ଜାତୀୟ କୃମିନାଶକ ଦିବସ

ଛତ୍ରପୁର,(ଓ୍ବାଇଏନଏସ):  ଛତ୍ରପୁର ବ୍ଲକ ଅନ୍ତର୍ଗତ ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଜାତୀୟ କୃମିନାଶକ ଦିବସ ପାଳନ ସହ ସାମୂହିକ କୃମିନାଶକ ଔଷଧ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଗଙ୍ଗାପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ସଚେତନତା ଓ ଔଷଧ ସେବନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧୀକ୍ଷକ ଡାକ୍ତର ସ୍ୱାଧୀନ ରଥ, ପିଏଚ୍‌ଇଓ ବରୁଣ କୁମାର ପାଣିଗ୍ରାହୀ, ଡାକ୍ତର ପୂର୍ଣ୍ଣଚନ୍ଦ୍ର ରାଓ, ଦିଲୀପ ନାହାକ, ବିପିଏମ୍ ଶଶାଙ୍କ ଶେଖର ପଣ୍ଡାଙ୍କ ସମେତ ସମସ୍ତ ସ୍ୱାସ୍ଥ୍ୟ ପରିଦର୍ଶକ ଓ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ। ଏହି ଅବସରରେ ଡାକ୍ତର ସ୍ୱାଧୀନ ରଥ ଛାତ୍ରଛାତ୍ରୀମାନଙ୍କୁ କୃମି ସଂକ୍ରମଣର କାରଣ, ଏହାର ପ୍ରତିରୋଧ ଏବଂ ନିୟମିତ କୃମିନାଶକ ଔଷଧ ସେବନର ଆବଶ୍ୟକତା ସମ୍ପର୍କରେ ସଚେତନ କରାଇଥିଲେ। କୃମିନାଶକ ଔଷଧ ସେବନକୁ ନେଇ ଛାତ୍ରଛାତ୍ରୀଙ୍କ ମନରେ ଥିବା ସନ୍ଦେହ ଦୂର କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ସମସ୍ତଙ୍କ ସମ୍ମୁଖରେ ନିଜେ ଔଷଧ ସେବନ କରି ଉଦାହରଣ ସୃଷ୍ଟି କରିଥିଲେ। ପରେ ପ୍ରାୟ ୨୦୦ ଜଣ ଛାତ୍ରଛାତ୍ରୀଙ୍କୁ କୃମିନାଶକ ଔଷଧ ଆଲ୍‌ବେଣ୍ଡାଜୋଲ୍ ସେବନ କରାଯାଇଥିଲା। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଔଷଧ ସେବନ ସମୟରେ ଆବଶ୍ୟକ ସଚେତନତା ଓ ନିରୀକ୍ଷଣ କରାଯାଇଥିଲା। ଏଥିସହ ଛତ୍ରପୁର ବ୍ଲକର ବିଭିନ୍ନ ବିଦ୍ୟାଳୟ ଓ ଅଙ୍ଗନୱାଡି କେନ୍ଦ୍ରରେ ମଧ୍ୟ ସାମୂହିକ କୃମିନାଶକ ଔଷଧ ସେବନ କାର୍ଯ୍ୟକ୍ରମ ଚାଲିଥିବା ଜଣାପଡ଼ିଛି। ଔଷଧ ସେବନ ପରେ ବର୍ତ୍ତମାନ ସୁଦ୍ଧା କୌଣସି ହିତାଧିକାରୀଙ୍କଠାରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଇନଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ