ଜମିରେ ପାଣି ନଛାଡିବା କୁ କେନ୍ଦ୍ରକରି ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗିରଫ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର) : ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମର ରାଜେନ୍ଦ୍ର ସେଠୀ ଙ୍କୁ ତାଙ୍କ ଗ୍ରାମର ବାଟୁଳା ସେଠୀ ଓରଫ ଶଙ୍କର ସେଠୀ(୨୧) ଖଣ୍ଡା ରେ ଆକ୍ରମଣ କରି ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଦିଗପହଣ୍ଡି ପୋଲିସ ଶନିବାର ଅଭିଯୁକ୍ତ ବାଟୁଳା ଙ୍କୁ ଗିରଫ କରି ସନ୍ଧ୍ୟାରେ କୋର୍ଟ ଚାଲାଣ କରିଛନ୍ତି।ଥାନା ମାମଲା ନଂ.୩୭୮/୨୬ ବିଏନଏସ ର ଦଫା – ୩୨୯(୪)/୨୯୬/୧୦୯/୩୫୧(୨) ଏବଂ ଆର୍ମସ ଆକ୍ଟ ର ଧାରା -୨୫(୧)(ଏ)/୨୭(୧)  ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି। ରାଜେନ୍ଦ୍ର ତାଙ୍କ ଧାନ ଚାଷ ଜମିରୁ ରମେଶ ସେଠୀ ଙ୍କ ଜମିକୁ ଶୁକ୍ରବାର ପୂର୍ବାହ୍ନ ପ୍ରାୟ ୧୧ ଟାରେ ପାଣି ଛାଡ଼ି ନଥିଲେ। ଏନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ରମେଶ ଜମିରୁ ଫେରିବା ପରେ ରାତି ପ୍ରାୟ ସାଢେ ୯ ଟାରେ ତାଙ୍କ ପୁଅ ବାଟୁଳା ଙ୍କୁ ଘଟଣା ସବୁ କହିଥିଲେ। ବାଟୁଳା ଉତ୍ତେଜିତ ହୋଇ ଘରୁ ଏକ ଖଣ୍ଡା ନେଇ ରାଜେନ୍ଦ୍ର ଙ୍କ ଘର ପାଖକୁ ଯାଇ ତାଙ୍କୁ ଖୋଜି ଥିଲେ। ଗାଁ ର ବଡ଼ମଠ ରେ ରାଜେନ୍ଦ୍ର ବସି  ଜନ୍ମାଷ୍ଟମୀ ପ୍ରସାଦ ଖାଉଥିବା ବେଳେ ବାଟୁଳା ସେଠାରେ ପହଞ୍ଚି  ରାଜେନ୍ଦ୍ର ଙ୍କୁ ଗାଳି କରିବା ସହ ତାଙ୍କ ମୁଣ୍ଡକୁ ଲକ୍ଷ୍ୟକରି ଖଣ୍ଡା ରେ ଚୋଟ ପକାଇବା ବେଳେ ସେ କିଛି ଦୂର ଘୁଞ୍ଚି ଯିବାରୁ ବାଟୁଳା ଖଣ୍ଡା ସହ ସେଠାରେ ପଡ଼ିଯାଇଥିଲେ। ଲୋକେ ଛଡା ଛଡ଼ି କରିବା ପରେ ରାଜେନ୍ଦ୍ର ସେଠାରୁ ପଳାଇଥିଲେ। କିଛି ସମୟ ପରେ ବାଟୁଳା ପୁଣି ରାଜେନ୍ଦ୍ର ଙ୍କ ଘର ପାଖକୁ ଯାଇ ତାଙ୍କୁ ଏବଂ ପରିବାର ଲୋକଙ୍କୁ ଆପତ୍ତିଜନକ ଭାଷା ରେ ଗାଳି କରି ତାଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ।ଶନିବାର ସକାଳେ ରାଜେନ୍ଦ୍ର ଦିଗପହଣ୍ଡି ଥାନାରେ ପହଞ୍ଚି ଏତଲା ଦେବାପରେ ଆଇଆଇସି କିଶୋର କୁମାର ସାମଲ ଅଭିଯୁକ୍ତଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଥିଲେ।ତଦନ୍ତକାରୀ ଅଧିକାରୀ ଏଏସଆଇ ଝୁନୁ ମାଝୀ ଶନିବାର ଅପରାହ୍ନ ପ୍ରାୟ ୧ ଟାରେ ଅଭିଯୁକ୍ତଙ୍କୁ ଗିରଫ କରି ତାଙ୍କ ନିକଟରୁ ଖଣ୍ଡା ଜବତ କରିବା ସହ ତାଙ୍କୁ କୋର୍ଟ ଚାଲାଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ