ସମଣା ନିକଟରେ କୁଳ ଲଂଘୁଛି ବୈତରଣୀ, ପରିଦର୍ଶନ କଲେ ବିଧାୟକ

ହାଟଡିହି, (ଓ୍ବାଇଏନଏସ): ହାଟଡିହି ବ୍ଲକ ସମଣା ନିକଟରେ ବୈତରଣୀ ନଦୀ କୁଳ ଲଂଘି ଗାଁ ଆଡକୁ ମାଡ଼ି ଆସୁଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟ ଓ ଆଶଙ୍କା ଦେଖାଦେଇଛି। ଚଳିତ ବର୍ଷ ବନ୍ୟା ପରେ ନଦୀରେ ପ୍ରବଳ ସ୍ରୋତ ଯୋଗୁଁ ସମଣା ନିକଟରେ ୧୦ ଫୁଟରୁ ଊର୍ଦ୍ଧ୍ୱ ଅତଡ଼ା ଖାଇ ନଦୀ ଗାଁ ଆଡକୁ ମାଡ଼ି ଆସିଛି। ଏଥିସହ ନଦୀକୂଳରେ ଥିବା ଶହ ଶହ ଗଛ ଉପୁଡ଼ି ନଦୀ ଗର୍ଭରେ ଭାସିଯାଇଛି। ଏପରି ସ୍ଥିତି ସମ୍ପର୍କରେ ଖବର ପାଇ ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ ଗୁରୁବାର ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ସେ ନଦୀକୂଳର ସ୍ଥିତି ଅନୁଧ୍ୟାନ କରିବା ସହ ଅଞ୍ଚଳବାସୀଙ୍କ ସହ ଆଲୋଚନା କରି ସମସ୍ୟା ସମ୍ପର୍କରେ ଜାଣିଥିଲେ। ଗ୍ରାମବାସୀଙ୍କ କହିବାନୁଯାୟୀ, ଚଳିତ ବର୍ଷ ପର୍ଯ୍ୟାୟକ୍ରମେ ଏକାଧିକ ବନ୍ୟା ଆସିବା ଯୋଗୁଁ ନଦୀକୂଳରେ ଭୟଙ୍କର କ୍ଷୟକ୍ଷତି ହୋଇଛି। ଆମ୍ବୋଠାରୁ ସମଣା ପର୍ଯ୍ୟନ୍ତ ନଦୀବନ୍ଧ ନଥିବାରୁ ବନ୍ୟାଜଳ ସିଧାସଳଖ ନଦୀକୂଳକୁ ଧକ୍କା ଦେଉଛି। ଫଳରେ ପ୍ରତିବର୍ଷ ଅତଡ଼ା ଖାଇ ଚାଷଜମି ଓ ଜନବସତି ଆଡକୁ ନଦୀ ମାଡ଼ି ଆସୁଥିବା ସେମାନେ ଅଭିଯୋଗ କରିଥିଲେ। ବୈତରଣୀର ଏଭଳି ଭୟଙ୍କର କୂଳକ୍ଷୟ ଯୋଗୁଁ ଆଗାମୀ ଦିନରେ ଗାଁ ପ୍ରତି ବିପଦ ସୃଷ୍ଟି ହେବାର ଆଶଙ୍କା ରହିଛି। ତେଣୁ ତୁରନ୍ତ ନଦୀବନ୍ଧ ନିର୍ମାଣ ସହ କୂଳ ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ଗ୍ରାମବାସୀ ବିଧାୟକଙ୍କ ନିକଟରେ ଦାବି ଜଣାଇଥିଲେ। ସମସ୍ୟାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ବିଧାୟକ ଶ୍ରୀ ସେଠୀ ତୁରନ୍ତ ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିବା ଜଣାପଡ଼ିଛି। ନଦୀକୂଳ ସୁରକ୍ଷା ଓ ଆବଶ୍ୟକ ପଦକ୍ଷେପ ନିଆଯିବା ନେଇ ଅଞ୍ଚଳବାସୀ ଆଶା ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ