ଚାଷୀ ପଞ୍ଜୀକରଣ ନୂତନ ନିୟମକୁ ବିଜେଡିର ବିରୋଧ

ଜୟପୁର,  (ହେମନ୍ତ ପାଣିଗ୍ରାହୀ) : ରାଜ୍ୟ ସରକାରଙ୍କ ନୂତନ ଧାନ କ୍ରୟ ଓ ଚାଷୀ ପଞ୍ଜୀକରଣ ମାର୍ଗଦର୍ଶିକାକୁ ବିଜୁ ଜନତା ଦଳ (ବିଜେଡି) ତୀବ୍ର ବିରୋଧ କରିଛି। ଏହି ନିୟମ ରାଜ୍ୟର ପ୍ରାୟ ୮୦ ପ୍ରତିଶତ ଚାଷୀଙ୍କ ସ୍ୱାର୍ଥବିରୋଧୀ ବୋଲି ଦଳ ଅଭିଯୋଗ କରିଛି। ନିୟମରେ ତୁରନ୍ତ ସଂଶୋଧନ ନହେଲେ ଆଗାମୀ ଦିନରେ ଦଳ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି। ଜୟପୁରଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେଡିର ରାଜ୍ୟ ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ କହିଛନ୍ତି ଯେ, ନୂତନ ନିୟମ ଅନୁଯାୟୀ ଜମି ମାଲିକ ନିଜ ଜମିକୁ ପରିବାର ସଦସ୍ୟ କିମ୍ବା ଭାଗଚାଷୀଙ୍କୁ ଚାଷ ପାଇଁ ଦେଇଥିଲେ ମଧ୍ୟ ପଞ୍ଜୀକରଣ ସମୟରେ ଜମି ମାଲିକଙ୍କ ଉପସ୍ଥିତି ସହ ଆଇରିସ୍ ଓ ବାୟୋମେଟ୍ରିକ୍ ଦେବା ବାଧ୍ୟତାମୂଳକ ହୋଇଛି। ବହୁ ଜମି ମାଲିକ ରାଜ୍ୟ ବାହାରେ ଚାକିରି କରୁଥିବା କିମ୍ବା ଅସୁସ୍ଥ ହୋଇ ଶଯ୍ୟାଶାୟୀ ଥିବାରୁ ଏହି ନିୟମ ଯୋଗୁଁ ଭାଗଚାଷୀମାନେ ପଞ୍ଜୀକରଣରୁ ବଞ୍ଚିତ ହେବାର ଆଶଙ୍କା ରହିଛି। ଫଳରେ ପ୍ରକୃତ ଚାଷୀ ଉତ୍ପାଦିତ ଧାନ ସରକାରୀ ମଣ୍ଡିରେ ବିକ୍ରି କରି ନପାରି ଅଭାବୀ ବିକ୍ରିର ଶିକାର ହେବେ ବୋଲି ସେ ଅଭିଯୋଗ କରିଛନ୍ତି। ସାଟେଲାଇଟ୍ ଯାଞ୍ଚ ଓ ଜଳସେଚିତ ଜମିକୁ ପ୍ରାଧାନ୍ୟ ଦେବା ବ୍ୟବସ୍ଥା ଦ୍ୱାରା ବର୍ଷା ଉପରେ ନିର୍ଭରଶୀଳ ଚାଷୀମାନେ ମଧ୍ୟ କ୍ଷତିଗ୍ରସ୍ତ ହେବେ ବୋଲି ବିଜେଡି କହିଛି। ବିଗତ ଋତୁରେ ୫ ହଜାରରୁ ଊର୍ଦ୍ଧ୍ୱ ଚାଷୀ ପଞ୍ଜୀକରଣରୁ ବଞ୍ଚିତ ହୋଇଥିବା ଦଳ ଦାବି କରିଛି।
ପୂର୍ବବର୍ଷ ଭଳି ଜମି ମାଲିକଙ୍କ ସହମତିପତ୍ର ଆଧାରରେ ଭାଗଚାଷୀଙ୍କ ପଞ୍ଜୀକରଣ କରିବା, ବାୟୋମେଟ୍ରିକ୍ କଟକଣା କୋହଳ କରିବା ଏବଂ ଜମି ମାଲିକଙ୍କ ବାଧ୍ୟତାମୂଳକ ଉପସ୍ଥିତି ନିୟମରେ ସଂଶୋଧନ ଆଣିବାକୁ ବିଜେଡି ଦାବି କରିଛି। ଏହି ଦାବି ପୂରଣ ନହେଲେ ଚାଷୀଙ୍କ ସ୍ୱାର୍ଥରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଶ୍ରୀ ନନ୍ଦ ଚେତାବନୀ ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ