ପ୍ରଧାନଶିକ୍ଷୟିତ୍ରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା
ଆସିକା (ୱାଇଏନ୍ଏସ୍): ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧିନସ୍ଥ ସଦର କ୍ଳଷ୍ଟରର ଖମ୍ବେଶ୍ୱରୀପାଟଣା ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟର ଆଦର୍ଶ ଛାତ୍ରବତ୍ସଳା ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ସନ୍ତୋଷ କୁମାରୀ ଶତପଥୀ ନିଜ ନିଜ କର୍ମମୟ ଜୀବନରୁ ଅବସରଗ୍ରହଣ କରିସାରିଥିବା ବେଳେ ଏହି ଅବସରରେ ଶନିବାର ଶିକ୍ଷାନୁଷ୍ଠାନ ପରିସରରେ ଏକ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଟିତ ହୋଇଯାଇଛି। ଖମ୍ବେଶ୍ୱରୀପାଟଣା ସରକାରୀ ପ୍ରାଥମିକ ବିଦ୍ୟାଳୟର ପରିଚାଳନା କମିଟିର ସଭାନେତ୍ରୀ ଏସ୍.ସ୍ୱପ୍ନରାଣୀ ଆଚାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶିଶିରକାନ୍ତ ବେହେରା, ଶିକ୍ଷାନୁଷ୍ଠାନର ପ୍ରଧାନଶିକ୍ଷକ ଶିବଶଙ୍କର ଜେନା ଓ ସହକାରୀ ଶିକ୍ଷକ ବିଜୟ କୁମାର ନାହାକ, ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟା ଏସ୍.ରୋଜା ଆଚାରୀ, ପାଚିକା ଜୟନ୍ତୀ ଶତପଥୀ ଏବଂ ପୂର୍ବତନ ପାଚିକା ମାଧୁରୀ ମହାରଣା ପ୍ରମୁଖ ଯୋଗଦେଇ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ଲାଗି ଛାତ୍ରବତ୍ସଳା ଅବସରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ସନ୍ତୋଷ କୁମାରୀ ଶତପଥୀଙ୍କ ବହୁମୁଖୀ ପ୍ରତିଭା ଉପରେ ସ୍ମୃତିଚାରଣ କରିବା ସହ ଅବସର ପରବର୍ତ୍ତୀ ଜୀବନ ତାଙ୍କର ସୁସ୍ଥ ଓ ନିରାମୟ ଜୀବନ କାମନା କରିଥିଲେ। ଏହି ଅବସରରେ ଅବସରପ୍ରାପ୍ତ ବିଦାୟୀ ପ୍ରଧାନଶିକ୍ଷୟିତ୍ରୀ ସନ୍ତୋଷ କୁମାରୀ ଶତପଥୀଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିବା ଦେଖିବାକୁ ମିଳିଥିଲା। ଏହି କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ବହୁ ବିଦ୍ୟାର୍ଥୀ ଯୋଗଦେଇଥିବା ଲକ୍ଷ୍ୟ କରାଯାଇଥିଲା। ଅବସରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ସନ୍ତୋଷ କୁମାରୀ ଶତପଥୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀଙ୍କ ସମେତ ଅଞ୍ଚଳବାସୀଙ୍କ ସହଯୋଗ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ ବୋଲି ଭାବବିହ୍ୱଳ ହୋଇ ପ୍ରକାଶ କରିଥିବା ଦେଖିବାକୁ ମିଳିଥିଲା। ଖମ୍ବେଶ୍ୱରୀପାଟଣା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଗତ ୨୦୧୧ ମସିହା ଜୁନ୍ ମାସରୁ କର୍ମମୟ ଜୀବନ ଆରମ୍ଭ କରି ଦୀର୍ଘ ୧୫ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ନିରବିଚ୍ଛିନ ଭାବେ ନିଷ୍ଠାର ସହ ଅଧ୍ୟାପନା କରି ଶହ ଶହ ମେଧାବୀ ଛାତ୍ରଙ୍କୁ ସୃଷ୍ଟି କରିବାରେ ଏକ ପ୍ରମୁଖ ଭୁମିକା ଗ୍ରହଣ କରି ନିଜ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ଆଦର୍ଶ ଛାତ୍ରବତ୍ସଳା ପ୍ରଧାନଶିକ୍ଷୟିତ୍ରୀ ସନ୍ତୋଷ କୁମାରୀ ଶତପଥୀଙ୍କୁ ଏକ ଭାବବିହ୍ୱଳ ପରିବେଶ ମଧ୍ୟରେ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିବା ଦେଖିବାକୁ ମିଳିଥିଲା ।


