ରାତି ସାରା ଦୁଇ ଗାଁରେ ହାଇଭୋଲଟେଜ୍ ପ୍ରେମ ଡ୍ରାମା, ଦୌଡିଲା ପୋଲିସ

ହାଟଡିହି,(ଓ୍ବାଇଏନଏସ): ଗତ ମଙ୍ଗଳବାର ବିଳମ୍ବିତ ରାତିରେ କେନ୍ଦୁଝର ଜିଲା ନନ୍ଦିପଦା ପୋଲିସର ଫୋନ୍ ଗୋଟିଏ ପରେ ଗୋଟିଏ ବାଜିଲା। ଗୋଟିଏ ରାତିରେ ଦୁଇଟି ଗାଁରେ ପ୍ରେମ ଘଟଣାକୁ ନେଇ ପୋଲିସ ନାକେଦମ ହୋଇଛି l ପ୍ରଥମତଃ ଏକ ଗ୍ରାମରେ ଜଣେ ଯୁବକ ନିଜ ସମ୍ପର୍କୀୟ ଓ ପୋଲିସକୁ ଫୋନ୍ କରି କହିଲେ ମୁଁ ଜଣକୁ ପ୍ରେମ କରୁଛି l ତା ବିନା ମୁଁ ଜୀବନ ହାରି ଦେବି l ଖବର ପାଇ ପୋଲିସ ମଧ୍ୟରାତ୍ରିରେ ଯୁବକଙ୍କ ଗାଁକୁ ଦୌଡିଲା। ସେଠି ପହଞ୍ଚି ପୋଲିସର ହୋସ୍ ଉଡିଗଲା। ଯେଉଁ ଯୁବତୀଙ୍କୁ ଯୁବକ ପ୍ରେମ କରୁଥିଲେ, ସେ ଯୁବତୀ ନଥିଲେ ଜଣେ ନାବାଳିକା ଥିଲା l ଫଳରେ ପୋଲିସ ଘଣ୍ଟା ଘଣ୍ଟା ଧରି ଯୁବକକୁ ବୁଝାଇବା ପରେ ଯୁବକ ଶାନ୍ତ ହେଲେ ଓ ଯୁବକଙ୍କୁ ପରିବାର ଲୋକଙ୍କ ଜିମା ଦିଆଗଲା। ଦ୍ଵିତୀୟତଃ ସେହି ରାତିରେ ଆଉ ଏକ ଗାଁରୁ ପୋଲିସକୁ ଫୋନ କଲ୍ ଆସିଥିଲା l ସ୍ଥାନୀୟ ଲୋକେ ପରକୀୟା ପ୍ରୀତି ସନ୍ଦେହରେ ଜଣେ  ମହିଳା ଓ ଜଣେ ପୁରୁଷଙ୍କୁ ଘର ଭିତରେ ରଖି ବାହାରୁ ତାଲା ପକାଇ ଦେଇ ପୋଲିସକୁ ଡାକିଲେ। ପୋଲିସ ପହଞ୍ଚି ତାଲା ଖୋଲି ଦୁହିଁଙ୍କୁ ଉଦ୍ଧାର କଲା। ପଚରାଉଚରା ବେଳେ ଉଭୟ କହିଥିଲେ ଯେ ଆମ ମଧ୍ୟରେ କିଛି ନାହିଁ, ଆମକୁ ମିଛରେ ବଦନାମ କରାଯାଉଛି। ଆମର କାହା ପ୍ରତି କୌଣସି ଅଭିଯୋଗ ନାହିଁ। ପରେ ପୋଲିସ ଗ୍ରାମବାସୀଙ୍କୁ ବୁଝାଇବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ଅବଶ୍ୟ ନନ୍ଦିପଦା ପୋଲିସର ଧୈର୍ଯ୍ୟ ଯୋଗୁଁ ଦୁଇଟି ବଡ ଅଘଟଣ ଟଳିଲା l ନନ୍ଦିପଦା ଥାନାଧିକାରୀ ଧର୍ମେନ୍ଦ୍ର ଶାନ୍ତି କହିଛନ୍ତି ଯେ ଲୋକଙ୍କ ଧନ, ଜୀବନ ସୁରକ୍ଷା କରିବା ପୋଲିସର କର୍ତ୍ତବ୍ୟ ଅଟେ l ରାତି ସାରା ସମ୍ପୃକ୍ତ ଦୁଇ ଘଟଣାରେ ପୋଲିସ ହସ୍ତକ୍ଷେପ ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା ବୋଲି କହିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ