ଇଲେକ୍ଟୋରାଲ ଲିଟେରେସି କ୍ଲବ୍ ମତଦାତା କାର୍ଯ୍ୟକ୍ରମ
କଟକ, (ଓ୍ବାଇଏନଏସ): : ଯୁବପିଢ଼ି ମଧ୍ୟରେ ନିର୍ବାଚନୀ ସଚେତନତା ବୃଦ୍ଧି, ମତଦାନର ମହତ୍ତ୍ୱ ସମ୍ପର୍କରେ ଜଣାଇବା ନିମନ୍ତେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଇଲେକ୍ଟୋରାଲ ଲିଟେରେସି କ୍ଲବରେ ମତଦାତା ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଏହି କ୍ଲବ୍ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ନିର୍ବାଚନ ବ୍ୟବସ୍ଥା, ମତଦାତାଙ୍କ ଅଧିକାର ଓ କର୍ତ୍ତବ୍ୟ, ମତଦାନ ପ୍ରକ୍ରିୟା ଏବଂ ଗଣତନ୍ତ୍ରରେ ମତଦାନର ଭୂମିକା ସମ୍ପର୍କରେ ସଚେତନ କରାଯାଉଛି । ଏଥିସହ ଛାତ୍ରଛାତ୍ରୀଙ୍କ ମାଧ୍ୟମରେ ଯୋଗ୍ୟ ମତଦାତାଙ୍କୁ ମଧ୍ୟ ସଚେତନ କରାଯାଉଛି । ବିଶେଷକରି ଯେଉଁ ଛାତ୍ରଛାତ୍ରୀମାନେ ନିକଟ ଭବିଷ୍ୟତରେ ୧୮ ବର୍ଷ ବୟସରେ ପହଞ୍ଚି ମତଦାତା ହେବେ, ସେମାନଙ୍କୁ ନିର୍ବାଚନ ପ୍ରକ୍ରିୟା ସହ ଯୋଡ଼ିବା ଉପରେ ଗୁରୁତ୍ୱ ଦିଆଯାଉଛି । କ୍ଲବ୍ଗୁଡ଼ିକରେ କୁଇଜ୍, ବକ୍ତୃତା, ଚିତ୍ରାଙ୍କନ, ପୋଷ୍ଟର ପ୍ରସ୍ତୁତି, ଆଲୋଚନାଚକ୍ର, ଶପଥ ପାଠ ଆଦି ଆୟୋଜନ କରାଯାଇ ଛାତ୍ରଛାତ୍ରୀଙ୍କୁ ସକ୍ରିୟଭାବେ ଅଂଶଗ୍ରହଣ କରିବା ନିମନ୍ତେ ପ୍ରୋତ୍ସାହିତ କରାଯାଉଛି । ଯୁବପିଢ଼ି ନିର୍ବାଚନୀ ପ୍ରକ୍ରିୟାରେ ନିଜର ଭୂମିକା ବୁଝିବା ସହ ସଚେତନ, ସକ୍ରିୟ ଓ ଦାୟିତ୍ୱବାନ ମତଦାତା ଭାବେ ନିଜକୁ ପ୍ରସ୍ତୁତ କରେଇବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ।


