ନାଉଗାଁ ବ୍ଳକ ଗାରୋଇରୁ ୧୭୦ବସ୍ତା ଚୋରା ସାର ଜବତ
ନାଉଗାଁ,(ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ଗାରୋଇରୁ ବୁଧବାର ୧୭୦ ବସ୍ତା ଚୋରା ସାର ଜବତ କରାଯାଇଛି। ବିଶେଷସୂତ୍ରରୁ ଖବର ପାଇ ରାଜସ୍ୱ, ପୋଲିସ ଓ କୃଷି ବିଭାଗ ପକ୍ଷରୁ ମିଳିତ ଚଢଉ କରାଯାଇଥିଲା। ଏହି ଚଢଉରେ ଭାରାପ୍ରାପ୍ତ ମୁଖ୍ୟ ଜିଲା କୃଷି ଅଧିକାରୀ ବିଭୁଦତ ସାହୁ, ତହସିଲଦାର ଅକ୍ଷୟ କୁମାର ବଡୁ, ବ୍ଳକ କୃଷି ଅଧିକାରୀ ଯୁଗସ୍ମିତା ପାତ୍ର, ମୃତିକା ରସାୟନ ଅଧିକାରୀ ସ୍ୱାଗତିକା ମିଶ୍ର, ନାଉାଗାଁ ଥାନାଧିକାରୀ ଦେବାଶିଷ ପଣ୍ଡା, ଅତିରିକ୍ତ ତହସିଲଦାର ଶରତ ପରିଡା, ସହକାରୀ କୃଷି ଅଧିକାରୀ ଅଗ୍ନି ପଣ୍ଡା, ସହକାରୀ କୃଷି ଅଧିକାରୀ ସ୍ୱରାଜ ବେହେରା, ସହକାରୀ କୃଷି ଅଧିକାରୀ ଅଙ୍କିତ ଦଳାଇ, ଗ୍ରାମ୍ୟ କୃଷି ଅଧିକାରୀ ବିଶ୍ୱଜିତ ପରିଡା ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଥମେ ଗାରୋଇ ଛକରେ ତାରକ ସାହୁଙ୍କ ଦୋକାନ ଓ ପରେ ତାରକଙ୍କ ଗ୍ରାମ ଗାରୋଇ(ଡାହାଣିଖିଆ)ରେ ଏକ ବ୍ୟକ୍ତିଗତ ଗୃହକୁ ତାଲା ଖୋଲାଯିବା ପରେ ଗଚ୍ଛିତ ଥିବା ଚୋରା ସାର ଜବତ କରାଯାଇଥିଲା। ଗାରୋଇ ଛକରୁ ୩୫ ବସ୍ତା ସାର ଜବତ କରାଯାଇଥିବା ବେଳେ ଗାରୋଇ(ଡାହାଣିଖିଆ)ଗ୍ରାମରୁ ୧୩୫ବସ୍ତା ସାର ଜବତ କରାଯାଇଛି। ଉଭୟ ସ୍ଥାନକୁ ମିଶାଇ ୧୭୦ ବସ୍ତା ସାର ଜବତ କରାଯାଇଛି। ଏଥିରେ ୧୧୩ ବସ୍ତା ୟୁରିଆ, ୩୮ବସ୍ତା ଡିଏପି, ୯ ବସ୍ତା ଗ୍ରୋମର,୧୦ ବସ୍ତା ୨୦.୨୦.୦.୧୩ ସାର ରହିଛି। ଗଚ୍ଛିତ ସାରରୁ ନମୁନା ସଂଗ୍ରହ କରାଯାଇଛି। ଏହି ସାରକୁ ଦୋକାନ କରିଥିବା ତାରକ ସାହୁ ଗଚ୍ଛିତ ରଖିଥିବା ପ୍ରାଥମିକ ତଦନ୍ତରୁ ଜଣାଯାଇଛି। ଯେଉଁ ଗୃହରେ ସାର ଗଚ୍ଛିତ ଥିଲା ସେହି ଘରଟି ଉକ୍ତ ଗ୍ରାମର ରଂଜିତ ସାହୁଙ୍କର ବୋଲି ଜଣାଯାଇଛି। ରଂଜିତ ସାହୁ ବାଙ୍ଗାଲୋରରେ ରହୁଥିବା ବେଳେ ଏବିଷୟରେ ତାଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ଜବତ ସାର ନିକଟସ୍ଥ ଡେରିକି ପ୍ରାଥମିକ କୃଷି ସମବାୟ ସମିତିରେ ଗଚ୍ଛିତ ରଖାଯିବା ପାଇଁ ପଠାଯାଇଛି। ଲାବ୍ରଟୋରୀକୁ ପରୀକ୍ଷା ପାଇଁ ପଠାଯାଇଥିବା ଜବତ ସାରର ଗୁଣବତା ଯଦି ଠିକ୍ ଥାଏ ତେବେ ତାହା ବିକ୍ରି କରାଯିବ। ଯଦି ମାନ ନିମ୍ନମାନର ଥାଏ ତେବେ ନିୟମ ଅନୁସାରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଭାରାପ୍ରାପ୍ତ ମୁଖ୍ୟ ଜିଲା କୃଷି ଅଧିକାରୀ ବିଭୁଦତ ସାହୁ ମତବ୍ୟକ୍ତ କରିଛନ୍ତି। ଏହି ସାର ପୁରୀ ଜିଲାରୁ ଆସିଥିବା ଚର୍ଚ୍ଚା ହେଉଛି। ଆବଶ୍ୟକୀୟ କାଗଜପତ୍ର ଯାଂଚ କରାଯାଉଥିବା ବେଳେ ତଦନ୍ତ ପରେ ସାର ଗଚ୍ଛିତ ରଖିଥିବା ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଭାରାପ୍ରାପ୍ତ ମୁଖ୍ୟ ଜିଲା କୃଷି ଅଧିକାରୀ ସାହୁ ପ୍ରକାଶ କରିଛନ୍ତି। ପ୍ରକାଶଯୋଗ୍ୟ ଯେ ବର୍ତମାନ ଚାଷ କାର୍ଯ୍ୟ ଚାଲି ଥିବା ବେଳେ ଚାଷୀଙ୍କ ଆବଶ୍ୟକୀୟ ମୁତାବକ ସାର ମିଳୁ ନାହିଁ। ଏହାର ସୁଯୋଗ ନେଇ ଚୋରା ବେପାରୀମାନେ ସକ୍ରିୟ ହୋଇଛନ୍ତି। ଯାହାଫଳରେ ଚାଷୀ ଚଢା ଦରରେ ସାର କ୍ରୟ କରୁଛନ୍ତି। ଏସଂକ୍ରାନ୍ତରେ ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ବାରମ୍ବାର ଜିଲାପାଳଙ୍କ ନିକଟରେ ଅଭିଯୋଗ କରାଯାଇଥିଲା। ଗତ ୧ ଅଗଷ୍ଟରେ ନାଉଗାଁ ବଜାରରୁ ଏକ ଗାଡିରେ ୬୦ବସ୍ତା ଚୋରା ସାର ଆସିଥିବା ବେଳେ ଜବତ କରାଯାଇଥିଲା। ତଦନ୍ତ ସମୟରେ ଉକ୍ତ ସାର ପୁରୀ ଜିଲାରୁ ଆସିଥିବା ଜଣାପଡିଥିଲା। ଏକ ସପ୍ତାହ ପରେ ପୁନର୍ବାର ଚୋରା ସାର ଜବତ କରାଯାଇଛି। ସରକାରଙ୍କ ନିୟମାନୁସାରେ ଜିଲା ବାହାରୁ ସାର ଆଣିବାକୁ ହେଲେ ଜିଲା ପ୍ରଶାସନର ଅନୁମତି ପତ୍ର ଆବଶ୍ୟକ। ଉକ୍ତ ସାର ଆସିଥିବା ବେଳେ ସଂପୃକ୍ତ ଜିଲାର ଜିଲା ପ୍ରଶାସନ ଅନୁମତି ପତ୍ର ପ୍ରଦାନ କରିଛନ୍ତି କି ନାହିଁ ତାହା ତଦନ୍ତ ସାପେକ୍ଷ।


