ଦକ୍ଷିଣ ମୁହାଁଣ ସମ୍ପୂର୍ଣ୍ଣ ବନ୍ଦ, ଉତ୍ତର ମୁହାଁଣରେ ଯାତାୟାତ

କାକଟପୁର /ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ): ଅସ୍ତରଙ୍ଗ ଉପକୂଳର ଜୀବନରେଖା ହେଉଛି ଦେବୀ ନଦୀ ମୁହାଁଣ। କିନ୍ତୁ ପ୍ରତିବର୍ଷ ବନ୍ୟା ଓ ବାଲି ପଡିବା ଯୋଗୁଁ ଏବେ ଏହି ମୁହାଁଣ ମୃତପ୍ରାୟ ହୋଇପଡିଛି। ଫଳରେ ହଜାର ହଜାରମସ୍ଚ୍ୟଜୀବି ପରିବାର ଆଜି ଜୀବିକା ହରାଇ ଦିଶାହୀନ ହୋଇପଡିଛନ୍ତି।ଦେବୀ ନଦୀର ଦକ୍ଷିଣ ପଟ ମୁହାଁଣ ଏବେ ସମ୍ପୂର୍ଣ୍ଣ ରୂପେ ବନ୍ଦ ହୋଇଯାଇଛି। ଉତ୍ତର ପଟ ମୁହାଁଣ ହିଁ ଏବେ ମସ୍ଚ୍ୟଜୀବିଙ୍କ ପାଇଁ ଏକମାତ୍ର ଭରସା। କିନ୍ତୁ ସେଠାରେ ମଧ୍ୟ ଅବସ୍ଥା ସଂକଟାପନ୍ନ। ଗତ ମଙ୍ଗଳବାର ଠାରୁ ୨୦ରୁ ୨୫ ଖଣ୍ଡ ବୋଟ ଓ ଟ୍ରଲର ମୁହାଁଣରେ ଆଙ୍କର କରି ରହିଥିଲେ। ବୁଧବାର ମଧ୍ୟାହ୍ନରେ ସେମାନେ ବହୁ କଷ୍ଟରେ ଉତ୍ତର ମୁହାଁଣ ଦେଇ ସମୁଦ୍ରକୁ ଯାଇଥିଲେ। ସାଇଁ ସାଇଁ ପବନ ଓ ଅଶାନ୍ତ ଲହଡି ମଧ୍ୟରେ ଜୀବନ ବାଜି ରଖି ମାଛ ଧରିବାକୁ ବାଧ୍ୟ ହେଉଛନ୍ତି ମସ୍ଚ୍ୟଜୀବି । ସ୍ଥାନୀୟ ଟ୍ରଲର ମାଲିକ ବିଜୟ ମହାନ୍ତି କହିଛନ୍ତି, ସବୁଠୁ ପ୍ରଥମେ ମୁହାଁଣ ମୁହଁ ଖୋଳା ହେବା ଦରକାର। ଏବେ ଟ୍ରଲର ଯାଇପାରୁନି। ଗତ ତିନି ବର୍ଷରେ ମୋର ଦୁଇଟି ଟ୍ରଲର ବୁଡିଲା। ଅନ୍ୟ ମାଲିକଙ୍କ ଟ୍ରଲର ମଧ୍ୟ ବାଲିରେ ଲାଗି ଭାଙ୍ଗିଲା। ସରକାର ଆମ କଥା ଶୁଣୁନାହାନ୍ତି। ଯଦି ଶୁଣିବେ ନାହିଁ ତେବେ ଆମେ ଆନ୍ଦୋଳନ କରିବୁ। ଅସ୍ତରଙ୍ଗ ବ୍ଲକ ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ୧୦ ହଜାରରୁ ଅଧିକ ମସ୍ଚ୍ୟଜୀବି ପରିବାର ଏଇ ମୁହାଁଣ ଉପରେ ନିର୍ଭର କରନ୍ତି। ମୁହାଁଣ ବନ୍ଦ ହେବା ଯୋଗୁଁ ଟ୍ରଲର, ଯନ୍ତ୍ରଚାଳିତ ଟାପା ଓ ଡଙ୍ଗା ଗୁଡିକ ସମୁଦ୍ରକୁ ଯାଇପାରୁନାହିଁ। ଯେଉଁମାନେ ଯାଉଛନ୍ତି ସେମାନେ ବାଲି ଓ ଘାସରେ ଲାଗି କ୍ଷତିଗ୍ରସ୍ତ ହେଉଛନ୍ତି। ଅନେକ ସମୁଦ୍ର ଭିତରେ ଲଙ୍ଗର ପକାଇ ଟ୍ରଲର ରଖୁଛନ୍ତି। ବଡ ଲହଡି ଆସିଲେ ସେଗୁଡିକ ଭାଙ୍ଗି ଯାଉଛି। ମସ୍ଚ୍ୟଜୀବି ଜୟନ୍ତ ନାୟକ ଦୁଃଖରେ କୁହନ୍ତି, ମୁହାଁଣ ପୋତି ହୋଇଯିବା ଯୋଗୁଁ ଆମେ ସମୁଦ୍ରକୁ ଯାଇପାରୁନୁ। ପେଟ ପାଇଁ ଏବେ ଅନେକ ଭାଇ ଦାଦନ ଯିବାକୁ ପଡୁଛି। ବାରମ୍ବାର ଦାବୀ କଲେ ମଧ୍ୟ ପ୍ରଶାସନ ଏ ଦିଗରେ କୌଣସି ପଦକ୍ଷେପ ନେଉନାହିଁ। ଅନ୍ୟପଟେ ଅସ୍ତରଙ୍ଗ ନୂଆଗଡ ଜେଠିର ପୁନରୁଦ୍ଧାର ପାଇଁ ସରକାର କୋଟି କୋଟି ଟଙ୍କାର ବଜେଟ୍ ପ୍ରସ୍ତୁତ କରିଛନ୍ତି। କିନ୍ତୁ ଅଧିକାରୀଙ୍କ ଖାମଖିଆଲ ମନୋଭାବ ଯୋଗୁଁ ଜେଠିର ପୁନରୁଦ୍ଧାର ସହ ମୁହାଁଣ ଖନନ କାର୍ଯ୍ୟ ଆରମ୍ଭ ହୋଇନାହିଁ।ଖାଲି ନେତା ଙ୍କ ବାକ୍ୟ ବାଣ। ଫଳରେ ଦେବୀ ନଦୀର ଗତିପଥ ବଦଳିଯାଉଛି। ନଦୀ ଭିତରକୁ ସମୁଦ୍ର ଜୁଆର ପଶୁଛି। ଜଳ ନିଷ୍କାସନ ପଥରେ ବାଲୁକା ସ୍ତୁପ ସୃଷ୍ଟି ହୋଇଛି। ଯାହା ଉପକୂଳ ଅଞ୍ଚଳ ପାଇଁ ବିପଦ ସୃଷ୍ଟି କରୁଛି। ରାଜ୍ୟ ପାରମ୍ପରିକ ମସ୍ଚ୍ୟଜୀବି ସଙ୍ଘ ତୁରନ୍ତ ମୁହାଁଣ ଖନନ କରିବାକୁ ଦାବୀ କରିଛନ୍ତି । ସଙ୍ଘ କହିଛି, “ମୁହାଁଣ ହେଉଛି ମସ୍ଚ୍ୟଜୀବି ଙ୍କ ଜୀବନରେଖା। ଏହା ବନ୍ଦ ହେଲେ ସମଗ୍ର ଉପକୂଳର ଅର୍ଥନୀତି ଧ୍ୱସ୍ତ ହୋଇଯିବ।” ପରିବେଶବିତ୍ ମାନଙ୍କ ମତରେ ନଦୀ ମୁହାଁଣ ପୋତି ହେବା କେବଳ ମସ୍ଚ୍ୟଜୀବି ଙ୍କ ସମସ୍ୟା ନୁହେଁ। ଏହା ଦ୍ୱାରା ନଦୀର ଜଳ ନିଷ୍କାସନ ବାଧାପ୍ରାପ୍ତ ହେବା ସହ ବନ୍ୟା ପରିସ୍ଥିତି ମଧ୍ୟ ସୃଷ୍ଟି ହେବ। ତେଣୁ ତୁରନ୍ତ ବୈଜ୍ଞାନିକ ଉପାୟରେ ମୁହାଁଣ ଖନନ କରିବା ଆବଶ୍ୟକ। ଦେବୀ ମୁହାଁଣ ପୋତି ହୋଇଯିବା ଯୋଗୁଁ ଆଜି ଅସ୍ତରଙ୍ଗ ଉପକୂଳର ହଜାର ହଜାର ପରିବାର ଅନ୍ଧକାର ଭବିଷ୍ୟତ ଆଡକୁ ଠେଲି ହୋଇଯାଇଛନ୍ତି। ସରକାର କେବେ ଶୁଣିବେ ଏହି ମସ୍ଚ୍ୟଜୀବିଙ୍କ ଆର୍ତନାଦ, ତାହା ଏବେ ବଡ ପ୍ରଶ୍ନ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ