ଧାନ ପଞ୍ଜୀକରଣ ନିୟମକୁ ନେଇ ଅସନ୍ତୋଷ: ଦାବି ପୂରଣ ନହେଲେ ଅନଶନ ଚେତାବନୀ
ଛତ୍ରପୁର, (ଓ୍ବାଇଏନଏସ): ଚାଷୀଙ୍କ ଧାନ ବିକ୍ରି ପାଇଁ ଚଳିତ ଖରିଫ ଋତୁରେ ଆଣିଥିବା ପଞ୍ଜୀକରଣ ନିୟମକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ହିଞ୍ଜିଳି ଥାନା ଅନ୍ତର୍ଗତ ଶିକିରି ଗ୍ରାମର ଆଇନଜୀବୀ ରଜନୀକାନ୍ତ ପାଢ଼ୀ। ଏହି ନିୟମ ଯୋଗୁଁ ଅନେକ ଚାଷୀ ଓ ଭାଗଚାଷୀ ଧାନ ବିକ୍ରି ପାଇଁ ପଞ୍ଜୀକରଣରୁ ବଞ୍ଚିତ ହେବାର ଆଶଙ୍କା ରହିଥିବା ସେ ଅଭିଯୋଗ କରିଛନ୍ତି। ଛତ୍ରପୁରଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପାଢ଼ୀ କହିଛନ୍ତି ଯେ, ବର୍ତ୍ତମାନର ପଞ୍ଜୀକରଣ ବ୍ୟବସ୍ଥା ଯୋଗୁଁ ପ୍ରାୟ ୯୦ ପ୍ରତିଶତ ଚାଷୀ ଓ ଭାଗଚାଷୀ ପଞ୍ଜୀକୃତ ହୋଇପାରିବେ ନାହିଁ। ଫଳରେ ମଣ୍ଡିକୁ ଧାନ ଆଗମନ କମିବା ସହ ଚାଷୀମାନେ ସରକାରୀ ଧାନ ବିକ୍ରି ବ୍ୟବସ୍ଥାରୁ ବଞ୍ଚିତ ହେବାର ଆଶଙ୍କା ରହିଛି। ଏହା ମାଧ୍ୟମରେ ସରକାରଙ୍କୁ ଏମଏସପି ଓ ବୋନସ ଦେବାରୁ ଏଡ଼ାଇବା ପାଇଁ ଏପରି ନିୟମ କରାଯାଇଥିବା ସେ ଅଭିଯୋଗ କରିଛନ୍ତି। ଚାଷୀଙ୍କ ହିତକୁ ଦୃଷ୍ଟିରେ ରଖି ପଞ୍ଜୀକରଣ ପ୍ରକ୍ରିୟାକୁ ସରଳ କରିବାକୁ ଶ୍ରୀ ପାଢ଼ୀ ଦାବି କରିଛନ୍ତି। ଯେଉଁ ବ୍ୟକ୍ତିଙ୍କ ପିତା କିମ୍ବା ମାତାଙ୍କ ନାମରେ ଜମି ରହିଛି, ସେମାନଙ୍କୁ ନିଜ ନାମରେ ଖଜଣା/ସିସ୍ତୁ ପ୍ରଦାନର ସୁବିଧା ଦେଇ ପଞ୍ଜୀକରଣ କରାଯାଉ। ସେହିପରି ଭାଗଚାଷୀଙ୍କ କ୍ଷେତ୍ରରେ ପଟ୍ଟାଧାରୀଙ୍କ ସିସ୍ତୁ ସହ ଚୁକ୍ତିନାମା ଆଧାରରେ ପଞ୍ଜୀକରଣ କରାଯାଉ ବୋଲି ସେ ଦାବି କରିଛନ୍ତି। ମନ୍ଦିର ଜମି ମାମଲାରେ ଗ୍ରାମ ସରପଞ୍ଚଙ୍କ ସ୍ୱାକ୍ଷର ସହ ରାଜସ୍ୱ ନିରୀକ୍ଷକଙ୍କ ତଦନ୍ତ ରିପୋର୍ଟ ଆଧାରରେ ପଞ୍ଜୀକରଣ ବ୍ୟବସ୍ଥା କରିବାକୁ ମଧ୍ୟ ସେ ଦାବି ରଖିଛନ୍ତି।
ଏହି ସମସ୍ତ ଦାବି ନେଇ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗଞ୍ଜାମ ଜିଲ୍ଲାପାଳଙ୍କ ଜରିଆରେ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି ଶ୍ରୀ ପାଢ଼ୀ। ସାମ୍ବାଦିକ ସମ୍ମିଳନୀରେ ସେ ହିଞ୍ଜିଳି ତହସିଲ କାର୍ଯ୍ୟାଳୟ ସମ୍ପର୍କରେ ମଧ୍ୟ ବିଭିନ୍ନ ଅଭିଯୋଗ ଉଠାଇଛନ୍ତି। ଗରିବ ଲୋକଙ୍କୁ ଜମି ଦେବାରେ ଅବହେଳା କରାଯାଉଥିବା ବେଳେ ଜଣେ ବ୍ୟକ୍ତିଙ୍କୁ ପ୍ରାୟ ୬ ହଜାର ସ୍କୋରଫୁଟ ଜମି ଦିଆଯାଇ ସେଠାରେ ଚାରିମହଲା କୋଠା ନିର୍ମାଣ ହୋଇଥିବା ସେ ଅଭିଯୋଗ କରିଛନ୍ତି। ଏପରିକି ହାଇକୋର୍ଟଙ୍କ ଆଦେଶକୁ ମଧ୍ୟ ତହସିଲ ପ୍ରଶାସନ ଅଣଦେଖା କରୁଥିବା ଅଭିଯୋଗ ହୋଇଛି। ତହସିଲ କାର୍ଯ୍ୟାଳୟର କିଛି କର୍ମଚାରୀଙ୍କ ବିରୋଧରେ ମଧ୍ୟ ଶ୍ରୀ ପାଢ଼ୀ ଗୁରୁତର ଅଭିଯୋଗ ଆଣିଛନ୍ତି। ମୋଟା ଅଙ୍କର ଟଙ୍କା ନେଇ ରାତି ପର୍ଯ୍ୟନ୍ତ କାର୍ଯ୍ୟାଳୟରେ ରହି ଜମି ପଟ୍ଟା ଓ ଅନ୍ୟାନ୍ୟ କାର୍ଯ୍ୟରେ ଅନିୟମିତତା କରାଯାଉଥିବା ସେ ଅଭିଯୋଗ କରିଛନ୍ତି। ସେହିପରି କବିସୂର୍ଯ୍ୟନଗର, ଶେରଗଡ଼ ଓ ହିଞ୍ଜିଳି ଅଞ୍ଚଳରେ ବେଆଇନ ଭାବେ ଇଟାଭାଟି ଚାଲିଥିବା ଓ ଏଥିଯୋଗୁଁ ପରିବେଶ ପ୍ରଦୂଷିତ ହେଉଥିବା ସେ ଅଭିଯୋଗ କରିଛନ୍ତି। ଏହା ବିରୋଧରେ ପ୍ରଶାସନ ପକ୍ଷରୁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯାଉନଥିବା ସେ କହିଛନ୍ତି। ଏଥିସହ ବିଭିନ୍ନ ଅଞ୍ଚଳରେ ବେଆଇନ ମଦ ବିକ୍ରି ଚାଲିଥିବା ନେଇ ମଧ୍ୟ ସେ ଅଭିଯୋଗ ଉଠାଇଛନ୍ତି। ଚାଷୀଙ୍କ ପଞ୍ଜୀକରଣ ବ୍ୟବସ୍ଥାକୁ ସରଳୀକରଣ କରିବା ସହ ଅନ୍ୟାନ୍ୟ ଦାବିଗୁଡ଼ିକ ଆସନ୍ତା ୨୦ ତାରିଖ ସୁଦ୍ଧା ସମାଧାନ ନକରାଗଲେ, ଆସନ୍ତା ୨୧ ତାରିଖରୁ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିବେ ବୋଲି ଶ୍ରୀ ପାଢ଼ୀ ଚେତାବନୀ ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ତ୍ରିନାଥ ପାଢ଼ୀ, ମନମୋହନ ପାଢ଼ୀ ଓ ସନ୍ତୋଷ କୁମାର ପ୍ରଧାନଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।


