ରାୟଗଡ଼ା ପରିବହନ ଅଧିକାରୀଙ୍କ ନିରବତା ଯୋଗୁଁ ନିୟମର ଖୋଲା ଉଲଂଘନ କରୁଛନ୍ତି ଗାଡ଼ି ସୋରୁମ
ରାୟଗଡା (ଯୋଗେଶ୍ଵର ଦାସ): ରାୟଗଡ଼ା ଜିଲ୍ଲା ଏକ ଗରିବ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା । ଏଠାକାର ଲୋକ ଅଧିକାଂଶ ଅତ୍ୟନ୍ତ ଗରିବ ଶ୍ରେଣୀର ବସବାସ କରନ୍ତି । ତଥାପି କିଛି ଲୋକ ନିଜର ଆବଶ୍ୟକ ମେଣ୍ଟାଇବା ପାଇଁ ବହୁ କଷ୍ଟେ ମଷ୍ଟେ କାର ଖଣ୍ଡିଏ କିଣି ହନ୍ତସନ୍ତ ହେଉଥିବା ଅନେକ ଉଦାହରଣ ରହିଛି । ଏଠାରେ କିଛି ବର୍ଷ ହେବ ଗୋଟିଏ ପରେ ଗୋଟିଏ କରି ମାଳ ମାଳ କାର ସୋରୁମ ଖୋଲୁଥିବା ବେଳେ ତାହା ବିକ୍ରୟ ପାଇଁ ସୋରୁମ ନା ସର୍ଭିସ ସେଣ୍ଟର ତାହା ଠିକ ଭାବେ ଜାଣିବା ଗ୍ରାହକଙ୍କ ପାଇଁ କଷ୍ଟ କର ହୋଇ ପଡିଛି । କାରଣ ଉକ୍ତ ସ୍ଥାନରେ ବିକ୍ରି ସହ ସର୍ଭିସିଂ ମଧ୍ୟ କରାଯାଉଛି । କିନ୍ତୁ ଅନେକ ସମୟରେ କାରର ଛୋଟିଆ ଛୋଟିଆ ସମସ୍ୟା ହେଲେ ଗ୍ରାହକଙ୍କୁ ଜୟପୁର କିମ୍ବା ବ୍ରହ୍ମପୁର, ବିଶାଖାପାଟଣା, ଭୁବନେଶ୍ୱର ଅଧିକ ଖର୍ଚ୍ଚାନ୍ତ ହୋଇ ଯିବାକୁ ପଡୁଛି। ଉଦାହରଣ ସ୍ୱରୂପ ରାୟଗଡ ଚାନ୍ଦିଲି ଥାନା ଅନ୍ତର୍ଗତ କତାପେଟା ୩୨୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ଵରେ ଟାଟା ମୋଟର ,ଲଙ୍କେଶ୍ୱରୀ ଲେଖା ରହିଥିବା ଏକ ବ୍ୟବସାୟିକ ସ୍ଥଳ ରହିଛି। ସେଠାରେ ଅନେକ ସମୟରେ ଟାଟା କାର ରଖାଯାଇ ବିକ୍ରି କରାଯିବା ସହ ମାସିକ ଥରେ ସର୍ଭିସ ଦିଆଯାଉଛି । ଅନ୍ୟ ସମୟରେ ଗାଡ଼ିର ଛୋଟିଆ ସମସ୍ୟା ହେଲେ ଗ୍ରାହକଙ୍କୁ ଅଧିକ ଖର୍ଚ୍ଚାନ୍ତ ହୋଇ ଜୟପୁର ଯିବାକୁ ନିର୍ଦ୍ଦେଶ ଦିଆଯାଉଛି । ଗ୍ରାହକ ଜୟପୁର ନିଜ କାର ନେଇ ଯିବା ହେଉ କିମ୍ବା କତାପେଟା କର୍ମଚାରୀଙ୍କ ସହାୟତାରେ ଜୟପୁର ପଠେଇଲେ ବି ଗାଡି ତୁରନ୍ତ ମରାମତି ହେବା ପ୍ରଶ୍ନ ଉଠୁନାହିଁ। କାରଣ ଗାଡିର ପ୍ରକୃତ ସମସ୍ୟା ଧରିବାରେ ବିଳମ୍ବ ଘଟାଇ କେବଳ ଚେଷ୍ଠାରେ ଦିନ ପରେ ଦିନ ଏକ୍ସପେରିମେଂଟ କରି ସମୟ ଅତିବାହିତ କରୁଥିବା ଭଳି ଅଭିଯୋଗ ରହିଥିବା ବେଳେ କିଛି ଦିନ ପୂର୍ବରୁ ଜଣେ ଗ୍ରାହକ ରାୟଗଡ କତାପେଟା କର୍ମଚାରୀଙ୍କ ଅବଗତରେ ଗାଡିରେ ଅଳ୍ପ ଟଙ୍କା ରଖି ଜୟପୁର ସର୍ଭିସିଂ ପାଇଁ ଦେଇଥିଲେ। ଜୟପୁର ସର୍ଭିସିଂରୁ ଗାଡି ଫେରିପାଇବା ବେଳେ ଗ୍ରାହକଙ୍କ ଟଙ୍କା ନଥିବା ଜାଣି ଗାଡି ହସ୍ତାନ୍ତର କରିଥିବା କର୍ମଚାରୀଙ୍କୁ ପଚାରିବାରୁ ସେ ଆଉ କିଛି ଉତ୍ତର ଦେଇପାରିଲେ ନାହିଁ। ଯାହାକି ସେଠାରେ ଚୋରି ଭଳି ସଙ୍ଗିନ ଅଭିଯୋଗ ମଧ୍ୟ ଆସୁଛି। କେବଳ ସେତିକି ନୁହେଁ ରାୟଗଡ଼ରେ କାର କ୍ରୟ କିମ୍ବା ସର୍ଭିସିଂ କେନ୍ଦ୍ର କରିଥିଲେ ବି ରାୟଗଡ ଠିକଣା ରେ ବିଲ ପ୍ରଦାନ ନ କରି ଜୟପୁର ଠିକଣାରେ ବିଲ ଗ୍ରାହକଙ୍କୁ ପ୍ରଦାନ କରାଯାଉଛି ଯଦ୍ଦ୍ୱାରାକି ଏହି ସଂସ୍ଥା ସରକାରୀ ନିୟମ ଅନୁଯାୟୀ ଖୋଲା ଯାଇଛି ନା ନାହିଁ ଗ୍ରାହକଙ୍କ ମନରେ ସନ୍ଦେହ ସୃଷ୍ଟି ହେଉଛି। ଅପର ପକ୍ଷେ ଏଭଳି ସ୍ଥିତିରେ ଟାଟା ମୋଟର , ଲଙ୍କେଶ୍ୱରୀ ବିକ୍ରୟକେନ୍ଦ୍ର କିମ୍ବା ସର୍ଭିସିଂ କେନ୍ଦ୍ର ହୋଇଥିଲେ ବି ସରକାରଙ୍କ ନିୟମ ଅନୁଯାୟୀ ବ୍ୟବସାୟିକ ସ୍ଥଳ ନିମନ୍ତେ ଆବଶ୍ୟକୀୟ ସ୍ଥାନର ସୀମା, ପ୍ରମାଣ ପତ୍ର, ନିଜସ୍ୱ କୋଠା କିମ୍ବା ଭଡାସୁତ୍ର ଅବଧି ସୀମା, ଗାଡି ରହିବା ସ୍ଥାନ ସୀମା, ଗୋଦାମ ଗୃହ ସୀମା, ରିସେପସନ ସୀମା, ସର୍ଭିସିଂ ଗୃହ ସୀମା, ଗାଡି ପାର୍କିଂଗ ସୀମା, ବ୍ୟବସାୟ ଭିତ୍ତିକ ବିଦ୍ୟୁତ ସଂଯୋଗ(୩ ଫେଜ), କେତେ କର୍ମଚାରୀ କାର୍ଯ୍ୟରତ, ପରିବେଶ ପ୍ରଦୂଷଣ ବିଭାଗ ପ୍ରମାଣ ପତ୍ର, ଅଗ୍ନିନିର୍ବାପକ ପ୍ରମାଣ ପତ୍ର, ପଂଚାୟତ କାର୍ଯ୍ୟଳୟ ଅନୁମତି, ଏଭଳି ଅନେକ ନିୟମର ଖୋଲା ଉଲଂଘନ କରି ବେନିୟମରେ ଗ୍ରାହକଙ୍କୁ ଠକୁଥିବା ଅନୁମାନ ହେଉଛି । କାରଣ ଗୋଟିଏ କୋଠାର ଖୋଲା ସ୍ଥାନରେ ନୂଆ ବିକ୍ରୟ ନିମନ୍ତେ କାର ରଖିବା,ଗ୍ରାହକଙ୍କ ଅପେକ୍ଷା ଚେୟାର ଟେବୁଲ,କର୍ମଚାରୀଙ୍କ କାର୍ଯ୍ୟାଳୟ,ମାସିକ ଥରେ ସର୍ଭିସିଂ ଭଳି ସମସ୍ତ କାର୍ଯ୍ୟ ଗୋଟିଏ ସ୍ଥାନରେ ହିଁ କରାଯାଉଛି। ଏପରି ଯାନବାହାନ ବିକ୍ରୟ କିମ୍ବା ସର୍ଭିସିଂ ସେଣ୍ଟର ପରିବହନ ବିଭାଗ ଅଧୀନରେ ଆସୁଛି। ଯାହାକି ଏଭଳି ବ୍ୟବସାୟ ଆରମ୍ଭ ସମୟରେ ପରିବହନ ବିଭାଗ ଅଧିକାରୀ,ଅଗ୍ନିବିଭାଗ ଅଧିକାରୀ,ବିଦ୍ୟୁତ ବିଭାଗ ଅଧିକାରୀଙ୍କ ସମେତ ବ୍ୟବସାୟ ସହ ସମ୍ପର୍କିତ ଅଧିକାରୀ ବ୍ୟକ୍ତିଗତ ଭାବେ ଗ୍ରସ୍ତ କରି ଅନୁମତି ପ୍ରଦାନ କରିବା ନିୟମ ରହିଛି। ସମସ୍ତ ଅବ୍ୟବସ୍ଥାକୁ ଅନୁଧ୍ୟାନ କଲେ ବେନିୟମରେ ଵ୍ୟଵସାୟ ଚାଲିଥିବା ସନ୍ଦେହକୁ ଦ୍ବିଗୁଣିତ କରିଛି। ଏଭଳି ବେନିୟମ ବ୍ୟବସ୍ଥାକୁ ନେଇ ସନ୍ଦେହ ହେବାରୁ ଜଣେ ଗ୍ରାହକ ଆଞ୍ଚଳିକ ପରିବହନ ବିଭାଗରେ ସୂଚନା ଆଇନ ଅଧିକାର ବଳରେ ସୂଚନା ମାଗିବାରୁ ଆଞ୍ଚଳିକ ପରିବହନ ଅଧିକାରୀ ସୂଚନା ପ୍ରଦାନ ନକରି ଲଙ୍କେଶ୍ୱରୀ ମୋଟର୍ସ କର୍ମକର୍ତ୍ତାଙ୍କୁ ଡାକି ସେ କହିବା ପ୍ରକାରେ ଏହି ସୂଚନା ସବୁ ବ୍ୟକ୍ତିଗତ ବୋଲି ଲେଖିଦେଲେ ଯାହାକି ଉକ୍ତ କେନ୍ଦ୍ରଟି ବେନିୟମରେ ଚାଲିଥିବା ସ୍ପଷ୍ଟ ବାରି ହେଉଛି । ଜିଲ୍ଲା ପ୍ରଶାସନ ଏଥିପ୍ରତି ଗୁରୁତ୍ୱ ଦେଇ ତଦନ୍ତକରି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି ।


