ଭିଜିଲାନ୍ସ ଜାଲରେ ଏସସି/ଏସଟି ବିଭାଗର ଦୁଇ ଅଡିଟର, ୧୪,୩୮,୩୪୦ ଟଙ୍କା ଜବତ
କଟକ, (ଓ୍ବାଇଏନଏସ): ରାଜ୍ୟ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗର ଦୁଇ ଜଣ ଅଡିଟର ବାଲେଶ୍ବର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ଅଟକ ଥିବା ଦୁଇ ଅଧିକାରୀ ହେଉଛନ୍ତି ଭୁବନେଶ୍ୱର ଏସଟି/ଏସସି ଉନ୍ନୟନ ବିଭାଗରେ କାର୍ଯ୍ୟରତ ପ୍ରଜ୍ଞା ପ୍ରକାଶ ପାତ୍ର (ପୁରୀ ଜିଲ୍ଲା ବାସିନ୍ଦା) ଏବଂ ପ୍ରଶାନ୍ତ ପ୍ରଧାନ (ଭୁବନେଶ୍ୱର ବାସିନ୍ଦା) । ସେମାନଙ୍କ ନିକଟରୁ ଲାଞ୍ଚ ଟଙ୍କା ବାବଦକୁ ମୋଟ ୧୪ ଲକ୍ଷ ୩୮ ହଜାର ୩୪୦ ଟଙ୍କା ଜବତ କରାଯାଇଛି । ଗୁଇନ୍ଦା ସୂଚନା ଆଧାରରେ ବାଲେଶ୍ଵର ଭିଜିଲାନ୍ସ ଟିମ୍ ଓ ମୟୂରଭଞ୍ଜ ଭିଜିଲାନ୍ସ ଟିମ୍ ମିଳିତ ଭାବେ ଗୁରୁବାର ବିଳମ୍ବିତ ରାତିରେ ଏହି ଚଢ଼ାଉ କରିଥିଲା । ଦୁଇ ଅଡିଟର ଜିଲ୍ଲା ମଙ୍ଗଳ ଅଧିକାରୀ (ଡିଡବ୍ଲ୍ୟୁଓ)ଙ୍କ କାର୍ଯ୍ୟାଳୟରେ କାମ ସାରି ସରକାରୀ ସ୍କର୍ପିଓ ଯୋଗେ ବାରିପଦାର ରକ୍ସି ଲେନ୍ ସ୍ଥିତ ମହାପାତ୍ର ହୋଟେଲକୁ ଫେରୁଥିଲେ । ଭିଜିଲାନ୍ସ ଅଧିକାରୀମାନେ ଅଧା ବାଟରେ ଗାଡ଼ିକୁ ଅଟକାଇ ଯାଞ୍ଚ କରିଥିଲେ । ସେମାନଙ୍କ ପାଖରୁ ୫୨ଟି ଲଫାପା ତଥା ୨୦ଟି ଖୋଲା ବିଡ଼ାରେ ରଖାଯାଇଥିବା ୫ ଲକ୍ଷ ୫୧ ହଜାର ୫୧୦ ଟଙ୍କା ମିଳିଥିଲା । ସେମାନେ ଏହି ଟଙ୍କାର କୌଣସି ସନ୍ତୋଷଜନକ ହିସାବ ଦେଇପାରି ନଥିଲେ । ଏହାପରେ ସେମାନେ ରହୁଥିବା ହୋଟେଲ କୋଠରୀରେ ତଲାସି ନିଆଯାଇଥିଲା । ସେଠାରୁ ଆଉ ୮ ଲକ୍ଷ ୮୬ ହଜାର ୮୩୦ ଟଙ୍କା ମିଳିଥିଲା । ସମୁଦାୟ ୧୪,୩୮,୩୪୦ ଟଙ୍କା ଜବତ କରାଯାଇଛି । ଗତ ଅଗଷ୍ଟ ୩୦ ତାରିଖରୁ ଏହି ଦୁଇ ଅଡିଟର ମୟୂରଭଞ୍ଜ ଜିଲ୍ଲାର ବାରିପଦା ଠାରେ ରହି ଅଡିଟ୍ କାର୍ଯ୍ୟ ଚଳାଇଥିଲେ । ସେମାନେ ଆଶ୍ରମ, ସେବାଶ୍ରମ, ଉଚ୍ଚ ବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ଏସଏସଡି ଛାତ୍ରାବାସର ହିସାବ ଯାଞ୍ଚ କରୁଥିଲେ । ସମସ୍ତ ପ୍ରଧାନଶିକ୍ଷକ ତଥା ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ରେକର୍ଡପତ୍ର ଧରି ବାରିପଦା ଡକାଯାଇଥିଲା । ଅଡିଟ୍ ସୁରୁଖୁରୁରେ ସାରିବା ପାଇଁ ପ୍ରତି ନାମଲେଖା ଛାତ୍ରଛାତ୍ରୀ ପିଛା ୧୦ ଟଙ୍କା ଲେଖାଏଁ ବଟି ଦାବି ହୋଇଥିବା ନେଇ ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିଲା । ଏହି ଅଭିଯୋଗ ଆଧାରରେ ଚଢ଼ାଉ କରାଯାଇଥିଲା ଏବଂ ସତ୍ୟ ପ୍ରମାଣିତ ହେବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହି ବିପୁଳ ପରିମାଣର ଅର୍ଥ କେଉଁଠୁ ଆସିଲା, ସେନେଇ ଉଭୟଙ୍କୁ ଅଟକ ରଖି ଜେରା ଚାଲିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ସନ୍ଦେହରେ ସେମାନଙ୍କ ସହ ଜଡ଼ିତ ଅନ୍ୟାନ୍ୟ ଠିକଣାରେ ମଧ୍ୟ ଭିଜିଲାନ୍ସ ପକ୍ଷରୁ ତଲାସି ଅଭିଯାନ ଜାରି ରହିଛି । ସେମାନଙ୍କ କାର୍ଯ୍ୟାଳୟ ସମେତ ପୁରୀ ଓ ଭୁବନେଶ୍ୱର ସ୍ଥିତ ପୈତୃକ ବାସଭବନରେ ମଧ୍ୟ ଭିଜିଲାନ୍ସ ଟିମ୍ ଏକକାଳୀନ ଚଢ଼ାଉ ଜାରି ରଖିଛି । ଅଧିକ ତଦନ୍ତ ତଥା ସର୍ଚ୍ଚ ଅପରେସନ ପାଇଁ ଉଭୟ ଅଧିକାରୀଙ୍କ ଭୁବନେଶ୍ୱର ସ୍ଥିତ କାର୍ଯ୍ୟାଳୟ ସମେତ ସେମାନଙ୍କ ନିଜ ନିଜ ଘରେ ଏକକାଳୀନ ଭିଜିଲାନ୍ସ ରେଡ୍ ଜାରି ରହିଛି ଏବଂ ଅଟକ ଉଭୟ ଅଭିଯୁକ୍ତଙ୍କୁ ଭୁବନେଶ୍ୱର କାର୍ଯ୍ୟାଳୟକୁ ନିଆଯାଉଛି ବୋଲି ଦୁର୍ନୀତି ନିବାରଣ ବିଭାଗ ଆରକ୍ଷୀ ଅଧୀକ୍ଷକ ଅରୁଣ କୁମାର ନାୟକ ସୂଚନା ଦେଇଛନ୍ତି । ପରବର୍ତ୍ତୀ ସମୟରେ ଜବତ ଟଙ୍କାର ସଠିକ୍ ପରିମାଣ ଓ ତଦନ୍ତ ସମ୍ପର୍କିତ ବିସ୍ତୃତ ତଥ୍ୟ ପ୍ରଦାନ କରାଯିବ ବୋଲି ଭିଜିଲାନ୍ସ ବିଭାଗ ପକ୍ଷରୁ କୁହାଯାଇଛି । ଭିଜିଲାନ୍ସ ବିଭାଗ କହିଛି, “ଚାଲୁଥିବା ଅଡିଟ୍ ସମୟରେ ମୟୂରଭଞ୍ଜ ଜିଲ୍ଲାର SC/ST ବିଭାଗର ଆଶ୍ରମ ସ୍କୁଲ ଏବଂ SSD ହଷ୍ଟେଲର ଇନଚାର୍ଜଙ୍କ ଠାରୁ ଲାଞ୍ଚ ଆଦାୟର ରେଜିଷ୍ଟ ଇନପୁଟ୍ ଆଧାରରେ, 2 ଜଣ ଅଡିଟର ପ୍ରଶାନ୍ତ କୃଷ୍ଣ ପ୍ରଧାନ ଏବଂ ପ୍ରଜ୍ଞାନ ପ୍ରକାଶ ପାତ୍ରଙ୍କୁ ଓଡିଶା ଭିଜିଲାନ୍ସ ଦ୍ୱାରା ବାରିପଦାରୁ ଗିରଫ କରାଯାଇଛି ସେମାନଙ୍କ ପାଖରୁ 14.38 ଲକ୍ଷ ଟଙ୍କା ଜବତ କରାଯାଇଛି ।”


