କୁକୁରକୁ ନେଇ ପ୍ରଶାସନ ନାକେଦମ ମହିଳାଙ୍କ ଅଭିଯୋଗ, ଜାଲ ପକାଇ କୁକୁର ଉଦ୍ଧାର
ହାଟଡିହି (ଓ୍ବାଇଏନଏସ): କୁକୁରକୁ ନେଇ ନାକେଦମ ହେଲା ପ୍ରଶାସନ। ଘର ସମ୍ମୁଖରେ ଏକ ବୁଲା କୁକୁର ଶୋଇଥିବା ଦେଖି ଜଣେ ମହିଳା ଭୟଭୀତ ହୋଇପଡ଼ିଲେ । ଏହି ଘଟଣା ଶେଷରେ ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ଯାଇଛି l ଘଟଣାଟି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ପଢ଼ିଆରିପଲ୍ଲୀ ଗ୍ରାମରେ ଘଟିଛି। ସୂଚନା ଅନୁଯାୟୀ, ମହିଳାଙ୍କ ଘର ସମ୍ମୁଖରେ ଏକ ବୁଲା କୁକୁର ଦୀର୍ଘ ସମୟ ଧରି ଶୋଇ ରହିଥିଲା। କୁକୁର ଟି ପାଗଳ ହୋଇଥିବା ମହିଳା ଜଣକ ଜାଣିବାକୁ ପାଇଥିଲେ। ମହିଳା ଜଣକ ପାଗଳ କୁକୁରକୁ ଦେଖି ନିଜକୁ ଅସୁରକ୍ଷିତ ମନେ କରିଥିଲେ । ଶେଷରେ ସେ କୁକୁରର ଫଟୋ ଉଠାଇଥିଲେ l କୁକୁର ଭୟରେ ଦୁଇ ଦିନ ଧରି ଘରୁ ବାହାରି ପାରୁନଥିବା ନେଇ ମହିଳା ଜଣକ ଜିଲ୍ଲାପାଳଙ୍କୁ ମେସେଜ କରିବା ସହ କୁକୁର ଫଟୋ ମଧ୍ୟ ପଠାଇ ଥିଲେ l ଘଟଣା ଜାଣିବା ପରେ ଜିଲ୍ଲାପାଳ ତୁରନ୍ତ ଆନନ୍ଦପୁର ଉପଜିଲ୍ଲାପାଳଙ୍କୁ ଅବଗତ କରିଥିଲେ। ଉପଜିଲ୍ଲାପାଳଙ୍କ ଠାରୁ ଖବର ପାଇ ସୋସୋ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ l କୁକୁରକୁ ସୁରକ୍ଷିତ ଭାବେ ଧରିବା ପାଇଁ ହାଟଡିହି ଅଗ୍ନିଶମ ବାହିନୀକୁ ଡକାଯାଇଥିଲା। ଅଗ୍ନିଶମ ବାହିନୀର କର୍ମଚାରୀମାନେ ଜାଲ ପକାଇ କୁକୁରଟିକୁ କାବୁ କରିବା ପରେ ତାକୁ ସେଠାରୁ ନେଇ ବାହାରେ ଛାଡ଼ିଥିଲେ। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଲାଗି ରହିଥିଲା। ସୋସୋ ଥାନାଧିକାରିଣୀ କାନନ ସାହୁ କହିଛନ୍ତି ଯେ ଉପଜିଲ୍ଲାପାଳଙ୍କ ଠାରୁ ଖବର ପାଇଁ ଘଟଣା ସ୍ଥଳରେ ପହଞ୍ଚି ଅଗ୍ନିଶମ ବାହିନୀ ସହାୟତାରେ କୁକୁରକୁ କାବୁ କରାଯାଇଥିଲା l


