ବାରବାଟୀରେ ଜମିବ ଓଡ଼ିଶା ଟି-୨୦ ଲିଗ୍
କଟକ, (ଓ୍ବାଇଏନଏସ): ଟି-୨୦ କ୍ରିକେଟ୍ ଲିଗ୍ର ଲୋକପ୍ରିୟତା ବିଗତ କିଛି ଦିନ ହେବ ବହୁତ ବଢ଼ିଯାଇଛି। ବିସିସିଆଇ ପ୍ରତି ବର୍ଷ ଆୟୋଜନ କରୁଥିବା ଆଇପିଏଲ୍ ଆଜି ବିଶ୍ୱର ସବୁଠାରୁ ବଡ଼ ଟି-୨୦ ଲିଗ୍ ପାଲଟିଛି। ଅନ୍ୟପଟେ ଭାରତର ରାଜ୍ୟ କ୍ରିକେଟ୍ ଆସୋସିଏସନଗୁଡ଼ିକ ମଧ୍ୟ କ୍ରମାଗତ ଭାବେ ନିଜ ନିଜର ଲିଗ୍ ଆୟୋଜନ କରୁଛନ୍ତି। ଏଥିରେ ତାମିଲନାଡୁ ପ୍ରିମିୟର ଲିଗ୍, ୟୁପି ଲିଗ୍ ଏବଂ ଦିଲ୍ଲୀ ପ୍ରିମିୟର ଲିଗ୍ ଭଳି ଅନେକ ଟି-୨୦ ଲିଗ୍ ସାମିଲ ଅଛନ୍ତି। ବର୍ତ୍ତମାନ ଏହି କ୍ରମରେ ଓଡ଼ିଶା ଟି-୨୦ ଲିଗ୍ ମଧ୍ୟ ସାମିଲ ହୋଇଛି। ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ) ନିଜସ୍ୱ ଟି-୨୦ ଲିଗ୍ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛି। ଏହି ଲିଗ୍ର ସମସ୍ତ ମ୍ୟାଚ୍ କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯିବ। ଓଡ଼ିଶା ଟି-୨୦ ଲିଗ୍ ର ଶୁଭାରମ୍ଭ ସେପ୍ଟେମ୍ବର ୧୮ ତାରିଖରୁ ହେବ। ଏହି ଲିଗ୍ର ମୂଳ ଉଦ୍ଦେଶ୍ୟ ହେଉଛି ସ୍ଥାନୀୟ ଖେଳାଳିମାନଙ୍କୁ ଅଧିକ ସୁଯୋଗ ଦେବା। ଯାହାଦ୍ୱାରା ସେମାନେ ଏକ ବଡ଼ ମଞ୍ଚରେ ନିଜ ପ୍ରତିଭା ପ୍ରଦର୍ଶନ କରିପାରିବେ। ଏହି ଲିଗ୍ ଓଡ଼ିଶାର ଆଞ୍ଚଳିକ କ୍ରିକେଟ୍ ପରମ୍ପରାକୁ ମଧ୍ୟ ପ୍ରୋତ୍ସାହିତ କରିବ। ଏଥିରେ ଭାଗ ନେଉଥିବା ଦଳଗୁଡ଼ିକ କଟକ, ଭୁବନେଶ୍ୱର, କେନ୍ଦୁଝର ଓ ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳର ପ୍ରତିନିଧିତ୍ୱ କରିବେ। ଏହାଦ୍ୱାରା ଆଞ୍ଚଳିକ ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି ପାଇବ। ଯାହା ଖେଳାଳି ଏବଂ ଦର୍ଶକ ଉଭୟଙ୍କ ମନରେ ଅଧିକ ଉତ୍ସାହ ଭରିଦେବ। ଯୁବ ଖେଳାଳିମାନଙ୍କୁ ନିଜ କ୍ରୀଡ଼ା ପ୍ରତିଭା ଦେଖାଇବାର ଏକ ବୃହତ୍ ମଞ୍ଚ ମିଳିବା ସହ ସାରା ଦେଶର ଦର୍ଶକ ମଧ୍ୟ ଏହି ମ୍ୟାଚ୍ଗୁଡ଼ିକୁ ଉପବୋଗ କରିପାରିବେ। ଓଡ଼ିଶା କ୍ରିକେଟ୍ ଆସୋସିଏସନର ସମ୍ପାଦକ ସଞ୍ଜୟ ବେହେରା ଏହି ଟୁର୍ଣ୍ଣାମେଣ୍ଟକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ, ଏହି ଲିଗ୍ ଖେଳାଳିମାନଙ୍କ ବିକାଶରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଯୁବ ଖେଳାଳିମାନେ ରାଜ୍ୟର ଶ୍ରେଷ୍ଠ ପ୍ରତିଭାମାନଙ୍କ ବିପକ୍ଷରେ ଖେଳି ଅଭିଜ୍ଞତା ହାସଲ କରିବେ ଏବଂ ଆଗାମୀ ଦିନରେ ଉଚ୍ଚ ସ୍ତରୀୟ କ୍ରିକେଟ୍ ପାଇଁ ନିଜକୁ ପ୍ରସ୍ତୁତ କରିପାରିବେ। ଓସିଏ ଖେଳାଳିମାନଙ୍କୁ ଏକ ଉନ୍ନତ ମଞ୍ଚ ପ୍ରଦାନ କରିବା ଏବଂ ଦର୍ଶକମାନଙ୍କୁ ମନୋରଞ୍ଜନପୂର୍ଣ୍ଣ କ୍ରିକେଟ୍ ଯୋଗାଇଦେବା ପାଇଁ ପ୍ରତିବଦ୍ଧ। ପ୍ରତ୍ୟେକ ଦଳ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ଚେଷ୍ଟା କରିବେ ବୋଲି ସେ ଆଶା ବ୍ୟକ୍ତ କରିବା ସହ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଏବଂ ପ୍ରଶଂସକମାନେ ଉତ୍ସାହର ସହ ଏହି ଲିଗ୍କୁ ସମର୍ଥନ କରିବେ ବୋଲି ନିବେଦନ କରିଛନ୍ତି। ଏହି ସିଜନରେ ଅଭିଜ୍ଞ ଘରୋଇ ଖେଳାଳି ଏବଂ ପ୍ରତିଭାବାନ ଯୁବ ଖେଳାଳି ଉଭୟ ଏକାଠି ଖେଳିବେ। ଏହାଦ୍ୱାରା ଓଡ଼ିଶାର କ୍ରିକେଟ୍ ଭିତ୍ତିଭୂମି ଓ ବ୍ୟବସ୍ଥା ଅଧିକ ମଜବୁତ ହେବା ସହ ଖେଳାଳିମାନଙ୍କ ପାଇଁ ଆଗକୁ ବଢ଼ିବାର ନୂଆ ରାସ୍ତା ଖୋଲିଯିବ। ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ କେବଳ ରୋମାଞ୍ଚକର ମ୍ୟାଚ୍ର ପ୍ରତିଶ୍ରୁତି ଦେଉନାହିଁ, ବରଂ ରାଜ୍ୟ କ୍ରିକେଟ୍କୁ ଏକ ନୂଆ ଦିଗ ଓ ଶକ୍ତି ମଧ୍ୟ ପ୍ରଦାନ କରିବ। କ୍ରିକେଟ୍ ପ୍ରେମୀମାନେ ସେପ୍ଟେମ୍ବର ୧୮ ତାରିଖରୁ ଆରମ୍ଭ ହେବାକୁ ଥିବା ଏହି ଆୟୋଜନକୁ ଚାତକ ଭଳି ଅପେକ୍ଷା କରିଛନ୍ତି।


