ପୌରପରିଷଦ ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ
ଛତ୍ରପୁର, (ଓ୍ବାଇଏନଏସ): ଛତ୍ରପୁର ପୌରପରିଷଦ ପକ୍ଷରୁ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି। ପୌରପରିଷଦର ଉପାଧ୍ୟକ୍ଷ ତଥା ଭାରପ୍ରାପ୍ତ ଅଧ୍ୟକ୍ଷ ଜି. ପାପା ରାଓଙ୍କ ତତ୍ତ୍ୱାବଧାନରେ ଦିନତମାମ ବିଭିନ୍ନ କାର୍ଯ୍ୟକ୍ରମ ସହ ବହୁ ଉନ୍ନୟନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରାଯାଇଥିଲା। ପୂର୍ବାହ୍ନରେ ରାମଧୁନରୁ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ଏହାପରେ ଜାତୀୟ ପତାକା ଉତ୍ତୋଳନ, ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ ଏବଂ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ରୋଗୀମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା। ଏହି ଅବସରରେ ବ୍ରହ୍ମପୁର ସାଂସଦ ଡ. ପ୍ରଦୀପ କୁମାର ପାଣିଗ୍ରାହୀ ଓ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୌରପରିଷଦ ଠାରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଥିଲେ। ପରେ ଭାରପ୍ରାପ୍ତ ଅଧ୍ୟକ୍ଷ ଜି. ପାପାରାଓ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସଭାରେ ଉଭୟ ସାଂସଦ ଓ ବିଧାୟକ ଯୋଗଦେଇ ସ୍ୱାୟତ୍ତ ଶାସନ ଦିବସର ମହତ୍ତ୍ୱ ସମ୍ପର୍କରେ ଆଲୋକପାତ କରିବା ସହ ଛତ୍ରପୁର ପୌରପରିଷଦକୁ ଏକ ଆଦର୍ଶ ତଥା ଶ୍ରେଷ୍ଠ ପୌରପରିଷଦ ଭାବେ ଗଢ଼ି ତୋଳିବାକୁ ଆହ୍ୱାନ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଓଏସ୍ପି ଅଷ୍ଟମ ବାଟାଲିୟନର କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ତହସିଲଦାର ଦିବ୍ୟା ମହାନ୍ତି ଓ ଛତ୍ରପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ପ୍ରମୁଖ ଯୋଗଦେଇଥିଲେ। ଛତ୍ରପୁର ପୌରପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାଶ କାର୍ଯ୍ୟକ୍ରମର ପରିଚାଳନାରେ ସହଯୋଗ କରିଥିଲେ। ଏଥିରେ ପୌରପରିଷଦର କାଉନସିଲର ବୃନ୍ଦ , କର୍ମଚାରୀଙ୍କ ସମେତ ବହୁ ଜନସାଧାରଣ ମାନେ ଉପସ୍ଥିତ ଥିଲେ। ଏହି ଅବସରରେ ଛତ୍ରପୁର ସହରର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ସ୍ୱେଚ୍ଛାସେବୀ, ଶିକ୍ଷାବିତ ଓ ସାମ୍ବାଦିକମାନଙ୍କୁ ପୌରପରିଷଦ ପକ୍ଷରୁ ଅତିଥିମାନଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା। ଶେଷରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଦିବସର ସମାପନ ହୋଇଥିଲା।


