୨୦ ଏକରରୁ ଊର୍ଦ୍ଧ୍ୱ ଗୋଚର ଜମି ଜବରଦଖଲ: ବାରମ୍ବାର ଅଭିଯୋଗ ପରେ ବି ହେଉନି ଉଚ୍ଛେଦ

ହାଟଡିହି, (ଓ୍ବାଇଏନଏସ): ହାଟଡିହି ବ୍ଲକ ସମଣା ପଞ୍ଚାୟତ ଅଧୀନ କୁଆଡ଼ ଗ୍ରାମରେ ୨୦ ଏକରରୁ ଊର୍ଦ୍ଧ୍ୱ ଗୋଚର ଜମି ଜବରଦଖଲ ହୋଇଥିବା ଅଭିଯୋଗ ହୋଇଛି। କେତେକ ବ୍ୟକ୍ତି ଏହି ଗୋଚର ଜମିରେ ଚାଷବାସ କରି ଲାଭବାନ ହେଉଥିବା ବେଳେ ଆଉ କେତେକ ବ୍ୟକ୍ତି ଘରଦ୍ୱାର ନିର୍ମାଣ କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଜବରଦଖଲ ଯୋଗୁଁ ଗୋରୁଗାଈ ଚରିବା ପାଇଁ ସ୍ଥାନ ଅଭାବ ଦେଖାଦେଇଥିବା ବେଳେ ଶବ ସତ୍କାର ପାଇଁ ମଧ୍ୟ ସମସ୍ୟା ଉପୁଜିଥିବା ସେମାନେ କହିଛନ୍ତି। ଗ୍ରାମବାସୀଙ୍କ କହିବାନୁଯାୟୀ, ଗତ ପ୍ରାୟ ଦେଢ଼ ବର୍ଷ ଧରି ସେମାନେ ଏକଜୁଟ ହୋଇ ଗ୍ରାମର ସରକାରୀ ଜମିରୁ ଜବରଦଖଲ ହଟାଇବା ପାଇଁ ପ୍ରଶାସନ ନିକଟରେ ଲିଖିତ ଭାବେ ବାରମ୍ବାର ଅଭିଯୋଗ କରିଆସୁଛନ୍ତି। ଅଭିଯୋଗ ପରେ ତହସିଲ ପକ୍ଷରୁ ଜମିର ମାପଚୁପ କରାଯାଇ ଚିହ୍ନଟ ମଧ୍ୟ କରାଯାଇଛି। ହେଲେ ଚିହ୍ନଟ ପରେ ମଧ୍ୟ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ନହେବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, କୁଆଡ଼ ଗ୍ରାମର ପ୍ଲଟ୍‌ ନମ୍ବର ୧୮୭୧, ୧୫୪୭, ୧୫୪୯ ଓ ୧୭୬୭ରେ ପ୍ରାୟ ୨୦ ଏକର ଜମି ଗୋଚର, ଶ୍ମଶାନ ଆଦି ସରକାରୀ କିସମର ରହିଛି। ଏହି ଜମିର କିଛି ଅଂଶକୁ କେତେକ ବ୍ୟକ୍ତି ଜବରଦଖଲ କରି ଚାଷବାସ କରିବା ସହ ଘରଦ୍ୱାର ନିର୍ମାଣ କରିଛନ୍ତି। ଫଳରେ ସରକାରୀ ଜମି ସାଧାରଣ ଲୋକଙ୍କ କାମରେ ଆସିପାରୁନଥିବା ଗ୍ରାମବାସୀ କହିଛନ୍ତି। ସମସ୍ୟାର ସମାଧାନ ପାଇଁ ଗ୍ରାମବାସୀ ତହସିଲଦାରଙ୍କଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ଅଭିଯୋଗ କରିଥିଲେ। ଏପରିକି ସମସ୍ୟାର ସମାଧାନ ନହେବାରୁ ଶେଷରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ମଧ୍ୟ ଅଭିଯୋଗ କରିଥିବା ସେମାନେ କହିଛନ୍ତି। ହେଲେ ଆଜି ପର୍ଯ୍ୟନ୍ତ ଏହାର କୌଣସି ସୁଫଳ ମିଳିନଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ପ୍ରଶାସନର କାର୍ଯ୍ୟପଦ୍ଧତି ଉପରେ ଗ୍ରାମବାସୀଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି। ଜବରଦଖଲ ଉଚ୍ଛେଦ ଦାବିରେ ଗ୍ରାମବାସୀ ମାନ୍ୟବର ଉଚ୍ଚ ନ୍ୟାୟାଳୟର ମଧ୍ୟ ଦ୍ୱାରସ୍ଥ ହୋଇଥିବା ଜଣାପଡ଼ିଛି। ଏନେଇ ଡବ୍ଲ୍ୟୁପିସି କେସ୍‌ ନମ୍ବର ୪୪୮୬ରେ ମାମଲା ରୁଜୁ ହୋଇଥିବା ସେମାନଙ୍କ ପକ୍ଷରୁ କୁହାଯାଇଛି। ବାରମ୍ବାର ଅଭିଯୋଗ, ମାପଚୁପ ଓ ଜମି ଚିହ୍ନଟ ପରେ ମଧ୍ୟ ଜବରଦଖଲ ଉଚ୍ଛେଦ ନହେବାରୁ ଗ୍ରାମରେ ଅସନ୍ତୋଷ ତୀବ୍ର ହୋଇଛି। କେତେକ ଗ୍ରାମବାସୀ ଜବରଦଖଲକାରୀମାନେ ଅର୍ଥବଳ ପ୍ରୟୋଗ କରି ପ୍ରଶାସନକୁ ପ୍ରଭାବିତ କରୁଥିବା ଅଭିଯୋଗ କରିଛନ୍ତି। ତେବେ ଏହି ଅଭିଯୋଗର ସ୍ୱତନ୍ତ୍ର ସତ୍ୟତା ଯାଞ୍ଚ ହୋଇନାହିଁ। ଉମାକାନ୍ତ ରାଉତ, ମଧୁ ଦାସ, ଶ୍ରୀଧର ବାରିକ, ଦୀପକ ବାରିକ, ଆତୁଳ ଦାସ, ବାବୁଲି ସାହୁ, ତପନ ସାହୁ ଓ ପିତାମ୍ବର ବାରିକଙ୍କ ସମେତ ଅନେକ ଗ୍ରାମବାସୀ ତୁରନ୍ତ ସରକାରୀ ଜମିରୁ ଜବରଦଖଲ ହଟାଇବାକୁ ଦାବି କରିଛନ୍ତି। ଯଦି ଶୀଘ୍ର ପଦକ୍ଷେପ ନିଆନଯାଏ, ତେବେ ବାଧ୍ୟ ହୋଇ ଆନ୍ଦୋଳନ କରିବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ