରେ ବାଲେଶ୍ୱର ରକ୍ତ କେନ୍ଦ୍ର ଜରିଆରେ ୪୬୫ଟି ରକ୍ତଦାନ ଶିବିର ଜରିଆରେ ମୋଟ ୨୭,୬୬୩ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇ ପାରିଥିଲା। ସେହିପରି ନୀଳଗିରି ରକ୍ତ କେନ୍ଦ୍ର ଜରିଆରେ ୪୫ଟି ଶିବିରରୁ ଦୁଇହଜାର ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ଏହି ରକ୍ତଦାନ ଶିବିର ଆୟୋଜକ ଓ ରକ୍ତଦାତାମାନଙ୍କୁ ସମ୍ମିଳନୀ ଅବସରରେ ଶ୍ରୀ ସାହୁ ଶୁଭେଚ୍ଛା ଓ ଧନ୍ୟବାଦ ଜଣାଇଥିଲେ। ସଂଘର ବାର୍ଷିକ ମୁଖପତ୍ର ‘ସ୍ପନ୍ଦନ’କୁ ଅତିଥିମାନେ ଲୋକାର୍ପଣ କରିଥିଲେ। ଗତ ୨୦୧୨ ମସିହାରୁ ରକ୍ତଦାତା ସଂଘର ଜିଲ୍ଲାସ୍ତରୀୟ ସମ୍ମିଳନୀ ସହ ବିଶ୍ୱ ରକ୍ତଦାତା ଦିବସ ଓ ଜାତୀୟ ରକ୍ତଦାନ ଦିବସ ପାଳନ ହୋଇଆସୁଛି। ପ୍ରତି ପରିବାରୁ ସର୍ବନିମ୍ନ ଜଣେ ସ୍ୱେଚ୍ଛାକୃତ ରକ୍ତଦାତା ସୃଷ୍ଟି କରିବା ହିଁ ଜିଲ୍ଲା ରକ୍ତଦାତା ସଂଘର ଉଦ୍ଦେଶ୍ୟ ବୋଲି ଶ୍ରୀ ସାହୁ କହିଥିଲେ। ରକ୍ତଦାନ କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।
ଅତିଥି ଓ ବକ୍ତାଭାବେ ବାଲେଶ୍ୱରର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ବସ୍ତା ବିଧାୟିକା ସୁବାସିନୀ ଜେନା, ସଦର ବିଧାୟକ ମାନସ କୁମାର ଦତ୍ତ ଓ ଜିଲ୍ଲା ରକ୍ତ କେନ୍ଦ୍ର ଅଧିକାରୀ ଡା. ବସନ୍ତ ଉପାଧ୍ୟାୟ ପ୍ରମୁଖ ଯୋଗଦେଇ ରକ୍ତଦାତା ସଂଘର କାର୍ଯ୍ୟଧାରାକୁ ଉଚ୍ଚପ୍ରଶଂସା କରିଥିଲେ। ରାଜେଶ ଗିରି ଅତିଥିମାନଙ୍କୁ ମଞ୍ଚ ଆହ୍ୱାନ କରିଥିବାବେଳେ ଗୌରାଙ୍ଗ ପାଣିଗ୍ରାହୀ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ପୁରସ୍କାର ପ୍ରଦାନ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମକୁ ମନୋରଂଜନ ଦାସ ସଂଯୋଜନା କରିଥିଲେ। ଦେବାଶିଷ ପାଣି ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ପ୍ରଫୁଲ୍ଲ କୁମାର ଦାସ, ଶ୍ୟାମ ସୁନ୍ଦର ଜେନା, ଗଙ୍ଗାଧର ପୃଷ୍ଟି, ଲକ୍ଷ୍ମୀଧର ବାରିକ, ସୁବ୍ରତ କୁମାର ରଣା, ଆଶ୍ରିତା ତରେଇ, ସୁମନ୍ତ କୁମାର ଜେନା, ରବୀନ୍ଦ୍ର ନାଥ ଗିରି, ଯଶୋଦା ନନ୍ଦନ ଆଶ୍‌, ମୁକ୍ତାର ଅହମ୍ମଦ, ଜିତେନ୍ଦ୍ର କୁମାର ଦାଶ, ସିମନ ଦାସ ମହାପାତ୍ର, ଦିଲ୍ଲୀପ ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ