କଟକବାସୀଙ୍କୁ ମିଳିବ ନୂଆ ଆମୋଦ କେନ୍ଦ୍ର, ୧୨ ଏକର ପୋଖରୀର ହେବ ନବକଳେବର
କଟକ, (ଓ୍ବାଇଏନଏସ): ବଦଳିବ କଟକର ଚିତ୍ର । ପୁନରୁଦ୍ଧାର ହେବ କଟକ ସହରର ସବୁଠାରୁ ବଡ଼ ପୋଖରୀ । କେବଳ ପୋଖରୀର ପୁନରୁଦ୍ଧାର ନୁହେଁ, ଏହାର ଚାରିପାଖକୁ ମଧ୍ୟ ଆକର୍ଷଣୀୟ କରାଯିବ । ଏଠାରେ ପାର୍କ, ଓପନ୍ ଜିମ୍, କଲ୍ୟାଣ ମଣ୍ଡପ, ଖାଓ ଗଳି ସହ ପର୍ଯ୍ୟାପ୍ତ ପାର୍କିଂ ବ୍ୟବସ୍ଥା କରାଯିବ । ଫଳରେ ଆଗାମୀ ଦିନରେ ଏହି ସ୍ଥାନ କଟକବାସୀଙ୍କ ପାଇଁ ଏକ ନୂଆ ଆମୋଦ ପ୍ରମୋଦର କେନ୍ଦ୍ର ପାଲଟିବାକୁ ଯାଉଛି । କଟକର ତୁଳସୀପୁର ଅଞ୍ଚଳରେ ଥିବା ପ୍ରାୟ ୧୨ ଏକର ପରିମିତ ଏହି ବୃହତ୍ ପୋଖରୀର ପୁନରୁଦ୍ଧାର କରାଯିବ । ପୋଖରୀ ଚାରିପାଖରେ ଥିବା ପ୍ରାୟ ୧୪ ଏକର ସରକାରୀ ଜାଗାର ମଧ୍ୟ ଉନ୍ନତୀକରଣ କରାଯିବ । ଏହି ଜାଗାରେ ନିର୍ମାଣ ହେବ ଓପନ୍ ଜିମ୍, ପାର୍କ, କଲ୍ୟାଣ ମଣ୍ଡପ ଓ ଖାଓ ଗଳି । ଏହା ସହ ଲୋକଙ୍କ ସୁବିଧା ପାଇଁ ପର୍ଯ୍ୟାପ୍ତ ପାର୍କିଂ ସ୍ଥାନ ମଧ୍ୟ ରହିବ । ସମ୍ପୂର୍ଣ୍ଣ ପ୍ରକଳ୍ପ ପାଇଁ ପ୍ରାୟ ୩୫ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି । ଏହା ମଧ୍ୟରୁ ପ୍ରାଥମିକ ପର୍ଯ୍ୟାୟରେ ୧୦ କୋଟି ଟଙ୍କା ମଞ୍ଜୁର ହୋଇସାରିଛି । ଏହି ଅର୍ଥରେ ବର୍ତ୍ତମାନ ପ୍ରାଥମିକ ନିର୍ମାଣ କାମ ଆରମ୍ଭ ହୋଇଛି । ଆସନ୍ତା ଦେଢ଼ ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ ପ୍ରକଳ୍ପ କାମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । କଟକ ସହରରେ ପରିମଳ, ଡ୍ରେନେଜ୍ ଭଳି ସମସ୍ୟାକୁ ନେଇ ଅନେକ ସମୟରେ ଚର୍ଚ୍ଚା ହୋଇଆସିଛି । ତେବେ ଗତ କିଛି ବର୍ଷରେ ନେତାଜୀ ବସ୍ ଟର୍ମିନାଲ, ବକ୍ସ ଡ୍ରେନ୍ ଓ ଫୁଡ୍ କୋର୍ଟ ଭଳି ଅନେକ ଉନ୍ନତିମୂଳକ ପ୍ରକଳ୍ପ ହୋଇଛି ।ଏବେ ତୁଳସୀପୁର ଭଳି ଜନଗହଳିପୂର୍ଣ୍ଣ ଅଞ୍ଚଳରେ ବଡ଼ ସରକାରୀ ଜମି ଚିହ୍ନଟ କରି ଏଭଳି ପ୍ରକଳ୍ପ ହାତକୁ ନିଆଯିବାକୁ କଟକବାସୀ ସ୍ୱାଗତ କରିଛନ୍ତି । ଏହା ଆଗାମୀ ଦିନରେ ସହରବାସୀଙ୍କ ପାଇଁ ଏକ ନୂଆ ବିନୋଦନ କେନ୍ଦ୍ର ହେବ ବୋଲି ମତ ପ୍ରକାଶ ପାଇଛି । ପୁରୁଣା ସହରରେ ଦିନକୁ ଦିନ ଜନବସତି ବଢ଼ୁଥିବା ବେଳେ ଏହାରି ଭିତରେ ଖାଲି ସରକାରୀ ଜମିକୁ ଚିହ୍ନଟ କରି ଲୋକଙ୍କ ପାଇଁ ବ୍ୟବହାର କରାଯିବା ନିଶ୍ଚିତ ଭାବେ କଟକବାସୀଙ୍କ ପାଇଁ ଏକ ବଡ଼ ଉପହାର ହେବ ।


