ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳିତ

ରାୟଗଡ଼ା,( ଯୋଗେଶ୍ୱର ଦାସ) ରାୟଗଡ଼ା ଜିଲ୍ଲାରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ଆଜି ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି। ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଏହି ଅବସରରେ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସକାଳ ୯ ଘଣ୍ଟା ସମୟରେ ରାୟଗଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସରସ୍ୱତୀ ମାଝୀ ଛାତ୍ରଛାତ୍ରୀଙ୍କ ଦ୍ୱାରା ଆୟୋଜିତ ସଚେତନତା ଶୋଭାଯାତ୍ରାକୁ ଉଦ୍‌ଘାଟନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ରାୟଗଡ଼ା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବୀନ୍ଦ୍ର ନାଥ କହଁର, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଦେବରାଜ ଟାକ୍ରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ମିନତୀ ଦେଓ, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଭଜନଲାଲ ମାଝୀ ଏବଂ ଏଡିଇଓ-କମ୍-ଜିଲ୍ଲା ନୋଡାଲ ଅଧିକାରୀ, ଉଲ୍ଲାସ ଶ୍ରୀମତୀ ଶାନ୍ତିଲତା ମୁନିଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ ଶିକ୍ଷକ-ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ। ରାୟଗଡ଼ା ପୌରାଞ୍ଚଳ ଅଧୀନ ବିଭିନ୍ନ ବିଦ୍ୟାଳୟର ପ୍ରାୟ ୨୦୦ ଛାତ୍ରଛାତ୍ରୀ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଛାତ୍ରଛାତ୍ରୀମାନେ ବିଭିନ୍ନ ସଚେତନତାମୂଳକ ପ୍ଲାକାର୍ଡ ଧରିବା ସହ ସ୍ଲୋଗାନ ଦେଇ ଓ ଗୀତ ଗାଇ ସହର ପରିକ୍ରମା କରିଥିଲେ। ସାକ୍ଷରତାର ଗୁରୁତ୍ୱ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ସହ ଜିଲ୍ଲାରୁ ନିରକ୍ଷରତା ଦୂରୀକରଣ ପାଇଁ ସମସ୍ତ ଅଂଶୀଦାରଙ୍କ ସହଯୋଗ ଓ ସକ୍ରିୟ ଭୂମିକାର ଆବଶ୍ୟକତା ନେଇ ବାର୍ତ୍ତା ପ୍ରଦାନ କରାଯାଇଥିଲା। ପରେ ସକାଳ ୯ଟା ୩୦ରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ସଚେତନତାମୂଳକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ବିଭିନ୍ନ ବିଦ୍ୟାଳୟର ପ୍ରଧାନଶିକ୍ଷକ, ଶିକ୍ଷକ-ଶିକ୍ଷୟିତ୍ରୀ, ଶିକ୍ଷାର୍ଥୀ, ଭଲ୍ୟୁଣ୍ଟିଅର ଟିଚର୍‌ (VT) ଏବଂ ବିଦ୍ୟାଳୟ ପରିଚାଳନା କମିଟି (SMC)ର ସଦସ୍ୟଙ୍କ ସମେତ ୧୦୦ରୁ ଅଧିକ ଅଂଶଗ୍ରହଣକାରୀ ଯୋଗଦେଇଥିଲେ। ସଭାରେ ଅତିଥିମାନେ ସାକ୍ଷରତା କେବଳ ପଢ଼ିବା ଓ ଲେଖିବାର ଦକ୍ଷତା ନୁହେଁ, ବରଂ ଜଣେ ବ୍ୟକ୍ତିଙ୍କୁ ସଶକ୍ତ, ସଚେତନ ଓ ଦାୟିତ୍ୱବାନ ନାଗରିକ ଭାବେ ଗଢ଼ି ତୋଳିବାର ଏକ ମୁଖ୍ୟ ମାଧ୍ୟମ ବୋଲି ମତବ୍ୟକ୍ତ କରିଥିଲେ। ଏଥିସହ ରାୟଗଡ଼ା ଜିଲ୍ଲାରୁ ନିରକ୍ଷରତା ଦୂରୀକରଣ ନିମନ୍ତେ ସରକାରଙ୍କ ପକ୍ଷରୁ ଚାଲୁଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୂଚନା ଦିଆଯାଇଥିଲା। ସଭାରେ ସୂଚନା ଦିଆଯାଇଥିଲା ଯେ, ଚଳିତ ବର୍ଷ ନୂତନ ଭାରତ ସାକ୍ଷରତା କାର୍ଯ୍ୟକ୍ରମ (NILP)/ଉଲ୍ଲାସ ଅଧୀନରେ ରାୟଗଡ଼ା ଜିଲ୍ଲାରେ ୪୦,୦୦୦ରୁ ଅଧିକ ଶିକ୍ଷାର୍ଥୀଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କୁ ସାକ୍ଷର କରିବା ନିମନ୍ତେ ବିଭିନ୍ନ ଶିକ୍ଷାଦାନ ଓ ଶିକ୍ଷଣ କାର୍ଯ୍ୟକ୍ରମ ଜାରି ରହିଛି। ସାକ୍ଷରତାର ପ୍ରସାର ମାଧ୍ୟମରେ ସମାଜର ଶେଷ ସ୍ତରରେ ଥିବା ବ୍ୟକ୍ତିଙ୍କ ନିକଟରେ ଶିକ୍ଷାର ଆଲୋକ ପହଞ୍ଚାଇବା ସହ ଡିଜିଟାଲ ଓ ଜୀବନବ୍ୟାପୀ ଶିକ୍ଷାକୁ ପ୍ରୋତ୍ସାହନ ଦେବା ଉପରେ ମଧ୍ୟ ଗୁରୁତ୍ୱାରୋପ କରାଯାଇଥିଲା। ଶେଷରେ, ରାୟଗଡ଼ା ଜିଲ୍ଲାକୁ ଏକ ସମ୍ପୂର୍ଣ୍ଣ ସାକ୍ଷର ଜିଲ୍ଲା ଭାବେ ଗଢ଼ି ତୋଳିବା ପାଇଁ ପ୍ରଶାସନ, ଶିକ୍ଷକ, ଶିକ୍ଷାର୍ଥୀ, ସ୍ୱେଚ୍ଛାସେବୀ, ବିଦ୍ୟାଳୟ ପରିଚାଳନା କମିଟି ଓ ସମାଜର ସମସ୍ତ ବର୍ଗଙ୍କୁ ସକ୍ରିୟ ସହଯୋଗ ଏବଂ ସମର୍ଥନ ପ୍ରଦାନ କରିବାକୁ ଆହ୍ୱାନ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ